‘ପ୍ରତିଶୋଧ ପାଇଁ ମାରି ଦେଲି’! ଭଦ୍ରକ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ଼, ବାପାମାଆଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ ବବୁଆ

59

କନକ ବ୍ୟୁରୋ: ଭଦ୍ରକ ତାଳସିଠା ଗାଁରେ ଝିଅକୁ ଦୁଷ୍କର୍ମ ସହ ବାପାମା’ଙ୍କୁ ହତ୍ୟା ମାମଲାରେ ନୂଆ ମୋଡ । ବାପା ମାଆଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ହତ୍ୟା କରିଥିବା କହିଛିି ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍ ବବୁଆ । ଅଭିଯୁକ୍ତର କହିବା ଅନୁସାରେ ସେ ଛୋଟ ପିଲା ଥିବା ବେଳେ ମୃତକଙ୍କ ପରିବାର, ବିଭିନ୍ନ କାରଣକୁ ନେଇ ତାଙ୍କ ବାପା ମାଆଙ୍କୁ ମାରପିଟ କରିଥାନ୍ତି । ସେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ଏହାପରଠାରୁ ସେ ପ୍ରତିଶୋଧ ନେବା ପାଇଁ ଚାହୁଁଥିଲା । ହେଲେ ଛୋଟ ପିଲା ଥିବାରୁ ପ୍ରତିଶୋଧ ନେଇ ନପାରିବାରୁ ମୃତକଙ୍କ ପରିବାର  ସହିତ ସଂପର୍କ ରଖିଥିଲା । ଯାହାର ସୁଯୋଗ ନେଇ ଅନେକ ସେମାନଙ୍କ ହତ୍ୟା କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛି ।

ତେବେ ହତ୍ୟାକାଣ୍ଡ ଘଟିବା ଦିନ ରବିନ୍ଦ୍ର ବେହେରାଙ୍କୁ ମଦ ପିଇବାକୁ ଦେଇଥିଲା ଅଭିଯୁକ୍ତ ବବୁଆ । ଏହାପରେ ରବିନ୍ଦ୍ର ନିଶାଶକ୍ତ ଥିବା ବେଳେ ତାଙ୍କୁ ହତ୍ୟା କରିଥିଲା । ଏହାପରେ ରବିନ୍ଦ୍ରଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସେ କହିଛି । ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ତାଙ୍କ ଝିଅକୁ ହତ୍ୟା କରିବା ଉଦେଶ୍ୟରେ ତାଙ୍କୁ ଦୁଷ୍କର୍ମ କରିଥିବା ପରୋ କ୍ଷରେ କହିଛି ଗିରଫ ଅଭିଯୁକ୍ତ । ତେବେ ଅଭିଯୁକ୍ତ ଗୋପୀନାଥ ମହାନ୍ତିକୁ ଭୁବନେଶ୍ୱରରୁ ଗିରଫ କରିଛି ପୁଲିସ୍ । ଚନ୍ଦ୍ରଶେଖରପୁରରୁ ବବୁଆକୁ ଗିରଫ କରଛି ଧାମନଗର ପୁଲିସ୍ । ସେପଟେ ୨୪ ଘଂଟା ପରେ ମିଲିିଛି ନିଖୋଜ ବାପାଂକ ମୃତଦେହ । କାଳିତିରା କେନାଲ ନିକଟରୁ ରବୀନ୍ଦ୍ର ବେହେରାଙ୍କ ମୃତଦେହ ଠାବ ହୋଇଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ରହୁଥିବା ଗୋପୀନାଥ ରବୀନ୍ଦ୍ରଙ୍କୁ ଫୋନ କରି ଏକ ଭୋଜିକୁ ଯିବା ପାଇଁ ଆମନ୍ତ୍ରଣ କରିଥିଲା। ଏ ନେଇ ରବୀନ୍ଦ୍ର ମଧ୍ୟ ଫେରିବା ବିଳମ୍ବ ହେବ ବୋଲି ଫୋନ କରି ଘରକୁ ଜଣାଇ ଦେଇଥିଲେ। ଗୋପୀନାଥ ବାରିକପୁରରେ ପହଞ୍ଚିବା ପରେ ରବୀନ୍ଦ୍ର ସହିତ ମିଶି ବାରିକପୁରର ଏକ ହୋଟେଲକୁ ଯାଇଥିଲେ ଏବଂ ସେଠାରେ ମଦ ପିଇବା ସହିତ ଖାଇଥିଲେ। ତେବେ ଟଙ୍କାପଇସା କାରବାରକୁ ନେଇ ଗୋପୀନାଥ ରବୀନ୍ଦ୍ରଙ୍କୁ ମାରି ତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନିକଟସ୍ଥ ମା କାଳିତ୍ରୀ ପୀଠ ପାଖରେ ଥିବା ଏକ କଲଭର୍ଟ ତଳେ ଲୁଚାଇ ତାଙ୍କ ଘରକୁ ଯାଇଥିଲା।ଗୋପୀନାଥ ବିଳମ୍ବିତ ରାତିରେ ରବୀନ୍ଦ୍ରଙ୍କ ବାଇକ୍ ଓ ମୋବାଇଲ ନେଇ ରବୀନ୍ଦ୍ର ଘର ତାଳସିଠାରେ ପହଞ୍ଚିଥିଲା। ଘର ଆଗରେ ଠିଆ ହୋଇ ରବୀନ୍ଦ୍ର ମୋବାଇଲ ଫୋନରୁ ଭକ୍ତିଲତାଙ୍କୁ ଫୋନ କରିବାରୁ ଭକ୍ତିଲତା କବାଟ ଖୋଲିଥିଲେ। ଗୋପୀନାଥ ତାଙ୍କ ଘର ଭିତରକୁ ପଶିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଭକ୍ତିଲତାଙ୍କ ନାବାଳିକା ଝିଅ ପହଞ୍ଚି ବିରୋଧ କରିବାରୁ ଗୋପୀନାଥ ତା’ର ହାତ ଗୋଡ଼ ବାନ୍ଧି ପକାଇବା ସହ ଶିଳପୁଆରେ ଭକ୍ତିଲତା ମୁଣ୍ଡକୁ ଛେଚି ପ୍ରାଣାନ୍ତକ ଆକ୍ରମଣ କରିଥିଲା।

