ଧର୍ମଶାଳା ନେଇ ଛାତି ଧଡ଼ଧଡ଼ ! ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ତିନି ଦଳ, କାହାକୁ ବାଛିବେ ଦଳୀୟ ସୁପ୍ରିମୋ ।

ଅଣକଂଗ୍ରେସ ଦୁର୍ଗ କୁହାଯାଉଥିବା ଧର୍ମଶାଳାରେ ସାଙ୍ଗଠନିକ ଦୃଷ୍ଟିରୁ ବିଜେଡି ଆଗୁଆଥିବାବେଳେ କାହାକୁ କେଉଁ ଦଳରୁ ଟିକେଟ୍ ମିଳିବ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।

147

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଏବେ ଚଳଚଞ୍ଚଳ । କିଏ ପାଇବ ଟିକେଟ୍ ? କାହା ମୁଣ୍ଡରେ ପିନ୍ଧାହେବ ଶିରିପା । ଏବେଠୁ ଆରମ୍ଭ ହେଲାଣି କସରତ । କିଏ ପଦଯାତ୍ରା କରି ଦଳୀୟ ସଫଳତା ପ୍ରଚାର କରୁଛି ତ ଆଉ କିଏ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରୀ ଦଳକୁ ଘେରିବାକୁ ଗୋଟିଚାଳନା କରୁଥିବା ଦେଖାବାକୁ ମିଳିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଣକଂଗ୍ରେସ ଦୁର୍ଗଭାବେ ଦୀର୍ଘ ୨୨ ବର୍ଷ ହେବ ରହିଥିବା ବେଳେ ରାଜ୍ୟ ରାଜନୀତିରେ ମଧ୍ୟ ବେଶ ପ୍ରଭାବ ବିସ୍ତାର କରିପାରିଥିଲା । କିନ୍ତୁ ଏହାରି ମଧ୍ୟରେ ସବୁ ଗଣିତ ପରିବର୍ତ୍ତନ ହୋଇଯାଇଛି ଆଉ ଆଗାମୀ ନିର୍ବାଚନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଉଭୟ ଶାସକ ଓ ବିରୋଧୀ ।

ସାଧାରଣ ନିର୍ବାଚନ ଆଉ ଅଳ୍ପଦିନ ବାକିଥିବାବେଳେ କାହାକୁ କେଉଁ ଦଳରୁ ଟିକେଟ ମିଳିବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି । ପ୍ରଥମେ ଶାସକ ବିଜେଡିକୁ ବିଚାରକୁ ନେଲେ ଏବେ ଧର୍ମଶାଳା ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଛନ୍ତି ସ୍ୱର୍ଗତ ରାଜ୍ୟସଭା ସାଂସଦ କଳ୍ପତରୁ ବଳବନ୍ତରାୟଙ୍କ ପୁତ୍ର ପ୍ରଣବ ପ୍ରକାଶ ବଳବନ୍ତରାୟ । ଧର୍ମଶାଳା ବ୍ଲକରେ ନିଜ ଭାଇ ପ୍ରଭାତ ବଳବନ୍ତରାୟ ଓ ରସୁଲପୁର ବ୍ଲକରେ ନିଜର ଅନୁଗତ ସାରଥୀ ଜେନାଙ୍କୁ ଅଧ୍ୟକ୍ଷ ପଦରେ ବସାଇ ନିର୍ବାଚନ ମଣ୍ଡଳୀକୁ କବଜାରେ ରଖିଛନ୍ତି ପ୍ରଣବ । ତେଣୁ ଆଗାମୀ ନିର୍ବାଚନରେ ନିଜର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ଧର୍ମଶାଳାରେ ବିଜେଡି ଟିକେଟ୍ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏକଦା ରାଜ୍ୟ ବିଜେଡି ରାଜନୀତିର ହେଭିୱେଟ୍ କଳ୍ପତରୁଙ୍କ ଦେହାନ୍ତ ପରେ ଦଳ ପ୍ରଣବଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇ ଦଳରେ ତାଙ୍କର ଗୁରୁତ୍ୱଦେଇ ପ୍ରକାଶ କରିଛି ।

ଅନ୍ୟପଟେ ପ୍ରଣବଙ୍କ ବ୍ୟତୀତ ବିଜେଡି ଟିକେଟ୍ ପାଇବାକୁ ଆଶବାଦୀ ଅଛନ୍ତି ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ନରେଶ ଚନ୍ଦ୍ର ମହାନ୍ତି । ସ୍ୱର୍ଗତ ବାଙ୍କବିହାରୀ ଦାସଙ୍କ ଠାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ନରେଶ କଳ୍ପତରୁଙ୍କ ବିଶ୍ୱାସଭାଜନ ହୋଇ ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ ଓ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇ ଦଳରେ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇଛନ୍ତି । ତେବେ ଟିକେଟ୍ ପାଇଁ ଆଶାବାଦୀ ଥିବା ଏହି ଦୁଇ ନେତା ଚତୁରତାର ନିଷ୍ପତି ଦଳର ସୁପ୍ରିମୋଙ୍କ ହାତରେ ରହିଛି । ତେବେ ତୃତୀୟ ମହଲା ସହ ସିଧାସଳଖ ସମ୍ପର୍କ ରଖୁଥିବା ଯାଜପୁର ବିଧାୟକ ବବିଙ୍କର ନରେଶଙ୍କ ପଛରେ ସମର୍ଥନ ଥିବା ଚର୍ଚ୍ଚା ହେଉଛି ।

ସେପଟେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଜେପିରୁ ଏଥର ୩ଜଣ ଟିକେଟ୍ ଆଶାୟୀ ଥିବା ବେଳେ ଦଳୀୟ ସଙ୍ଗଠନ ରମେଶ ପରିଡ଼ାଙ୍କ ହାତରେ ରହିଛି । କଳ୍ପତରୁଙ୍କ ଏକାନ୍ତ ଅନୁଗତ ଥାଇ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ରମେଶ ଲଗାତାର ତିନିଥର ବିଜେପି ଟିକେଟରେ ଦୁଇଥର କଳ୍ପତରୁ ଓ ଥରେ ପ୍ରଣବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିଛନ୍ତି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ରମେଶଙ୍କ ନେତୃତ୍ୱରେ ଧର୍ମଶାଳାରେ ବିଜେପି ଗୋଟିଏ ଜିଲ୍ଲାପରିଷଦ ଆସନ ହାତେଇଥିବାବେଳେ ଦଳକୁ ୫୫ ହଜାରରୁ ଅଧିକ ଭୋଟ୍ ମିଳିବା ରମେଶଙ୍କ ଗୁରୁତ୍ୱ ଦଳରେ ବଢ଼ାଇଦେଇଛି । ସେହିପରି ବିଜେଡି ବିପକ୍ଷରେ ଧର୍ମଶାଳା ବ୍ଲକର ସିନ୍ଦୁରିଆ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିଜ ପତ୍ନୀଙ୍କୁ ଜିତାଇଥିବା ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସବେଶ୍ୱର ବେହୁରା ମଧ୍ୟ ବିଜେପି ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ଧର୍ମଶାଳା ରାଜନୀତିରେ ସମ୍ପୂର୍ଣ୍ଣ ମୁହଁ ରାଣୀ ଅପର୍ଣାଧୀର ସିଂ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟାଥିବାରୁ ସେ ମଧ୍ୟ ନଜସ୍ୱ ଉଦ୍ୟମରେ ସାଂଗଠନିକ ଗଢ଼ି ଟିକେଟ୍ ହାତେଇବାକୁ ଚେଷ୍ଟା ଚଳାଇଛନ୍ତି ।

ବିଜେଡି ଓ ବିଜେପି ବାଦ୍ କଂଗ୍ରେସ ମଧ୍ୟ ଏଥର କମାଲ କରିବାକୁ ଯୋଜନା କରୁଛି । ବ୍ଲକ ପଦ ହାତେଇଥିବା କଂଗ୍ରେସ ନେତା କିଷାନ ପଣ୍ଡା ଏଥର ଦଳୀୟ ଟିକେଟ୍ ପାଇବା ପାଇଁ ଆଶବାଦୀ ଅଛନ୍ତି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ରାଜନୀତିରେ ସଂଜୟ ରାୟ ସମ୍ପୂର୍ଣ୍ଣ ନୂଆ ଚେହେରା ହୋଇଥିଲେ ବି ସଂଜୟ ଏବେ ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଅଛନ୍ତି । ଛାତ୍ରବସ୍ଥାରୁ କଂଗ୍ରେସର ନୀତି ଆଦର୍ଶରେ ବିଶ୍ୱାସ ରଖୁଥିବାରୁ ତାଙ୍କୁ ଏଥର କଂଗ୍ରେସ ଟିକେଟରେ ଦଳ ମଙ୍ଗଧରି ରାଜନୀତିକୁ ଓହ୍ଲାଇବେ ବୋଲି ଆଶାରଖି ସଙ୍ଗଠନ ଚଳାଇଛନ୍ତି । ଏମାନଙ୍କ ବ୍ୟତୀତ ରାଜ୍ୟ ଯୁବ କଂଗ୍ରେସର ମୁଖପାତ୍ର ମାନସ ରଞ୍ଜନ କର, ଶ୍ରୀକାନ୍ତ ସାହୁଙ୍କ ଭଳି କଂଗ୍ରେସ ଟିକେଟ ପାଇଁ ମନବଳାଇଛନ୍ତି । ତେବେ ଅଣକଂଗ୍ରେସ ଦୁର୍ଗ କୁହାଯାଉଥିବା ଧର୍ମଶାଳାରେ ସାଙ୍ଗଠନିକ ଦୃଷ୍ଟିରୁ ବିଜେଡି ଆଗୁଆଥିବାବେଳେ କାହାକୁ କେଉଁ ଦଳରୁ ଟିକେଟ୍ ମିଳିବ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।