ଧର୍ମଶାଳାରେ ପୁଣି ମାମୁଁ-ଭଣଜା ଲଢ଼େଇ ! ଭଣଜା ପ୍ରଣବଙ୍କୁ ସାମ୍ନା କରିବେ ମାମୁଁ ତୁଷାର, ବିଜେଡି-ବିଜେପିକୁ ଚେକ୍ ଦେବା ପାଇଁ ନୂଆ ମୁହଁକୁ ବାଛିଲା କଂଗ୍ରେସ ।

ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀରେ ମାମୁଁ ଭଣଜା ଲଢ଼େଇ ହେବ ବୋଲି ଅପେକ୍ଷାରେ ଧର୍ମଶାଳାବାସୀ ।

269

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଏବେ ଚଳଚଞ୍ଚଳ । କାରଣ ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀରେ ମାମୁଁ ଭଣଜା ଲଢ଼େଇ ହେବ ବୋଲି ଅପେକ୍ଷାରେ ଧର୍ମଶାଳାବାସୀ । ବିଜେଡି ତରଫରୁ ପୁଣି ପ୍ରାର୍ଥୀ ହୋଇଥିବା ଭଣଜା ପ୍ରଣବଙ୍କୁ ସାମ୍ନା କରିବେ ବିଜେପି ପ୍ରାର୍ଥୀ ତୁଷାର ପରିଡ଼ା । ସେହିଭଳି କଂଗ୍ରେସ ତରଫରୁ ଟିକେଟ୍ ପାଇ ପ୍ରଥମଥର ରାଜନୀତି କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ସ୍ମୃତିରେଖା ପହି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ କାହା ମୁଣ୍ଡରେ ପିନ୍ଧାହେବ ଶିରିପା ତାହାକୁ ନେଇ ଧର୍ମଶାଳା ରାଜନୀତି ଜୋର ଧରିଛି ।

ଧର୍ମଶାଳା ନିର୍ବାଚନମଣ୍ଡଳୀ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଦୁଇଥର ଜନତା ଦଳ ଏବଂ ପରେ ବିଜେଡି ଜନ୍ମ ହେବା ପରଠାରୁ ତାଙ୍କ ଗଡ଼ଭାବେ ପରିଗଣିତ ହେଉଛି । ଯାହାକି ରାଜ୍ୟ ରାଜନୀତିରେ ମଧ୍ୟ ବେଶ ପ୍ରଭାବ ବିସ୍ତାର କରିପାରିଛି । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ସବୁ ଗଣିତ ପରିବର୍ତ୍ତନ ହୋଇଯାଇଛି । ଆଉ ଆଗାମୀ ନିର୍ବାଚନରେ ବାଜିମାତ୍ କରିବାକୁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଆସନ୍ତା ୨୯ ତାରିଖ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଏହି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଆଉ ନେତା ବାଛିବେ ଧର୍ମଶାଳା ଭୋଟର । ପ୍ରଥମେ ଶାସକ ବିଜେଡିକୁ ବିଚାରକୁ ନେଲେ ଏବେ ଧର୍ମଶାଳା ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଛନ୍ତି ସ୍ୱର୍ଗତ ରାଜ୍ୟସଭା ସାଂସଦ କଳ୍ପତରୁ ବଳବନ୍ତରାୟଙ୍କ ପୁତ୍ର ପ୍ରଣବ ପ୍ରକାଶ ବଳବନ୍ତରାୟ । ଧର୍ମଶାଳା ବ୍ଲକରେ ନିଜ ଭାଇ ପ୍ରଭାତ ବଳବନ୍ତରାୟ ଓ ରସୁଲପୁର ବ୍ଲକରେ ନିଜର ଅନୁଗତ ସାରଥୀ ଜେନାଙ୍କୁ ଅଧ୍ୟକ୍ଷ ପଦରେ ବସାଇ ନିର୍ବାଚନ ମଣ୍ଡଳୀକୁ କବଜାରେ ରଖିଛନ୍ତି । ତେଣୁ ତାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ଧର୍ମଶାଳା ବିଜେଡି ଟିକେଟ୍ ପାଇଛନ୍ତି ପ୍ରଣବଙ୍କୁ ଦେଇଛନ୍ତି ସୁପ୍ରିମୋ ।

ଅନ୍ୟପଟେ ଏହି ବିଧାନସଭା କ୍ଷେତ୍ରରେ ବିଜେପି ତରଫରୁ ଅନେକ ପ୍ରାର୍ଥୀ ଆଶାୟୀ ଥିବାବେଳେ ଦଳୀୟ ସଙ୍ଗଠନ ତୁଷାର ପରିଡ଼ାଙ୍କ ହାତରେ ଧର୍ମଶାଳା ମଙ୍ଗ ଧରାଇଛି ବିଜେପି । କାରଣ କଳ୍ପତରୁଙ୍କ ଏକାନ୍ତ ଅନୁଗତ ଥାଇ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ତୁଷାର ଲଗାତାର ତିନିଥର ବିଜେପି ଟିକେଟରେ ଦୁଇଥର କଳ୍ପତରୁ ଓ ଥରେ ପ୍ରଣବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ସୋଚନୀୟ ପରାଜିତ ହୋଇଛନ୍ତି । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ତୁଷାରଙ୍କ ନେତୃତ୍ୱରେ ବିଜେପି ଧର୍ମଶାଳାରେ ଗୋଟିଏ ଜିଲ୍ଲାପରିଷଦ ଆସନ ହାତେଇଥିବାବେଳେ ଦଳକୁ ୫୫ ହଜାରରୁ ଅଧିକ ଭୋଟ୍ ମିଳିବା ତୁଷାରଙ୍କ ପାଇଁ ଟିକେଟ୍ ବାଟ ଖୋଲି ଦେଇଥିଲା । ଆଉ ଶେଷରେ ପଞ୍ଚାୟତ ନିର୍ବାଚନୀ ଫଳାଫଳ ଭରସାରେ ପୁର୍ନବାର ତୁଷାରଙ୍କୁ ବିଜେପି ଟିକେଟ୍ ଦେଇଛି ।

ସେପଟେ ଧର୍ମଶାଳାରେ ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ଏଥର କମାଲ କରିବାକୁ ଯୋଜନା କରୁଛି । ଆଉ ଜଣେ ନୂଆ ମୁହଁ ତଥା ମହିଳା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଉଭୟ ବିଜେପି-ବିଜେଡିକୁ ମାତ୍ ଦୋବକୁ ସ୍ମୃତିରେଖାଙ୍କ ଭରସିଛନ୍ତି କଂଗ୍ରେସ ହାଇକମାଣ୍ଡ । ହେଲେ ପୂର୍ବରୁ ଅଣ କଂଗ୍ରେସ ଦୁର୍ଗ କୁହାଯାଉଥିବା ଧର୍ମଶାଳାରେ ସାଙ୍ଗଠନିକ ଦୃଷ୍ଟିରୁ ବିଜେଡି ଆଗୁଆଥିବାବେଳେ ବିଜେପି ଓ କଂଗ୍ରେସର ପ୍ରାର୍ଥୀ କି କମାଲ କରିବେ ତାହାକୁ ଏବେ ଅପେକ୍ଷା ।