ଭକ୍ତିଲତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିବାବେଳେ ସୈତାନ ପାଲଟି ଯାଇଥିବା ଗୋପୀନାଥ ହାତଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ଝିଅକୁ ଦୁଷ୍କର୍ମ କରିବା ସହ ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ଏହା ପୂର୍ବରୁ ନାବାଳିକା ଜଣକ ତାଙ୍କର ଜଣେ ପଡ଼ୋଶୀ ସମ୍ପର୍କୀୟଙ୍କୁ ଫୋନ କରି ଦେଇଥିବାରୁ ସେତିକିବେଳେ କେତେକ ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ। ଏହା ଦେଖି ଗୋପୀନାଥ ସେଠାରୁ ଖସି ପଳାଇଥିଲା। ମୁମୂର୍ଷୁ ଅବସ୍ଥାରେ ଭକ୍ତିଲତାଙ୍କୁ ଗ୍ରାମବାସୀମାନେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୂର୍ବାଞ୍ଚଳ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଭଦ୍ରକ ଏସ୍ପି ବାତୁଳ ଗଙ୍ଗାଧର, ଧାମନଗର ଏସଡିପିଓ ମନୋରଂଜନ ସାମଲ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍ ଭୁବନେଶ୍ୱର ଯାଇ ଅଭିଯୁକ୍ତ ଗୋପୀନାଥକୁ ଗିରଫ କରିଥିଲେ। ପୁଲିସ ହାତରେ ଧରା ପଡ଼ିବା ପରେ ଭକ୍ତିଲତାଙ୍କୁ ହତ୍ୟା କରିବା ପୂର୍ବରୁ ରବୀନ୍ଦ୍ରଙ୍କୁ ମଧ୍ୟ ହତ୍ୟା କରି ଶବକୁ ଗାଁ ନିକଟରେ ଲୁଚାଇ ରଖିଛି ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲା।