ରାଗିଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, “ମୁଁ ମୋଦିଙ୍କ ହନୁମାନ, ଲାଙ୍ଗୁଡରେ ନିଆଁ ଲଗାଇଲେ ବହୁତ କ୍ଷତି ହେବ”

28

କନକ ବ୍ୟୁରୋ : ଧର୍ମେନ୍ଦ୍ର ହେଉଛନ୍ତି ମୋଦିଙ୍କ ହନୁମାନ । ଏକଥା ଆମେ କହୁନୁ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବାଲେଶ୍ୱରରେ ଏମ୍ସର ଏକ ଓପିଡି ସେଂଟରର ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ କ୍ଷତି ବହୁତ ହେବ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ଧର୍ମେନ୍ଦ୍ର । ଓଡିଶା ବିଜେପିର ପୋଷ୍ଟର ବୟ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ଏଭଳି ବୟାନ କିଛି ନୂଆ କଥା ନୁହେଁ । ପୂର୍ବରୁ ନିଜକୁ ଗୁଣ୍ଡୁଚିମୂଷା, ହଳିଆ ଓ ପୋଷ୍ଟ ମାଷ୍ଟରଙ୍କ ସହ ତୁଳନା କରି ଅନେକ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ହେଲେ ଏଥର କେନ୍ଦ୍ରମନ୍ତ୍ରୀ ମୋଦି ପ୍ରୀତି ଜାହିର କରିବା ପାଇଁ ଆଉପାଦେ ଆଗକୁ ଯାଇ ହନୁମାନଙ୍କ ଲଙ୍କାପୋଡି ଉପାଖ୍ୟାନର ଉଦାହରଣ ଦେଇଛନ୍ତି । ଅର୍ଥାତ ପ୍ରଧାନମନ୍ତ୍ରୀ ମୋଦି ରାମ ଓ ସେ ରାମ ଭକ୍ତ ହନୁମାନ, ଏବଂ ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ ବିଶେଷ କ୍ଷତି ହେବ ବୋଲି ଚେତାଇ ଦେଇଛନ୍ତି ।

ତେବେ ହଠାତ କାହିଁକି କେନ୍ଦ୍ରମନ୍ତ୍ରୀଙ୍କୁ ଲଙ୍କାପୋଡିର ଉପାଖ୍ୟାନ ବଖାଣିବାକୁ ପଡିଲା । କାହିଁକି ସଭା ମଝିରେ ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ । କାରଣ ଏହି ପୁରା ବୟାନ ପଛରେ ରହିଛି ଏକ ରାଜନୈତିକ ପ୍ରସଙ୍ଗ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନାଡ୍ଡାଙ୍କ ସହ ବାଲେଶ୍ୱରରେ ଏମ୍ସର ଏକ ଓପିଡି ସେଂଟରର ଭିତିପ୍ରସ୍ତର ସ୍ଥାପନ ପାଇଁ ପହଞ୍ଚିଥିଲେ । ମଞ୍ଚରେ ବିଜେଡି ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ । ଆଉ ଯେତେବେଳେ ସଭାକାର୍ଯ୍ୟ ଚାଲୁଥିଲା ସେତେବେଳେ ସ୍ଥାନୀୟ ସାଂସଦ ରବିନ୍ଦ୍ର ଜେନା ଅଭିଯୋଗ କରିଥିଲେ ଯେ, ୟୁପିଏ-୨ ସମୟରେ ବାଲେଶ୍ୱରରେ ଏକ ସୁପରସ୍ପେଶାଲିଟି ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା ହୋଇଥିଲା । ଏଥିପାଇଁ ୪ଶହ ୫୦ କୋଟିର ବ୍ୟୟ ବରାଦ ବି ହୋଇଥିଲା । ହେଲେ ଏନଡିଏ ସରକାରଙ୍କ ୪ବର୍ଷ ଶାସନ ପରେ ବି ତାହା କାର୍ଯ୍ୟକାରୀ ହୋଇପାରିନି । ଆଉ ଏଭଳି କହି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସାଂସଦ ରବୀନ୍ଦ୍ର ଜେନା ।

Dharmendra Pradhanରବୀନ୍ଦ୍ର ଜେନାଙ୍କ ଏଭଳି ଅଭିଯୋଗକୁ ସହ୍ୟ କରିପାରିଲେନି ଧର୍ମେନ୍ଦ୍ର । ଏହାକୁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଅସହଯୋଗକୁ ଦାୟୀ କରି ପାଲଟା ଆକ୍ରମଣ କରିଥିଲେ । ଯେଉଁଠୁ ଆରମ୍ଭ ହୋଇଥିଲା ପୁରା ବିବାଦ । ଆୟୁଷମାନ ଯୋଜନାରେ କାହିଁକି ଓଡିଶା ଅଂଶଗ୍ରହଣ କଲାନାହିଁ ତାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ଧର୍ମେନ୍ଦ୍ର । ଏହାରି ଭିତରେ ବିବାଦ ଏତିକି ବଢିଗଲା ଯେ, ସଭା ମଂଚରେ ସାଂସଦଙ୍କୁ ଚେତାବନୀ ଦେଇ ଧର୍ମେନ୍ଦ୍ର ହନୁମାନଙ୍କ ଲଙ୍କାପୋଡି ଉପଖ୍ୟାନକୁ ବଖାଣିଲେ । ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇବା ଫଳରେ ଯେମିତି ଭୟଙ୍କର ପରିସ୍ଥିତି ହୋଇଥିଲା, ଠିକ ସେମିତି ପରିସ୍ଥିତି ପାଇଁ ଚେତାଇ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ ତାଙ୍କ ଲାଙ୍ଗୁଡରେ ନିଆଁ ଲଗାଇଲେ ସ୍ଥିତି ଅସମ୍ଭାଳ ହେବ ।

ରାଜନୀତିରେ କେନ୍ଦ୍ରମନ୍ତ୍ରୀଙ୍କ ହନୁମାନ ଚରିତ୍ର ପଛରେ ଅସଲ ଉଦ୍ଦେଶ୍ୟ କ’ଣ? ନିଜ ଲାଙ୍ଗୁଡରେ ନିଆଁ ଲଗାଇବାର ତୁଳନାତ୍ମକ ଚିତ୍ର ପଛରେ କଣ ସନ୍ଦେଶ ରହିଛି? କେନ୍ଦ୍ରମନ୍ତ୍ରୀ ଓ ବିଜେପି ସଦସ୍ୟ ଭାବେ ମୋଦି ଭକ୍ତିର ପରିଚୟ ନା ରାଜନୀତିରେ ଲଙ୍କାପୋଡିର ଚେତାବନୀ? ଧର୍ମେନ୍ଦ୍ରଙ୍କ ଲଙ୍କାପୋଡି ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଜୋର ଧରିଛି ଚର୍ଚ୍ଚା ।