ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଡିଜିଙ୍କ ପ୍ରତିକ୍ରିୟା : କହିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ମାଷ୍ଟରମାଇଣ୍ଡ, ତଦନ୍ତ ଜାରି ରଖିଛି କ୍ରାଇମବ୍ରାଂଚ

39

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ନୂଆ ମୋଡ ଆସିଛି । ଏ ନେଇ ଆଜି ପୋଲିସ ଡିଜି ବଡ ପ୍ରତିକ୍ରିୟା ଦେଇଛନ୍ତି । ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ଡିଜିପି । ସେ ଆହୁରି କହିଛନ୍ତି , କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରୁଛି । ରାୟପୁରକୁ ଏକ ଟିମ ଯାଇଛି । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ । ଦୁଇଦିନ ହେଲା ଅଧ୍ୟାପକ ପୁଞ୍ଜିିଲାଲ ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଫେବୃୟାରୀ ୨୩ ତାରିଖରେ ପାଟଣାଗଡରେ ଏକ ଅଜଣା ଗିଫ୍ଟ ପ୍ୟାକେଟ ବିସ୍ଫୋରଣରେ ସୈାମ୍ୟ ଶେଖର ନାମକ ନବବିବାହିତ ଯୁବକ ଏବଂ ତାଙ୍କ ସମ୍ପର୍କୀୟ ଜେଜେମା’ଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଗୁରୁତର ଆହତ ହୋଇଥିଲେ ସୈାମ୍ୟ ଶେଖରଙ୍କ ପତ୍ନୀ ରିମା ସାହୁ । ଏସସିବିରେ ଚିକିତ୍ସା ପରେ ରିମା ଘରକୁ ଫେରି ଆସିଛନ୍ତି । ତେବେ ଏହି ଗିଫ୍ଟ ପ୍ୟାକେଟ କିଏ ପଠାଇଥିଲା ତାକୁ ନେଇ ତଦନ୍ତ ଚାଲିଥିଲା । ଦୁଇମାସ ଧରି ପୋଲିସକୁ କୌଣସି ସୁରାକ ମିଳିନଥିଲା । ପରେ ରାଜ୍ୟ ସରକାର ତଦନ୍ତଭାର କ୍ରାଇମବ୍ରାଂଚକୁ ଦେଇଥିଲେ । କ୍ରାଇମ ବ୍ରାଂଚ ଘଟଣାର ଖୋଳତାଡ ଆରମ୍ଭ କରିଥିଲା । ରବିବାର ଦିନ ପୁଞ୍ଜିଲାଲଙ୍କୁ ଘରୁ ଉଠାଇନେଇଥିଲା କ୍ରାଇମବ୍ରାଂଚ । ଏହି ଘଟଣାରେ କୁରିଅର ସଂସ୍ଥାର ମାଲିକ ଓ ବୟକୁ ବି ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ତେବେ ଗତକାଲି ଅଧ୍ୟାପକଙ୍କୁ ଘରୁ ବାରୁଦ ଜବତ ହେବା ଘଟଣା ପୁଲିସକୁ ବଡ ସୁରାକ ବୋଲି କୁହାଯାଉଥିଲା ।