ଭଦ୍ରକ ଧାମରା ବନ୍ଦରରେ ଅଘଟଣ : କୋଇଲା ଗାଡି ଧସି ୫ ଜଣଙ୍କ ମୃତ୍ୟୁ, ଜଣେ ନିଖୋଜ
କନକ ବ୍ୟୁରୋ : ଧାମରା ବନ୍ଦରରେ ଜଳିଲା ଅଶାନ୍ତି ଓ ଅସନ୍ତୋଷର ନିଆଁ । ବନ୍ଦର ପରିସରରେ ଥିବା ଏକ କୋଇଲା ଗଦାକୁ ଢାଙ୍କିବା ସମୟରେ ଏହା ଧସି ପଡିବାରୁ ଶ୍ରମିକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ବର୍ଷାରୁ ସୁରକ୍ଷା ଦେବା ପାଇଁ କୋଇଲା ଗଦାକୁ ଘୋଡାଇବା ପାଇଁ ନିୟୋଜିତ ହୋଇଥିବା ଶ୍ରମିକଙ୍କ ଉପରେ ଧସିପଡିଥିଲା କୋଇଲା । ଏହା ତଳେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହାପରେ ବନ୍ଦର ପରିସରରେ ଲଙ୍କାକାଣ୍ଡ କରିଛନ୍ତି ଉତ୍ୟକ୍ତ ଲୋକ । ଶହଶହ ଲୋକ ବନ୍ଦର ଭିତରେ ଥିବା ବିଭିନ୍ନ କମ୍ପାନିର ୫୦ରୁ ଅଧିକ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଆସବାବ ପତ୍ର ଭଙ୍ଗାରୁଜା କରିବା ସହ ଦୁଇ ଚକିଆ ଓ ଚାରିଚକିଆ ଯାନରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ବନ୍ଦର ପରିସରରେ କୋଇଲା ପରିବହନ କରୁଥିବା ଅଦାନୀ କମ୍ପାନି, ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ଉତ୍ୟକ୍ତ ଲୋକ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁତର ଶ୍ରମିକଙ୍କୁ ଭଦ୍ରକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ କୋଇଲା ଗଦାତଳେ ଆହୁରି କିଛି ଶ୍ରମିକଙ୍କ ମୃତଦେହ ଚାପି ରହିଥିବା ଅନୁମାନ କରାଯାଉଛି । ସେପଟେ ବନ୍ଦର ପରିସରରେ ଟପ୍ ପୋଲିସ ଅଫିସର ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ମୃତାହତଙ୍କୁ ହସ୍ପିଟାଲ ନେବା ସମୟରେ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବା ଅଭିଯୋଗ କରି ବନ୍ଦର ସୁରକ୍ଷାକର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ଉତ୍ୟକ୍ତ ଲୋକେ ।
ବନ୍ଦର ପରିସରରେ ଦୁର୍ଘଟଣାକୁ ନେଇ ଅଦାନୀ ବିରୋଧରେ ଅସନ୍ତୋଷ ଜାରି ରହିଥିବାବେଳେ ସ୍ପଷ୍ଟୀକରଣ ରଖିଛି କମ୍ପାନି । କମ୍ପାନି ତାର ନିୟମିତ ଓ ଠିକା ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥାଏ ଓ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇଥାଏ ବୋଲି କୁହାଯାଇଛି । ତଥାପି ଏହି ଅଘଟଣ କାହିଁକି ଘଟିଲା ତାର ଅନୁଧ୍ୟାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ହେଲେ ପ୍ରଶ୍ନ ଉଠୁଛି-
୧- ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ଏଭଳି ଅଘଟଣ ଘଟିଥାନ୍ତା କି?
୨- କୋଇଲା ଧସି ଶ୍ରମିକଙ୍କ ମୃତ୍ୟୁ ପାଇଁ ଅଦାନୀ କମ୍ପାନିକୁ ଦାୟୀ କରାଯିବ ନାହିଁ କି?
୩- ଶ୍ରମିକଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ନେଇ କମ୍ପାନି ସ୍ପଷ୍ଟ କରିବ କି?