କାଳିଆ ଯୋଜନାକୁ ନେଇ ତେଜିଲା ରାଜନୀତି : ଧର୍ମେନ୍ଦ୍ର କହିଲେ ଭୋଟ ହାତେଇବାକୁ ପ୍ରୟାସ, ଅତିରିକ୍ତ ବଜେଟରେ କାହିଁକି କରାଗଲାନି ସାମିଲ

132

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି । ଆଜି ଏ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଜନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ବିଧାନସଭା ବସାଇ ସରକାର ଅତିରିକ୍ତ ବଜେଟରେ ଏହାକୁ ସାମିଲ କଲେ ନାହିଁ କାହିଁକି । ଏହି ଯୋଜନା ଦ୍ୱାରା ଦେଖାଇ ଭୋଟ ହାତେଇବାରେ ପ୍ରୟାସ କରାଯାଇଛି । ଚାଷୀଙ୍କୁ କଳାକନା ବୁଲାଇଥିବା ବନ୍ଧୁମାନେ ଏବେ କାଳିଆ ଯୋଜନାର ସାହାରା ନେଇଛନ୍ତି । ଭୋଟ ହାତେଇବାକୁ ସୁଆଙ୍ଗ କରାଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ସେ ମୁଖ୍ୟମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଛନ୍ତି ।

ସେହିଭଳି କାଳିଆ ଯୋଜନାକୁ ନେଇ ନିରଞ୍ଜନ ପଟ୍ଟନାୟକ ବି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଅଂଟିରେ ନାହିଁ ଧାନ ପୁଅ ବାହା କରିବାକୁ ମନ । କାଳିଆକୁ ଉପାସ ରଖି ତାଙ୍କ ନାଁରେ ଚାଷୀଙ୍କୁ ପ୍ରତାରଣା କରୁଛନ୍ତି ସରକାର । ଏହା ନାବାର୍ଡର ପୁରୁଣା ଯୋଜନା ଥିଲା । ଆମେ ଘୋଷଣା କରିଥିବା ଯୋଜନା ସହ ଏହା କଣ ସମକକ୍ଷ ହେବ । ୧୮ ବର୍ଷରେ ସରକାର ଅନେକ ଋଣ କରିସାରିଲଣି । ଏବେ ରବି ଓ ଖରିଫ ଉଭୟ ଚାଷ ନାହିଁ , କାଳିଆ ଯୋଜନା ଟଙ୍କା କାହା ପାଇଁ ଦେବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ପ୍ରଥମେ ବିଧାନସଭାରେ କହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ଦେବା ବନ୍ଦୋବସ୍ତ କରନ୍ତୁ । ନିର୍ବାଚନ ଥିବାରୁ ଚାଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରାଯାଉଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେପଟେ କାଳିଆ ଯୋଜନା ନେଇ ବିରୋଧୀଙ୍କ ଆକ୍ରମଣର ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ସେ କହିଛନ୍ତି, ହତାଶ ହୋଇ ବିରୋଧୀ ଏଭଳି ବିବୃତି ଦେଉଛନ୍ତିା କାଳିଆ ଯୋଜନାକୁ ବିରୋଧୀ ଭଲ ଭାବରେ ବୁଝନ୍ତୁ । ଏହି ଯୋଜନାରେ ବିଭ୍ରାନ୍ତି ଓ ଅପପ୍ରଚାର କରିବାର ସୁଯୋଗ ନାହିଁ । ଯୋଜନାକୁ ନେଇ ବିରୋଧୀଙ୍କ ମନରେ ଭୟ ରହିଛି । ଏହି ଯୋଜନାରେ ୩୬ ଲକ୍ଷ ଚାଷୀ ଉପକୃତ ହେବେ । ଛୋଟ ଓ କ୍ଷୁଦ୍ର ଚାଷୀ ସିଧାସଳଖ ସହାୟତା ପାଇବେ । ଦେଢମାସ ଭିତରେ ଏହା କାର୍ଯ୍ୟକାରୀ ହେବ । ଖରିଫ ଓ ରବି ଫସଲ ପାଇଁ ୫ ହଜାର ଲେଖାଁଏ ସହାୟତା ଦିଆଯିବ ।