ଗୋଟିଏ ମଂଚରେ ନବୀନ୍ -ଧର୍ମେନ୍ଦ୍ର !

29

କନକ ବ୍ୟୁରୋ : ଧାମରା ବନ୍ଦରରେ ଏଲଏନଜି ଟର୍ମିନାଲ ଭୂମି ପୂଜନରେ ଏକାଠି ହେବେ ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ୱନ୍ଦି । ଜଣେ ହେଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ବିଜୁ ଜନତା ଦଳର ନେତା ନମ୍ବର୍ ୱାନ୍ । ଭାରତୀୟ ଜନତା ପାର୍ଟିଠାରୁ ସଂପର୍କ ଛିନ୍ନ କରିବା ପରେ ମଧ୍ୟ ବାରମ୍ବାର ଜନାଦେଶ ପାଇ ରାଜ୍ୟର ଶାସନ ମଙ୍ଗ ଧରିଆସିଛନ୍ତି । ଆଉଜଣେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ନେତା ନମ୍ବର୍ ୱାନ୍  । ପଂଚାୟତ ନିର୍ବାଚନରେ ବିଜେପିକୁ ଆଶାତୀତ ସଫଳତା ପରେ ୨୦୧୯ରେ ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରରେ ମୋଦି ସରକାରଙ୍କ ଏହି ହେଭିୱେଟ ମନ୍ତ୍ରୀ । ଓଡିଶାର ବିକାଶ ପାଇଁ ୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ହେବାକୁଥିବା ଧାମରା ଏଲଏନଜି ଟର୍ମିନାଲ ଭୂମି ପୂଜାରେ ଏକାଠି ସଭାମଂଚରେ ବସିବେ ଏହି ଦୁଇ ରାଜନୈତିକ ଶତ୍ରୁ ।

୧- ଭଦ୍ରକ ଧାମରା ବନ୍ଦରରେ ହେବ ୫ ଏମଏମଟିପିର ଏଲଏନଜି ଇମ୍ପୋର୍ଟ ଟର୍ମିନାଲ
୨- ୨ହଜାର ୫ଶହ ୩୯ କିଲୋମିଟର ପାଇପଲାଇନ ନେଟୱର୍କର ନିର୍ମାଣ ହେବ
୩- ବିଭିନ୍ନ ସହରରେ ଘରକୁ ପାଇପ ଯୋଗେ ଗ୍ୟାସ ସଂଯୋଗ କରାଯିବ
୪- ଯାନ ବାହାନ ଓ ଉଦ୍ୟୋଗକୁ ମଧ୍ୟ ଶସ୍ତା ଓ ସ୍ୱଚ୍ଛ ଇନ୍ଧନ ଯୋଗାଇ ଦିଆଯିବ
୫- ପ୍ରକଳ୍ପ ଫଳରେ ରାଜ୍ୟରେ ଅନେକ ବେରୋଜଗାରଙ୍କୁ ରୋଜଗାର ମିଳିବ

ହେଲେ ଏହି ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ରାଜନୀତି । ପ୍ରଥମେ ପାରାଦୀପରେ ହେବାକୁ ଥିବା ଏହି ଏଲଏନଜି ଟର୍ମିନାଲ ଭଦ୍ରକର ଧାମରା ବନ୍ଦରକୁ କାହିଁକି ହେଲା ସ୍ଥାନାନ୍ତରିତ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରାଦୀପ ବିଜେଡିର ହେଭିୱଟ ନେତା ତଥା ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ ।

ଗୋଟିଏ ପଟେ ସଭା ମଂଚରେ ଏକାଠି ବସିବାକୁ ଯାଉଛନ୍ତି କେହି କାହାରି ଶିରି ଦେଖିପାରୁ ନଥିବା ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳର ନେତା ନମ୍ବର୍ ୱାନ୍ । ସେପଟେ ଓଡିଶା ସମେତ ପୂର୍ବ ଭାରତକୁ ବିକାଶ ଧାରାରେ ଯୋଡିବା ପାଇଁ ହେବାକୁଥିବା ଗ୍ୟାସ ପ୍ରକଳ୍ପକୁ ନେଇ ଉଭୟ ଦଳର ନେତାଙ୍କ ବୟାନବାଜି । ତେଣୁ ଧାମରା ଗ୍ୟାସ ପ୍ରକଳ୍ପକୁ ନେଇ ରୋଚକ ହେଉଛି ରାଜ୍ୟ ରାଜନୀତି ।