କନକ ବ୍ୟୁରୋ : ବରଗଡର ଧନୁଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକିି । ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ଜୋରସୋରରେ ଚାଳିଛି ପ୍ରସ୍ତୁତି । କଂସଙ୍କ ରାଜ ଦରବାର, ରଂଗମହଲ ସହ ନନ୍ଦ ଦରବାର ଓ ବିଭିନ୍ନ ତୋରଣ ଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ଚେଷ୍ଟା ଚଳାଇଛି ଧନୁଯାତ୍ରା କମିଟି । ତୋରଣ ନିର୍ମାଣ ପାଇଁ କାରିଗର ମାନେ ଦିନ ରାତି ଏକ କରି ଦେଇଥିବା ବେଳେ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେଇଛି ବରଗଡ ପୌର ପରିଷଦ ।
Kanak News is now on WhatsApp
Join and get latest news updates delivered to you via WhatsApp
ଧନୁଯାତ୍ରା ପାଇଁ ସଜେଇ ହେଉଛି ବରଗଡ । କାଂଥ ବାଡ ସବୁଠି ଅଙ୍କା ଯାଇଛି ପୌରାଣିକ ଚିତ୍ର ।. ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୪୫ ଫୁଟ ଉଚ୍ଚତା ଏବଂ ୧୦୦ ଫୁଟ ପ୍ରସ୍ତର ରାଜ ଦରବାର ନିର୍ମାଣ ଚାଲିଛି ।ସେହିଭଳି ସ୍ଥାନୀୟ ଲୋକ ମଣ୍ଡପରେ ନିର୍ମିତ ଦରବାରର ଉଚ୍ଚତା ୫୦ ଫୁଟ ଓ ପ୍ରସ୍ତ ୮୦ ଫୁଟ ରଖାଯାଇଛି । ମହାରାଜ କଂସଙ୍କ ଦରବାରକୁ ଆକର୍ଷଣୀୟ କରିବା ପାଇଁ ଧନୁଯାତ୍ରା କମିଟି ଗୁରୁତ୍ୱ ଦେଉଛନ୍ତି । ୭୦ ତମ ବରଗଡ଼ ଧନୁଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକିଥିବା ବେଳେ ଦ୍ୱାପର ଯୁଗର କଂସଙ୍କ ଦରବାର ନିର୍ମାଣ କାମରେ ଦିନରାତି ଏକ କରିଦେଇଛନ୍ତି ୫୦ରୁ ଅଧିକ କାରିଗର ।
ବରଗଡ଼ ସହରର ୮ କିଲୋମିଟର ପରିଧି ମଧ୍ୟରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । କଂସ ଦରବାର, ରଂଗମହଲ ଓ ନନ୍ଦ ଦରବାରରେ ଧନୁଯାତ୍ରାର ଦୃଶ୍ୟ ଅଭିନୀତ ହେବ । ଏଥିପାଇଁ ବନାରସରୁ ହାତୀ, ଘୋଡା ଏବଂ ଓଟ ଅଣାଯାଇଛି । ସେହିପରି ସହରର ସଫେଇ ଅଭିଯାନ ଆରମ୍ଭ କରିଛି ବରଗଡ ପୌର ପରିଷଦ । ଯାତ୍ରା ସମୟରେ ଦର୍ଶକଙ୍କ ପାଇଁ ଅସ୍ଥାୟୀ ପାଇଖାନା, ସ୍ୱଚ୍ଛ ପାନିୟ ଜଳର ବ୍ୟବସ୍ଥା କରାଯାଉଛି । ସହରକୁ ସୁନ୍ଦର କରିବା ପାଇଁ ସହରର ପାଚେରୀରେ ଧନୁଯାତ୍ରାର ବିଭିନ୍ନ ଚିତ୍ର ଅଙ୍କା ଯାଇଛି ।
ଧନୁଯାତ୍ରା ଯେତିକି ପାଖଉଛି ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବଢି ଚାଲିଛି । ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୧ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ । ଏନେଇ ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋର ରେ ଆଗେଇ ଚାଲିଛି ।