ଛାଡୁଛି ବଢି ବଢୁଛି ଦୁର୍ଦ୍ଦଶା : ତଳେ ପାଣି ଉପରେ ମଂଚା,ଲୋକଙ୍କ ପାଇଁ ଭରସା ପାଲଟିଛି ଡଙ୍ଗା

72

କନକ ବ୍ୟୁରୋ : ବଢିଲା ନଈ ଭଦ୍ରକରେ ଲୋକଙ୍କ ନିଜ ହଜାଇ ଦେଇଛି । ଏବେ ବୈତରଣୀରେ ଜଳସ୍ତର କମୁଥିଲେ ସୁଦ୍ଧା ନଦୀ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେବେ ଆଖୁଆପଦାରେ ବର୍ତ୍ତମାନ ବିପଦ ସଂକେତ ପାଖାପାଖି ୧୭ ଦଶମିକ ୮୭ରେ ବନ୍ୟାଜଳ ପ୍ରବାହିତ ହେଉଛି । ତେବେ ଆଖୁଆପଦାରେ ନଦୀର ବିପଦ ସଂକେତ ୧୭ ଦଶମିକ ୮୩ ରହିଛି ।

ବୈତରଣୀର ବନ୍ୟାଜଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ପଶିଛି । ଫଳରେ ଶହଶହ ଲୋକ ଏବେ ପାଣି ଘେରରେ ରହିଛନ୍ତି । ଧାମନଗର ବ୍ଲକ ୫ଟି ପଂଚାୟତର ୨୭ଟି ଗାଁ ବୈତରଣୀ ବନ୍ୟାପାଣିରେ ବୁଡିକି ରହିଛି । ବୈତରଣୀ ଓ ଗେଙ୍ଗୁଟି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗାଁରେ ବନ୍ୟାପାଣି ପଶିଛି । ଲୋକେ ମଂଚା କରି ରହୁଥିବା ଦେଖିବାକୁ ମିଳିଛି । କୋରେଡା ପଂଚାୟତର ଗୋଟିଏ ଗରିବ ପରିବାର ଦୁଇ ଦିନ ହେବ ମଂଚା କରି ରହୁଛନ୍ତି । ଘରେ ପାଣି ପଶି ଯାଇଥିବା ବେଳେ ଏ ପରିବାର ଏହି ମଂଚା ଉପରେ ଦୁଇ ରାତି କାଟିଛନ୍ତି ।

ଭଣ୍ଡାରିପୋଖରୀ ବ୍ଲକର ୫ଟି ପଂଚାୟତର ୨୫ଟି ଜଳବନ୍ଦୀ ହୋଇ ରହିଛି । ପାଣି ଘେରରେ ଥିବା ଲୋକଙ୍କ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । କେବଳ ଭଣ୍ଡାରୀପୋଖରରୀ ୩ଟି ଡଙ୍ଗା ରହିଛି । ହଜାର ହଜାର ଲୋକେ ଜଳବନ୍ଦୀ ଥିବା ବେଳେ ଏବେ ବି ଏମାନଙ୍କ ପାଖର ରନ୍ଧାଖାଦ୍ୟ କି ଶୁଖିଲା ଖାଦ୍ୟ ପଂହଚିନଥିବା ଅଭିଯୋଗ ହୋଇଛି । ସେପଟେ ଆରଡିରେ ମଧ୍ୟ ବନ୍ୟା ପରିସ୍ଥିତି । ବ୍ଲକର ଓଳଙ୍ଗ, ନନ୍ଦପୁର ଓ ସୁନ୍ଦରପୁର ପଂଚାୟତର ୨୫ଟି ଗାଁ ସମ୍ପୂର୍ଣ୍ଣରୂପେ ବନ୍ୟାରେ ପ୍ରଭାବିତ ହୋଇଛି । ତେବେ ଜିଲ୍ଲାର ପାଖାପାଖି ୮୦ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।