ମିଶ୍ରଣ ପର୍ବରେ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ । ନବୀନ ସରକାରକୁ ଦେଲେ ମିଛୁଆ ରାଧୁଆ ସରକାରର ଟ୍ୟାଗ, ଜବାବରେ ବିଜେଡି କହିଲା, ମିଛର ଆଶ୍ରା ନେଇ ବଞ୍ଚିଛି ବିଜେପି

53

କନକ ବ୍ୟୁରୋ : ଭଦ୍ରକ ଓ ଯାଜପୁରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଥିବା ବେଳେ ଭୁବନେଶ୍ୱରରୁ ଏହାର ଜବାବ ଦେଇଛି ବିଜେଡି । ଆଜି ଭଦ୍ରକର ବାସୁଦେବପୁରରେ ବିଜେପିର ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ । ୨୦୧୯ ମସିହାରେ ବାସୁଦେବପୁରରେ ପରିବର୍ତ୍ତନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । କାରଣ ରାଜ୍ୟରେ ଅପାରଗ, ସ୍ଥାଣୁ, ବ୍ୟଭିଚାର,ସମ୍ବେଦନହୀନ, ମିଛୁଆ ସରକାର ଚାଲିଛି । ଯେଉଁଥିପାଇଁ ଲୋକେ ଏବେ ଏହି ସରକାରରୁ ମୁହଁ ମୋଡି ବିଜେପିରେ ଯୋଗ ଦେଉଛନ୍ତି । ଏହାଛଡା ବାସୁଦେବପୁରରେ ଚାଲିଥିବା ବଂଶାନୁକ୍ରମିକ ରାଜନୀତିରେ ୨୦୧୯ରେ ପୂର୍ଣ୍ଣଚ୍ଛେଦ ପଡିବ । ଲୋକେ ଏହାକୁ ଆଉ ଗ୍ରହଣ କରିବେ ନାହିଁ । ଏହାଛଡା ନିର୍ବାଚନୀ ଋତୁରେ ଧର୍ମେନ୍ଦ୍ର ଚାଷୀ କାର୍ଡ ଖେଳିବାକୁ ଭୁଲି ନାହାନ୍ତି । ଯଦି ଲୋକଙ୍କ ଆର୍ଶୀବାଦରୁ ବିଜେପି ସରକାର ଆସେ ତେବେ କୃଷିରଣ ଛାଡ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏମିତିକି ବିଜେପି ସରକାର ଆସିଲେ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ହେବ ବୋଲି ସେ କହିଛନ୍ତି । ତେଣୁ ଦୁର୍ନୀତିରେ ବୁଡି ରହିଥିବା ଏହି ସରକାରକୁ ହଟାଇବାକୁ ଧର୍ମେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ଭଦ୍ରକରେ ନବୀନ ସରକାର ଉପରେ ବର୍ଷିଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କର ମନ ବୁଝି ନଥିଲା । ଯାଜପୁରରେ ଦଳୀୟ ମିଶ୍ରଣ ପର୍ବରେ ଯୋଗ ଦେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ମାରିଥିଲେ ବାଣ । ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଥିବା କହିବା ସହ ପିସି କାରାବାର ଯୋଗୁଁ ଲୋକେ ପେସି ହେଉଯାଉଛନ୍ତି ବୋଲି କହିବାକୁ ପଛାଇ ନଥିଲେ କେନ୍ଦ୍ରମନ୍ତ୍ରୀ । ଏପରିକି ରାଜ୍ୟ ସରକାରଙ୍କୁ ପିସି ସରକାରର ଟ୍ୟାଗ୍ ଦେଇଥିଲେ ଧର୍ମେନ୍ଦ୍ର । ଯାଜପୁର ଜିଲ୍ଲା ସମତେ ପୂରା ରାଜ୍ୟରେ ଯେଉଁଭଳି ଦୁର୍ନୀତି ହେଉଛି ୨୦୧୯ରେ ଲୋକେ ପରିବର୍ତ୍ତନ ଆଡକୁ ମୁହାଁଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାଛଡା ନବୀନ ସରକାରକୁ ମିଛୁଆ ରାଧୁଆ ସରକାର କହିବା ସହ ଏହା ଚିଟଫଣ୍ଡ ନାୟକ ମାନଙ୍କ ଦ୍ୱାରା ଚାଲିଛି ବୋଲି କହି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ଆଟାକ କରିଛନ୍ତି । ଯଦି ବିଜେପି ସରକାର ଆସେ ତେବେ ଚିଟଫଣ୍ଡ ଅଭିଯୁକ୍ତ ମାନଙ୍କର ପର୍ଦ୍ଦାଫାଶ କରାଯିବ । ଏପରିକି ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ନ ହେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

Pratap-Keshari-Debରାଜ୍ୟ ସରକାରଙ୍କ ଉପରେ ଯାଜପୁର ଓ ଭଦ୍ରକରୁ ଧର୍ମେନ୍ଦ୍ରଙ୍କ ଆଟାକ ପରେ ଜବାବ ଦେଇଛି ବିଜେଡି । ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଆୟୁଷ୍ମାନ ଯୋଜନା ଠାରୁ ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଢେର ଭଲ । ତେଣୁ ଏ ପ୍ରସଙ୍ଗରେ ପ୍ରଳାପ ନ କରିବାକୁ କହିଛି ବିଜେଡି । ଏହାଛଡା ନବୀନ ପଟ୍ଟନାୟକଙ୍କ ବିରୋଧରେ ଅପପ୍ରଚାର ଆରମ୍ଭ କରାଯାଇଛି ବୋଲି କହିଛନ୍ତି ପ୍ରତାପ । ଉଜ୍ଜଳା ଯୋଜନାର ଅସଲ ସତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ । ଏହାଛଡା ଚିଟଫଣ୍ଡ ଅଭିଯୁକ୍ତଙ୍କ ପର୍ଦ୍ଦାଫାଶ କରିବା ପ୍ରସଙ୍ଗରେ ବିଜେପିକୁ ଆଉ କେତେ ବର୍ଷ ଦରକାର ଏହି ମାମଲାରେ ତଦନ୍ତ ଶେଷ କରିବାକୁ ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି । ଏହାଛଡା କୃଷି ଋଣ ଛାଡ ପ୍ରସଙ୍ଗରେ ପ୍ରତାପ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ କେତେ ପୂରଣ କରିଛନ୍ତି ତାହାର ଜବାବ ଦିଅନ୍ତୁ । ଏହି ସରକାର କେବଳ ପ୍ରଚାର ସର୍ବସ୍ୱ ସରକାର । କେବଳ ଗଣମାଧ୍ୟମରେ ବିଜେପି ବଞ୍ଚି ରହିଛି । ଲୋକେ ବିଜେପିକୁ ଠିକ୍ ଚିହ୍ନି ସାରିଲେଣି । ଭବିଷ୍ୟତରେ ବିଜେପିକୁ ଜନତା ପ୍ରତ୍ୟାଖାନ କରିବେ ବୋଲି ପ୍ରତାପ କହିଛନ୍ତି ।