କନକ ବ୍ୟୁରୋ : ଯାଜପୁରରେ ଅଭାବନୀୟ ଘଟଣା । ବେକାରୀ ସମସ୍ୟା ସହ ଲଢ଼ୁ ଲଢ଼ୁ ପାରାଲିସିସ ଓ କିଡ଼ନୀ ଜନିତ ରୋଗର ଶିକାର ହେଲେ ଧବଳଗିରିର ପ୍ରଦ୍ୟୁମ୍ନ ରାଉତ । ସାଙ୍ଗମାନଙ୍କ ସହଯୋଗରୁ ସେ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଏବେ ଅପେକ୍ଷା ।

ଜୀବନର ଲଢ଼େଇରେ ସାହା ହେଲେ ପିଲାଦିନର ସାଙ୍ଗ । ବିଜ୍ଞାନ ଓ ଆଇନରେ ସ୍ନାତକ ପ୍ରଦ୍ୟୁମ୍ନ ମେଧାବୀ ହୋଇଥିବା ସତ୍ୱେ ନିଜ ପାଇଁ ଚାକିରି ଖଣ୍ଡେ ଯୋଗାଡ଼ କରିପାରିନଥିଲେ । ସେପଟେ ପରିବାର ପ୍ରତିପୋଷଣର ବୋଝ ତାଙ୍କୁ ଚିନ୍ତାଗ୍ରସ୍ଥ କଲା । ପାରାଲିସିସ୍ ଓ କିଡନୀ ଜନିତ ରୋଗର ଶିକାର ହେଲେ ପ୍ରଦ୍ୟୁମ୍ନ । ଏଭଳି ଦୁର୍ଦ୍ଦିନରେ ତାଙ୍କ ପିଲାଦିନର ସାଙ୍ଗ ମାନେ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଚିକିତ୍ସା ପାଇଁ ସାହାସ୍ୟ ପାଇଁ ଆଗେଇ ଆସିଥିଲେ । ତେବେ ନିୟମିତ ଚିକିତ୍ସା ପାଇଁ ତାଙ୍କୁ ଆବଶ୍ୟକ ସରକାରୀ ସହାୟତା ।

ପ୍ରଦ୍ୟୁମ୍ନଙ୍କ ଏକମାତ୍ର ଝିଅ ଏବେ ୯ମ ଶ୍ରେଣୀରେ ପାଠ ପଢ଼ୁଛି । ସେପଟେ ନଷ୍ଟ ହୋଇଯାଇଛି ଦୁଇ ଗୋଟି କିଡନୀ । ତେବେ ପ୍ରଦ୍ୟୁମ୍ନ ସରକାରୀ ସହାୟତା ପାଇଁ ଆବେଦନ କରିବା ପରେ ତାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ମାଗଣା ଡାଏଲିସିସର ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଯେଉଁ ସମାଜରେ ଭାଇ ଭଗାରୀ ସାଜିବାର ଅନେକ କାହାଣୀ ପ୍ରତିଦିନ ସାମ୍ନାକୁ ଆସୁଛି ସେଠି ସହପାଠୀ ବଢ଼ାଇଛନ୍ତି ସହାୟତାର ହାତ । ତେବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଯଦି ସହାୟତା ମିଳିପାରନ୍ତା ତେବେ ପ୍ରଦ୍ୟୁମ୍ନଙ୍କୁ ଦୁର୍ଦ୍ଦିନରୁ ମୁକ୍ତି ମିଳନ୍ତା ବୋଲି କହିଛନ୍ତି ତାଙ୍କ ସହପାଠୀ ।