୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମସ୍ୟାର ସମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି !

59

କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମସ୍ୟାର ସମଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଏହି ଚିଠିରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଦାତିକ ବାହିନୀ ବୋଲି ବର୍ଣ୍ଣନା କରିବା ସହ ସେମାନଙ୍କ ଯୋଗୁଁ ହିଁ ବହୁ ମୂଲ୍ୟ ଜୀବନ ବଂଚିପାରୁଛି ବୋଲି କହିଛନ୍ତି । ତେଣୁ ଓଡିଶାର ସ୍ୱାସ୍ଥ୍ୟସେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଏହି ଆମ୍ବୁଲାନ୍ସ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ  ।

ଗତକାଲି ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ସଂଘର ଦାବି ଥିଲା, ବେଆଇନଭାବେ କାର୍ଯ୍ୟରୁ ନିବୃତ୍ତ ରହିଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରାଯାଉ । ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ଗାଡ଼ିଗୁଡ଼ିକର ମରାମତି ତୁରନ୍ତ କରାଯାଉ । ଶ୍ରମ ଆଇନ ଅନୁଯାୟୀ ଉଚିତ ସମୟରେ ଦରମା ପ୍ରଦାନ, ରିଲିଭରମାନଙ୍କ ଛୁଟି କାଟିବା ବନ୍ଦ କରିବା, ସାଲାରି ସ୍ଲିପରେ ସ୍ୱଚ୍ଛତା ପ୍ରଦାନ, ବାର୍ଷିକ ବେତନ ବୃଦ୍ଧି ପ୍ରଦାନ କରାଯାଉନାହିଁ। ତେଣୁ ଏହାକୁ ତୁରନ୍ତ ପ୍ରଦାନ କରାଯାଉ। କର୍ମଚାରୀଙ୍କ ବିରୋଧରେ ଥିବା ଅଭିଯୋଗ ସେହି ଜିଲ୍ଲାର ଅଭିଯୋଗ ବୈଠକରେ ସମାଧାନ କରିବା ଓ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଏହି ବୈଠକ ରଖିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଥିଲା।

ସଂଘର ଏକ ପ୍ରତିନିଧିଦଳ କମ୍ପାନି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଜିପିଏସ୍‌ ଚ୍ୟାନେଲ ଖୋଲା ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହ ଏହାସହ ଛଟେଇ ହୋଇଥିବା ୩ଜଣ କର୍ମଚାରୀଙ୍କୁ ପୁନଃ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବା ପାଇଁ ସଂଘ ଏକ ଅନୁରୋଧ ପତ୍ର ଲେଖିବା ପାଇଁ କୁହାଯାଇଛି । ଏହାସହ ପ୍ରତ୍ୟେକ ମାସର ୨୫ତାରିଖରେ ସଂଘ ସହ କମ୍ପାନି କର୍ତ୍ତୃପକ୍ଷଙ୍କ ବୈଠକ ବସିବା ସହିତ ସଂଘର ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଲୋଚନା କରାଯିବ ବୋଲି ସଂଘର ସଭାପତି ମନୋଜ ସାହୁ ସୂଚନା ଦେଇଛନ୍ତି । ଏହି ପ୍ରତିନିଧିଦଳରେ ବିଜେପି ନେତା ସମୀର ମହାନ୍ତି, ମୁଖପାତ୍ର ସଜ୍ଜନ ଶର୍ମା ଓ ଅନ୍ୟମାନେ ଆଲୋଚନା କରିଥିଲେ ।