ମୋଦିଙ୍କ ଗସ୍ତର ପୂର୍ବ ଦିନରେ ଧର୍ମେନ୍ଦ୍ର କଲେ ଅପିଲ୍ : କହିଲେ, ବିଜେପିରେ ଯୋଗଦେଇ ପାରିବେ ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ କରୁଥିବା ନେତା

24

କନକ ବ୍ୟୁରୋ : ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ ରାଜ୍ୟ ବିଜେପି । ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ଗୁଗଲି ଛାଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳମତ ନିର୍ବିଶେଷରେ ଯେକୌଣସି ନେତା ବିଜେପିରେ ଯୋଗ ଦେବାପାଇଁ କଲେ ଆହ୍ୱାନ । ମୋଦିଙ୍କ ନେତୃତ୍ୱକୁ ଗ୍ରହଣ କରୁଥିବା ନେତାଙ୍କୁ ଦଳରେ ସ୍ୱାଗତ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ବିଜେଡିରେ ଲାଗିରହିଛି କଳ୍ପନା ଜଳ୍ପନା । କିଛି ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି । ତେଣୁ ଏଭଳି ରାଜନୈତିକ ଉଷ୍ମତା ଭିତରେ, ଧର୍ମେନ୍ଦ୍ରଙ୍କ ଏଭଳି ଅପିଲ ଏକ ବଡ ରାଜନୈତିକ ଗୋଟି ଚାଳନା ବୋଲି କୁହାଯାଉଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତର ଦିନକ ପୂର୍ବରୁ ଏଭଳି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କ୍ଷେତ୍ର ପ୍ରସ୍ତୁତ କରୁଛି ରାଜ୍ୟ ବିଜେପି । ଓଡିଶାରେ କ୍ଷମତା ଦଖଲ ପାଇଁ ଜାତୀୟ କାର୍ଯ୍ୟକାରିଣୀରେ ପଡିବ ମୂଳଦୁଆ । ଆଉ ସେଥିପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରଣନୀତି ।

ଧର୍ମେନ୍ଦ୍ରଙ୍କ ଏଭଳି ଆହ୍ୱାନକୁ ନେଇ ହଲଚଲ । କାରଣ କିଛିଦିନ ହେଲା ବିଜେଡି ଭିତରେ ଏମିତି ଏକ ପ୍ରସଙ୍ଗକୁ ନେଇ ଲାଗିରହିଛି ରାଜନୈତିକ ଉଷ୍ମତା । ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ କିଛି ନେତା ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ଲାଚିଛି । ଓଡିଶାରେ ପଂଚାୟତ ନିର୍ବାଚନ ଓ ଅନ୍ୟାନ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ସଫଳତା, ଅନେକ ନେତାଙ୍କୁ ଏଥିପାଇଁ ପ୍ରଭାବିତ କରିଥିବା କୁହାଯାଉଛି । ଆଉ ଏହାରି ଭତିରେ ୨୦୧୯ରେ ସଫଳତା ନେଇ ଦମ୍ଭୋକ୍ତି କରିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୁଜାରୀ । କହିଛନ୍ତି ଓଡିଶାରେ ୧୯୯୭ ରାଜନୈତିକ ସ୍ଥିତିର ପୁନରାବୃତି ହେବାକୁ ଯାଉଛି ।

ଓଡିଶାରେ ଜାତୀୟ କାର୍ଯ୍ୟକାରିଣୀକୁ ନେଇ ଉତ୍ସାହିତ ରଜ୍ୟ ବିଜେପି ନେତା । ୨୦୧୯ରେ କ୍ଷମତା ଦଖଲ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କହୁଛନ୍ତି । ଆଉ ଏହାରି ଭିତରେ ସଂଗଠନକୁ ବଢାଇବା ପାଇଁ ଅନ୍ୟ ଦଳର ନେତାମାନଙ୍କୁ ବିଜେପିରେ ଯୋଗଦେବାକୁ ଆହ୍ୱାନ କରି ଏକ ବଡ ରାଜନୈତିକ ଗୋଟି ଚାଳନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।