ମୋଦିଙ୍କ ‘ସ୍ୱଛତା ହିଁ ସେବା’ ଆହ୍ୱାନକୁ ଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ସଫେଇ କଲେ ବରମୁଣ୍ଡା ବସଷ୍ଟାଣ୍ଡ

56

କନକ ବ୍ୟୁରୋ : ବରମୁଣ୍ଡା ବସଷ୍ଟାଣ୍ଡରେ ସଫେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରିଥିବା ‘ସ୍ୱଛତା ହିଁ ସେବା’ ଅଭିଯାନରେ ଆହ୍ୱାନକୁ ଗ୍ରହଣ କରି ଧର୍ମେନ୍ଦ୍ର ଆଜି ବସଷ୍ଟାଣ୍ଡରେ ସଫେଇ କରିଛନ୍ତି । ଅଳିଆ ସଫା କରିବା ସହ ବସଷ୍ଟାଣ୍ଡକୁ ସ୍ୱଛ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର । ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହ ଅନ୍ୟ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ସଫେଇ କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ଚିଡ଼ିି ଯାଇଥିଲେ ଧର୍ମେନ୍ଦ୍ର । ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ପରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ କଣ ଆଭିମୁଖ୍ୟ ରହିବ ବୋଲି ସାମ୍ବାଦିକ ପ୍ରଶ୍ନ କରିବାରୁ ଏଭଳି ପ୍ରଶ୍ନ କରିବା ବନ୍ଦ୍ କରନ୍ତୁ ବୋଲି କହିଥିଲେ । ଏହା ବିଜେଡ଼ିର ପ୍ରାୟୋଜିତ ପ୍ରଶ୍ନ ବୋଲି କହଥିଲେ । ଏହା ସହ ବିଜେଡ଼ିକୁ ଟାର୍ଗେଟ କରି କହିଥିଲେ ଆୟୁଷ୍ମାନ ଯୋଜନାକୁ କାହିଁକି ବିରୋଧ କରୁଛି ଦଳ ।

ତେବେ ମୋଦିଙ୍କ ଓଡିଶା ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ମୋଦିଙ୍କ ଆଭିମୁଖ୍ୟ ସ୍ପଷ୍ଟ । ଏବଂ କେନ୍ଦ୍ର ସରକାରଙ୍କର ବିକାଶ ହିଁ ପ୍ରସଙ୍ଗ ରହିବ । ତେବେ ଓଡିଶା ଗସ୍ତରେ ମୋଦି ବିଜେପି ସରକାରର ୪ ବର୍ଷର ଉପଲବ୍ଧି ବଖାଣିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଓଡିଶା ଗସ୍ତରେ ମୋଦି ଓଡିଶାବାସୀଙ୍କୁ କେନ୍ଦ୍ର ସରକାରର ୪ ବର୍ଷର ଉପଲବ୍ଧି ସମ୍ପର୍କରେ ବଖାଣିବେ । ବିଜେପି ସରକାରକୁ ଆସିବା ପରେ ହୋଇଥିବା ଯୋଜନାଗୁଡିକୁ ଓଡିଶାବାସୀଙ୍କ ଆଗରେ ଲୋକାଭିମୁଖ କରାଯିବ । ତେବେ ଯୋଜନାଗୁଡିକ ମଧ୍ୟରେ ଜାତୀୟ ରାଜପଥ, ବିମାନ ସେବା, ଏନଆରଜିଏସ୍, ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନା, ଆବାସ ଯୋଜନା, ସୌଭାଗ୍ୟ ଯୋଜନାର ଉପଲବ୍ଧିକୁ ପ୍ରାଥମିକତା ଦେବ ଭାରତୀୟ ଜନତା ପାର୍ଟି  ।