ପଦୋନ୍ନତି ପରେ ଓଡ଼ିଶା ଆସିଲେ ଧର୍ମେନ୍ଦ୍ର ! ଦଳପକ୍ଷରୁ ବିରାଟ ସ୍ୱାଗତ, କହିଲେ ପୂରଣ କରିବେ ଅମିତ ଶାହାଙ୍କ ୧୨୦ ଆସନର ସ୍ୱପ୍ନ

34

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ କେଉଁ ଦଳକୁ ମିଳିବ କେତେ ଆସନ ସେନେଇ ଆରମ୍ଭ ହୋଇଯାଇଛି ବୟାନବାଜି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ପରେ ଓଡିଶାରେ ପହଂଚିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ୧୨୦ ଆସନର ଲକ୍ଷ୍ୟ ହାସଲ ଦିଗରେ କାମ କରିବେ ବୋଲି କହିଛନ୍ତି । ଏପଟେ ବିଜେଡିର ଦାବି ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ପରି ୨୦୧୯ରେ ୧୨୩ ଆସନରେ ଜିତିବ ବିଜୁ ଜନତା ଦଳ । ସେହିପରି ଦଳୀୟ କନ୍ଦଳ ଭିତରେ ଫଶିରହିଥିବା ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ଦୃଢୋକ୍ତି ଆଗାମୀ ନିର୍ବାଚନରେ ୮୫ ଆସନରେ ଜିତି ଓଡିଶାରେ କମବ୍ୟାକ କରିବ ଦଳ । ତେଣୁ ରାଜନୈତିକ ଦଳଗୁଡିକର ଆସନ ଅଙ୍କକୁ ନେଇ ଏକପ୍ରକାର ସରଗରମ ହୋଇଛି ରାଜ୍ୟ ରାଜନୀତି ।

ମୋଦି ମନ୍ତ୍ରିମଣ୍ଡଳରେ ପଦୋନ୍ନତି ପରେ ଓଡିଶାରେ ପହଂଚିଛନ୍ତି ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । କ୍ୟାବିନେଟ ପାହ୍ୟା ପରେ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ଦଳୀୟ ନେତା ଓ କର୍ମୀ । ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ପାଛୋଟି ଆଣିବାକୁ ପହଂଚିଥିଲେ ହଜାର ହଜାର କର୍ମୀ ଓ ନେତା । ଆଉ ଓଡିଶା ମାଟିରେ ପାଦଦେବା ପରେ ପୁଣି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ୧୨୦ ଆସନ ଲକ୍ଷ୍ୟକୁ କିଭଳି ହାସଲ କରାଯିବ ସେନେଇ କାମ କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ରାଜ୍ୟ ବିଜେପି ନେତୃତ୍ୱ କହିବୁଲୁଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନରେ ୧୨୦ ଆସନ ପାଇବ ବିଜେପି । ଏପଟେ ବିଜେଡିର ଦୃଢୋକ୍ତି ୧୯୯୦ରେ ବିଜୁ ବାବୁଙ୍କ ପରି ୨୦୧୯ରେ ବିଜୁ ଜନତା ଦଳ ୧୨୩ ଆସନ ଦଖଲ କରିବାକୁ ସମର୍ଥ ହେବ । ଆଉ ଏହାରି ଭିତରେ ପିସିସିର ବରିଷ୍ଠ ନେତାଙ୍କ ଦାବି ୮୫ ଆସନରେ ଜିତି ଓଡିଶାରେ ପୁଣି କମବ୍ୟାକ କରିବ କଂଗ୍ରେସ । ଏହି ତିନି ପ୍ରମୁଖ ରାଜନୈତିକ ଦଳର ଦାବି ଅନୁଯାୟୀ ଆସନକୁ ମିଶାଇଲେ ହେଉଛି ୩୨୮ । ହେଲେ ଓଡିଶା ବିଧାନସଭାର ମୋଟ ଆସନ ସଂଖ୍ୟା ୧୪୭ । ତେଣୁ ବିଜେପି, ବିଜେଡି ଓ କଂଗ୍ରେସର ଏହି ଆସନ ବୟାନବାଜିକୁ ନେଇ ଉଷ୍ମ ହୋଇଉଠିଛି ରାଜ୍ୟ ରାଜନୈତିକ ପାଣିପାଗ ।

୨୦୧୯ ନିର୍ବାଚନକୁ ଆହୁରି ଢେରଦିନ ବାକି । ହେଲେ ଏବେଠାରୁ ଆରମ୍ଭ ହୋଇଗଲାଣି ରାଜନୈତିକ ଦଳଗୁଡିକର ଆସନର ଅଙ୍କକଶା । ବିଜେଡି ଯେଉଁଠି ନବୀନଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ନେତା କହି ୧୨୩ ଆସନ ଦଖଲର ଦମ୍ଭୋକ୍ତ ଦେଖାଉଛି ପୁଣି ସେଠି ବିଜେପି ଚାଣକ୍ୟ ଅମିତ ଶାହଙ୍କ ଆସନ ଅଙ୍କ କେବେ ଭୁଲ ହୁଏନାହିଁ ବୋଲି କହୁଛି ବିଜେପି । ଏପଟେ କଂଗ୍ରେସ କହିଲାଣି ତା ଖାତାରେ ପଡିବ ୮୫ ।