କାଲି ଟ୍ୱିନସିଟିରେ ବଡ ରାଜନୀତି ! ଧର୍ମେନ୍ଦ୍ରଙ୍କ ଗ୍ୟାସ୍ ବନାମ ନବୀନଙ୍କ ପାଣି

37

କନକ ବ୍ୟୁରୋ : ବଡ ରାଜନୀତି ଦେଖିବ ଟ୍ୱିନସିଟି । ଘରେ ଘରେ ଗ୍ୟାସ୍ ପହଂଚାଇବାକୁ ଭୁବନେଶ୍ୱରରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକରାଙ୍କ ନୁଆ ଯୋଜନା । ଆଉ ସେପଟେ କଟକରେ ରାଜ୍ୟ ସରକାରଙ୍କର ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ରମ । ଘରକୁ ପାଣି ଆଉ ଗ୍ୟାସ୍ ପହଂଚାଇବା ମାଧ୍ୟମରେ ସହରବାସୀଙ୍କର ଭୋଟବ୍ୟାଙ୍କ ହାତେଇବାକୁ ବଡ ଧରଣର ଉଦ୍ୟମ । ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନା ଜରିଆରେ ବିଜେପି ସହରାଂଚଳରେ ପ୍ରଭାବ ବିସ୍ତାର କରିବାକୁ ଚିନ୍ତା କରିଥିବା ବେଳେ ବିଜେଡି ଦେଇଛି ବଡ ଧରଣର ଚେକ୍ ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ କଟକରେ ୧୦୧ଟି ସହରାଂଚଳ ପାଇଁ ୭୮୩ କୋଟି ଟଙ୍କା ମୂଲ୍ୟର ୫୫୫ଟି ନୂତନ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିପରି ୭୪ଟି ସହରାଂଚଳରେ ୧୫୭ କୋଟି ବ୍ୟୟରେ ନିର୍ମିତ ୧୮୨ଟି ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ଜଳ ପରିକ୍ଷାଗାରର ଲୋକାର୍ପଣ କରିବେ ନବୀନ । ସହରରେ ସମସ୍ତଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷରେ ଏହା ପଦକ୍ଷେପ ବୋଲି ଦଳ କହିଛି ।

ଅନ୍ୟପଟେ ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଜରିଆରେ ଘରେ ଘରେ ଗ୍ୟାସ୍ ପହାଂଚାଇବା ଯୋଜନାକୁ ଉଦଘାଟନ କରିବେ । ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ସଂଯୋଗ ମିଳିବ । ରାଜ୍ୟର ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ନିର୍ବାଚନର ଅବଧି ନିକଟତର ହେଉଥିବା ବେଳେ ଦୁଇ ପ୍ରମୁଖ ରାଜନୈତିକ ଦଳ ପରସ୍ପରକୁ ମାତ୍ ଦେବାକୁ ନୂଆ ନୂଆ ରଣନୀତି ବାହାର କରୁଛନ୍ତି । ପ୍ରତି ଘରେ ଗ୍ୟାସ୍ ଯେମିତି ଆବଶ୍ୟକ, ସହରାଂଚଳରେ ବିଶୁଦ୍ଧ ପାନୀୟ ଜଳ ମଧ୍ୟ ଦରକାର । ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି ଗୋଟିଚାଳନା କରିଛନ୍ତି । ଗାଁ ଭୋଟରେ ବିଜେଡି ନିଜକୁ ଅନୁଶୀଳନ କରିବା ପରେ ଏବେ ସହରୀ ଭୋଟକୁ ନିଜ ଅକ୍ତିଆରରେ ରଖିବାକୁ ଅଂଟା ଭିଡିଛି । ରାଜଧାନୀରେ ଧର୍ମେନ୍ଦ୍ର ଆଉ କଟକରେ ନବୀନ ଆରମ୍ଭ କରିବାକୁ ଥିବା ଏହି ଯୋଜନା କେତେଦୁର ଲୋକାଭିମୁଖୀ ହେଉଛି ଓ କାହାର ଭୋଟବ୍ୟାଙ୍କକୁ ବଜାୟ ରହିପାରୁଛି, ତା ଉପରେ ନଜର ।