ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଓଡିଶା ଆସିଲେ ଧର୍ମେନ୍ଦ୍ର ! ବିପୁଳ ସମ୍ବର୍ଦ୍ଧନା ସହ ଭୁବନେଶ୍ୱରରେ ବିଜେପି ପାଳିଲା ବିଜୟ ଉତ୍ସବ

31

କନକ ବ୍ୟୁରୋ : ଆଜି ବିଜୟ ଉତ୍ସବ ମନାଇଛି ବିଜେପି । ରାଜଧାନୀ ଭୁବନେଶ୍ୱରରେ କର୍ମୀ ଓ ସମର୍ଥକଙ୍କ ପ୍ରବଳ ଗହଳି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିହାର ପରେ ମଧ୍ୟପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଧର୍ମେନ୍ଦ୍ରଙ୍କୁ ଏହି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଧର୍ମେନ୍ଦ୍ର କହିଛନ୍ତି, ପ୍ରଥମ ଥର ପାଇଁ ଜଣେ ଓଡିଆଙ୍କୁ ବାହାର ରାଜ୍ୟରୁ ଦ୍ୱିତୀୟ ଥର ଲାଗି ରାଜ୍ୟସଭାକୁ ପଠାଯାଇଛି ।

dharmendra pradhan

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ କରିବା ପାଇଁ ବିରାଟ ପଟୁଆର । ଅନେକଙ୍କ ମନରେ ପ୍ରଶ୍ନ ଉଠିଥିବ ବିଜେପୁର ପରାଜୟ ପରେ ପରେ ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ପାଇଁ ଏତେ ବଡ ବିଜୟ ଯାତ୍ରା ଭଳି ପଟୁଆର କାହିଁକି? ଏହାକୁ ସ୍ପଷ୍ଟ କରିବାକୁ ଯାଇ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବରୁ ଓଡିଶାର କୌଣସି ବ୍ୟକ୍ତିଙ୍କୁ ରାଜ୍ୟ ବାହାରୁ ଦୁଇ ଦୁଇ ଥର ରାଜ୍ୟସଭା ଯିବାର ସୁଯୋଗ ମିଳି ନାହିଁ । ଏହା ମୋଦି ସରକାରଙ୍କ ଓଡିଶା ପ୍ରତି ଗୁରୁତ୍ୱ ସୂଚାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବିହାର ପରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହା ପରେ ଓଡିଶା ଫେରି ବିଜେପୁର ପରାଜୟ ବିଷୟରେ ଦଳୀୟ କର୍ମୀ ଓ ଗଣମାଧ୍ୟମକୁ କହିଛନ୍ତି । ଧର୍ମେନ୍ଦ୍ର ଜଣାଇବା ପାଇଁ ଚାହିଁଛନ୍ତି କଂଗ୍ରେସ ଓ ବିଜେଡିର ଗୁପ୍ତ ବୁଝାମଣା ପାଇଁ ବିଜେପି ହାରିଲା । ଏଥିସହ ବିଜେପି ଶୀଘ୍ର ବୁଡିଯାଉଛି ବୋଲି ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । ବିଜେପୁର ପରାଜୟ ପରେ ସଂଗଠନକୁ ପୁଣିଥରେ ସକ୍ରୀୟ କରିବା ବିଜେପିର ପ୍ରଥମ ଆବଶ୍ୟକତା । ଆଉ ଆଜିର ଧର୍ମେନ୍ଦ୍ରଙ୍କୁ ସ୍ୱାଗତ ସମ୍ବର୍ଧନା ୨୦୧୯ ପାଇଁ ବିଜେପି ପ୍ରସ୍ତୁତିର ଆଉ ଏକ ପାହାଚ ବୋଲି କୁହାଯାଉଛି ।