ଜୀବନ ବଂଚାଇଲେ ପୁଲିସ ବାବୁ ! ନିଜେ ରଥଚକ ତଳେ ପଡ଼ିଯାଇ ରକ୍ଷା କଲେ ଚକତଳେ ଫସିଥିବା ଲୋକଙ୍କୁ

72

କନକ ବ୍ୟୁରୋ: ଜୀବନ ବଂଚାଇଲେ ପୁଲିସ ଅଧିକାରୀ । ଗତକାଲି ଯାଜପୁରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଜାରକାରେ ରଥଟଣା କାର୍ଯ୍ୟ ଚାଲିଥିବା ବେଳେ କିଛି ଲୋକ ରଥଚକ ତଳକୁ ଚାଲିଆସିଥିଲେ । ତେବେ ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ବଂଚିଯାଇଥିଲା ଲୋକଙ୍କ ଜୀବନ ।

ଲୋକଙ୍କୁ ବଂଚାଇବାକୁ ଉମାକାନ୍ତ ନିଜେ ରଥଚକ ତଳେ ପଡ଼ିଯାଇଥିଲେ । ଶେଷକୁ ରଥକୁ ଅଟକାଇବା ପାଇଁ ତାଙ୍କ ଚେଷ୍ଟା ସଫଳ ହୋଇଥିଲା । ଏହାପରେ ରଥକୁ ସେଠାରେ ଅଟକ ରଖାଯାଇଥିଲା ଓ ଚକତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଏହାପରେ ରଥଟଣା ସ୍ୱାଭାବିକ ହୋଇଥିଲା । ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି ।

ସେପଟେ, ଶରଧାବାଲିରେ ପହଂଚିଛନ୍ତି ତିନି ଠାକୁର । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି । ଆଜି ସକାଳୁ ସକାଳୁ ବର୍ଷାରେ ଭିଜି ଭିଜି ଶରଧାବାଲିକୁ ମହାପ୍ରଭୁଙ୍କୁ ଟାଣି ଟାଣି ନେଇଛନ୍ତି ଭକ୍ତ । ଗତକାଲି ବଡଠାକୁରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ପହଁଚିଥିବାବେଳେ ଆଜି ପହଁଚିଛି କାଳିଆ ସାଆନ୍ତଙ୍କ ନନ୍ଧିଘୋଷ ।

ଆଜି ତିନି ଠାକୁର ରଥରେ ରହିବେ ଓ ରଥ ଉପରେ ଶୁଖିଲି ଭୋଗ ହେବ । ଭକ୍ତମାନେ ଚତୁର୍ଦ୍ଧା ମୂରତିକୁ ଦର୍ଶନ କରିବେ । ଶ୍ରୀବିଗ୍ରହମାନଙ୍କ ଆଡପ ମଣ୍ଡପ ବିଜେପ ଆସନ୍ତାକାଲି ଅନୁଷ୍ଠିତ ହେବ । ସେପଟେ ଦାନ ଦକ୍ଷିଣାକୁ ନେଇ ଦଇତାପତି ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି ।