କୃଷିର ବଜାରୀକରଣ ପାଇଁ ଉଦ୍ୟମ : ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ସହ ଯୋଡିବାକୁ ଚିିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

43

କନକ ବ୍ୟୁରୋ : ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ ନାମ-ଫ୍ଲାଟଫର୍ମ ସହ ଯୋଡିବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ରାଜ୍ୟର ଅଧିକାଂଶ ଆରଏମସିରେ ଆବଶ୍ୟକୀୟ ସୁବିଧା ଓ ଭିତିଭୂମିର ଅଭାବ ରହିଛି । ଏହାକୁ ଇ-ନାମ ଫ୍ଲାଟଫର୍ମ ସହ ଯୋଡିଲେ ଭିତିଭୂମି ଓ ସୁବିଧା ମିଳିବା ସହ ଚାଷୀମାନଙ୍କ ସମସ୍ୟା ଦୂର ହୋଇପାରିବ । ରାଜ୍ୟରେ ୬୦ରୁ ୭୦ ପ୍ରତିଶତ ଲୋକ ଚାଷ ଓ ଏହା ସହ ଜଡିତ ।

ତେବେ କୃଷି ଉତ୍ପାଦନର ବିପଣନ ଓ ପ୍ରକ୍ରିୟାକରଣରେ ରାଜ୍ୟର ଚାଷୀମାନେ ପଛରେ ଥିବାରୁ କୃଷି କ୍ଷେତ୍ରରେ ପ୍ରତି ବ୍ୟକ୍ତି ଆୟ ଖୁବ କମ ରହିଛି । ଏହି ପରିପ୍ରେକ୍ଷୀରେ କୃଷକ ଓ କୃଷି ସମ୍ପର୍କିତ ସଙ୍ଗଠନଗୁଡିକୁ ଇ-ନାମ ସହ ଯୋଡିବାର ଆବଶ୍ୟକତା ରହିଛି । ଏହାହେଲେ ଚାଷୀମାନେ ସେମାନଙ୍କ ଉତ୍ପାଦର ସଠିକ ମୂଲ୍ୟ ପାଇପାରିବେ ଓ କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇପାରିବ । ବର୍ତମାନ ରାଜ୍ୟର ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହ ଯୋଡି ହୋଇଛି ।