ଧରାକୋଟରେ ରାଜ ପରମ୍ପରା : ରାଜା ବେଶରେ ରାଜକୁମାରୀ ସୁଲକ୍ଷଣା ଗୀତାଜଂଳୀ ଦେବୀ

119

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରଥା ଓ ପରମ୍ପରା । ପୁରୀ ଗଜପତି ମହାରାଜ ଶ୍ରୀଜିଉଙ୍କ ପ୍ରଥମ ସେବକ । ରାଜା ଛେରା ପହଁରା କରିବା ପରେ ହିଁ ଗଡେ ରଥ । ଠିକ ସେମିତି ଗଞ୍ଜାମ ଜିଲ୍ଲା ଧରାକୋଟରେ ରହିଛି ୮ଶହ ବର୍ଷର ରାଜକୀୟ ପରମ୍ପରା । ଆଉ ଏହି ପରମ୍ପରାକୁ ଆଗକୁ ବଢାଇ ନେଉଛନ୍ତି ରାଜ କୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ । ରାଜ କୁମାରୀଙ୍କ ରାଜା ବେଶ,ରାଜକୀୟ ପୋଷାକ ଓ ହାତରେ ତରବାରୀ । ରଥଯାତ୍ରା ଦିନ ଏଭଳି ବେଶରେ ସଜେଇ ହୋଇଛନ୍ତି ରାଜକୁମାରୀ ସୁଲକ୍ଷଣା । ପାଛୋଟି ନେବାକୁ ପ୍ରସ୍ତୁତ ପ୍ରଜା ଓ ପାରିଷଦବର୍ଗ । ପୁରା ରାଜକୀୟ ପରମ୍ପରାରେ ରାଜନଅରରୁ ବାହାରି ଆସନ୍ତି ରାଜା । ତାମଜାନରେ ବସି ପଟୁଆରରେ ବସି ବାହାରନ୍ତି ରଥ ଅଭିମୁଖେ । ଧରାକୋଟରେ କାହିଁ କେଉଁ କାଳରୁ ରହିଛି ଏଭଳି ପ୍ରଥା । ସ୍ଥାନୀୟ ଲୋକେ ବି ଏହାକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ସମସ୍ତଙ୍କ ଭିତରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ । ବାଜା ବଜାଇ ଶୋଭାଯାତ୍ରାରେ ନିଜ ପ୍ରିୟ ରାଜାଙ୍କୁ ପାଛୋଟି ନିଅନ୍ତି ତାଙ୍କ ପାରିଷଦବର୍ଗ ।

ରଥ ନିକଟରେ ତାମଜାନ ପହଂଚିବା ପରେ ରାଜା ରଥରେ ଚଢନ୍ତି । ରଥାରୁଢ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବା ପରେ ନିଜେ ରଥରେ ସବାର ହୁଅନ୍ତି ରାଜା । ପ୍ରଜା ଓ ପାରିଷଦବର୍ଗଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଅନ୍ତି ରାଜା । ସବୁଠି ରାଜା ଏଭଳି ରଥ ପରମ୍ପରାରେ ସାମିଲ ହେଉଥିବାବେଳେ ଧରାକୋଟରେ କିଛିବର୍ଷ ହେଲା ଦେଖିବାକୁ ମିଳୁଛି ଏଭଳି ବ୍ୟତିକ୍ରମ । କାରଣ ରାଜପରିବାରର ଏକମାତ୍ର ରାଜକୁମାରୀ ଏହି ପରମ୍ପରାକୁ ଆଗେଇ ନେଉଛନ୍ତି । ଗଞ୍ଜାମ ଜିଲ୍ଲାର ୧୪ଟି ଗଡଜାତ ଜମିଦାର ଅଂଚଳ ମଧ୍ୟରୁ ଧରାକୋଟ ଅନ୍ୟତମ । ସେକାଳର ରାଜରାଜୁଡା ଶାସନ ଆଉ ନାହିଁ । ହେଲେ ଏବେ ବି ଚଳିଆସୁଛି ପରମ୍ପରା । ଏହି ରାଜ ପରମ୍ପରାକୁ ବି ମାନି ଆସୁଛନ୍ତି ଧରାକୋଟ ବାସିନ୍ଦା ପୁରୀ ରଥଯାତ୍ରା ସହ ଧରାକୋଟ ରଥଯାତ୍ରାର ଅନେକ ସମାନତା ଥିଲେ ମଧ୍ୟ ଏଠାରେ ବାହୁଡା ଯାତ୍ରା ବେଳେ ଦେଖିବାକୁ ମିଳେ ସାମାନ୍ୟ ବ୍ୟତିକ୍ରମ । ଏଠାରେ ଏକାଦଶୀ ତିଥିରେ ଆୟୋଜିତ ହେଉଛି ବାହୁଡା ଯାତ୍ରା । ଅଧିକ ତଥ୍ୟ ଏହି ଭିଡିଓରେ :