ମୋଦିଙ୍କ ଜେରକ୍ସ କପି ଧର୍ମେନ୍ଦ୍ର ! ସ୍ୱପ୍ନ ଦେଖାଇ ଦେଖାଇ ଶୁଆଇ ଦେଉନାହାନ୍ତି କେନ୍ଦ୍ରମନ୍ତ୍ରୀ

ଗୁରୁଙ୍କ ରାସ୍ତାରେ ଶିଷ୍ୟ । କେତେବେଳେ ନିଜକୁ ଗୁଣ୍ଡୁଚି ମୂଷା କହୁଛନ୍ତି ତ କେତେବେଳେ କହୁଛନ୍ତି ହନୁମାନ

699

କନକ ବ୍ୟୁରୋ : ମୋଦିଙ୍କୁ କପି କରିବାରେ ଓସ୍ତାଦ ହୋଇଗଲେଣି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷା, ଚାଲିଚଳଣ, ଭାବଭଙ୍ଗୀ, ଠାଣି ଏମିତି ସବୁକିଛି ଏବେ ଧର୍ମେନ୍ଦ୍ରଙ୍କ ନିକଟରେ ବାରି ହୋଇ ପଡୁଛି । ମୋଦି ଯେମିତି ଦେଶରେ ବିଜେପିର ଏକମାତ୍ର ଚେହେରା ଠିକ୍ ସେହିଭଳି ଧର୍ମେନ୍ଦ୍ର ମଧ୍ୟ ରାଜ୍ୟ ବିଜେପିର ସର୍ବେସବା । ତାଙ୍କ ବିନା ରାଜ୍ୟ ପଦ୍ମ ପୋଖରୀରେ ପାଖୁଡା ତ ଦୂରର କଥା ପତ୍ର ମଧ୍ୟ ହଲେ ନାହିଁ ବୋଲି ଶୁଣାଯାଏ । ଏକଥା ଆମେ କହୁନୁ ରାଜ୍ୟର ଗଳି ଗଳିରେ ଏହି କଥାକୁ ନେଇ ଚର୍ଚ୍ଚା ହୁଏ । ଆଉ ଏସବୁ ଭିତରେ ଧର୍ମେନ୍ଦ୍ର ଗତକାଲି ମିଶ୍ରଣ ପର୍ବରେ ମୋଦିଙ୍କ ଆଉ ଏକ ଷ୍ଟାଇଲ କପି କରିଥିବାର ଲୋକେ କୁହାକୁହି ହେଉଛନ୍ତି ।

ଗୁରୁଙ୍କ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି ଶିଷ୍ୟ । ଠିକ୍ ଗୁରୁ ଯେଉଁଭଳି କଥା ଅଧିକ କାମ କମ କରୁଛନ୍ତି ଶିଷ୍ୟ ମଧ୍ୟ ଏବେ ସେହି ଫଣ୍ଡା ଆପଣାଇଛନ୍ତି । ଭଦ୍ରକ ବାସୁଦେବପୁରରେ ବିଜେପି ସରକାର ଆସିଲେ ଚାଷୀ ଋଣ ଛାଡ କରାଯିବ ବୋଲି ଧର୍ମେନ୍ଦ୍ର କହିବା ପରେ ଧର୍ମେନ୍ଦ୍ର ମୋଦିଙ୍କର ଜେରକ୍ସ କପି ବୋଲି ଏବେ ଲୋକେ କହୁଛନ୍ତି ।

ମୋଦିଙ୍କ ବିମାନରେ ଏବେ ପାଇଲଟ ସାଜିଛନ୍ତି ଧର୍ମେନ୍ଦ୍ର । ମୋଦି ଯେଉଁଭଳି ଭାବେ ୨୦୧୪ ନିର୍ବାଚନ ପୂର୍ବରୁ ଲୋକଙ୍କ ସାମ୍ନାରେ ପ୍ରତିଶୃତିର ପାହାଡ ଛିଡା କରିଥିଲେ ଏବେ ଧର୍ମେନ୍ଦ୍ର ସେହି ରୋଡରେ ଚାଲିବା ଆରମ୍ଭ କରିଛନ୍ତି । ବିଜେପି ସରକାର ଗଢିବାର ୪ ବର୍ଷ ବିତିଗଲାଣି ଏବେ ମଧ୍ୟ ଲୋକେ ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ କରୁଛନ୍ତି କାଳେ ୧୫ ଲକ୍ଷ ଟଙ୍କା ଆସିଯିବ । ଏହାଛଡା ଅଚ୍ଛେ ଦିନକୁ ଏବେ ମଧ୍ୟ ଦେଶବାସୀ ଖୋଜୁଥିବା କିଛି ଲୋକେ କହୁଛନ୍ତି । କିନ୍ତୁ ନା ଅଚ୍ଛେ ଦିନ ମିଳିଛି ନା ୧୫ ଲକ୍ଷ ଟଙ୍କା । ମିଳିଛି ଯଦି ୪ ବର୍ଷରେ କେବଳ ବଡ ବଡ ଫମ୍ପା ପ୍ରତିଶୃତି ।

ମୋଦି ଏତେ ସ୍ୱପ୍ନ ଦେଖାଇଛନ୍ତି ଯେ ଶୋଇବାକୁ ସମୟ ମିଳୁନାହିଁ ବୋଲି ଲୋକେ କହୁଛନ୍ତି । ଆଉ ଏହାରି ଭିତରେ ନିଜକୁ ଗୁଣ୍ଡୁଚି ମୁଷା ବୋଲାଉଥିବା ତେଲମନ୍ତ୍ରୀ ପୁଣିଥରେ ଓଡିଶାବାସୀଙ୍କୁ ବଡ ବଡ ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି । ମହୁରତ ଯାହା ବି ଥାଉ ନା କାହିଁକି ସ୍ୱପ୍ନ ବିକ୍ରି କରିବାର ଟିକଏ ବି ମଉକା ଛାଡୁନାହାନ୍ତି ଧର୍ମେନ୍ଦ୍ର । ସଜ ସଜ ବାସୁଦେବପୁର ସଭାରେ ବିଜେପି ସରକାର ଆସିଲେ କୃଷି ରଣ ଛାଡ କରିବା, ଭଦ୍ରକରେ ମେଡିକାଲ କଲେଜ ନିର୍ମାଣ କରିବା, ଚିଟଫଣ୍ଡ ଅଭିଯୁକ୍ତଙ୍କର ପର୍ଦ୍ଦାଫାଶ କରିବା ଭଳି ବଡ ବଡ ସ୍ୱପ୍ନ ଦେଖାଇଛନ୍ତି ।

ସରକାର ଗଢିବାର ୪ ବର୍ଷ ବିତିଯିବା ପରେ ଲୋକମାନେ ଯେତେବେଳେ ବିକାଶର ହିସାବ ମାଗୁଛନ୍ତି ସେତେବେଳେ ଆଗାମୀ ୫ ବର୍ଷ ପାଇଁ ସ୍ୱପ୍ନ ଦେଖାଇବା ଆରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଆଉ ଯାହାକୁ ଦେଖି ଲୋକେ କହୁଛନ୍ତି ସ୍ୱପ୍ନ ବିକିବାର ସେଲସମ୍ୟାନ ସାଜିଛନ୍ତି ମୋଦିଙ୍କ ପଟ୍ଟଶିଷ୍ୟ ।