ବଦଳିପାରନ୍ତି ରାଜ୍ୟ ପୋଲିସ ମୁଖିଆ ! କିଏ ହେବ ପରବର୍ତ୍ତୀ ପୋଲିସ ଡିଜିି, ପାୱାର କରିଡରରେ ଆରମ୍ଭ ହେଲା ଚର୍ଚ୍ଚା, ଜାଣନ୍ତୁ ରେସରେ କିଏ ?

675

କନକ ବ୍ୟୁରୋ : ଓଡିଶା ପୋଲିସରେ ଆସିପାରନ୍ତି ନୂଆ ପୋଲିସ ମହାନିର୍ଦ୍ଦେଶକ । ବଦଳିପାରନ୍ତି ରାଜ୍ୟ ପୁଲିସ ମୁଖିଆ । ବର୍ତମାନର ଡିଜିପି ଆରପି ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ମନୋନିତ ହେବା ନେଇ ଖବର ସାମ୍ନାକୁ ଆସିବା ପରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି । ତେବେ ପ୍ରଶ୍ନ ଉଠୁଛି, କିଏ ହେବେ ପରବର୍ତୀ ପୋଲିସ ମହାନିର୍ଦ୍ଦେଶକ ?

ଗୁରୁବାର ସନ୍ଧ୍ୟାରେ ଲୋକାୟୁକ୍ତ ସଦସ୍ୟ ଚୟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସୂଚନା ଅନୁସାରେ, ବର୍ତମାନର ପୁଲିସ ଡିଜି ଥିବା ଆର. ପି. ଶର୍ମାଙ୍କ ନାଁ ଲୋକାୟୁକ୍ତ ସଦସ୍ୟ ପାଇଁ ରାଜ୍ୟପାଳଙ୍କ ନିକଟକୁ ସୁପାରିଶ କରାଯାଇଛି । ଯଦିଓ ଏନେଇ ଅଧିକାରୀ ସ୍ତରରେ କିଛି ବି ସୂଚନା ଦିଆଯାଇନାହିଁ, ତଥାପି ଆସନ୍ତା ସପ୍ତାହରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର. ପି. ଶର୍ମାଙ୍କ ନାଁ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇବ ବୋଲି ଜଣାପଡିଛି ।

ଆଉ ଏଭଳି ହେଲେ ରାଜ୍ୟ ପୁଲିସ ବିଭାଗ ପାଇବ ନୂଆ ମୁଖିଆ । ହେଲେ କାହାକୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ସରକାର ବାଛିବେ, ତାଉପରେ ରହିଛି ସମସ୍ତଙ୍କ ନଜର । ସାଧାରଣ ନିର୍ବାଚନ ବେଳେ ବ୍ୟକ୍ତିଗତ କାରଣ ପାଇଁ ଯେତେବେଳେ ପୁଲିସ ଡିଜି ଛୁଟିରେ ଥିଲେ ସେତେବେଳେ କାମଚଳା ଡିଜି ଦାୟିତ୍ୱରେ ଥିଲେ ବି. କେ. ଶର୍ମା ।

ସବୁଠାରୁ ବଡ କଥା ହେଉଛି, ପୁଲିସ ଡିଜିଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଏହାରି ଭିତରେ ବଦଳିଛି । ନୂଆ ନିୟମ ଅନୁସାରେ, ଡିଜି ପାହ୍ୟାରେ ଥିବା ଅଧିକାରୀଙ୍କ ନାଁ ରାଜ୍ୟ ସରକାର ୟୁପିଏସି ନିକଟକୁ ପଠାଇବେ । ଆଉ ୟୁପିଏସସି ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ନାଁ ଚୟନ କରି ରାଜ୍ୟ ପାଖକୁ ପଠାଇବ । ଆଉ ଏହି ତିନି ଅଧିକାରୀଙ୍କ ଭିତରୁ ଜଣଙ୍କୁ ରାଜ୍ୟ ସରକାର ଡିଜିପି ଭାବେ ଦାୟିତ୍ୱ ଦେବେ । ଏହି ଆଧାରରେ ପ୍ରଥମ ଥର ପାଇଁ ରାଜ୍ୟରେ ଡିଜିପି ଚୟନ କରାଯିବ । ହେଲେ ବଡ ପ୍ରଶ୍ନ ହେଉଛି, କେଉଁ ଅଧିକାରୀ ମାନଙ୍କ ନାଁକୁ ଦିଲ୍ଲୀ ପଠାଇବେ ରାଜ୍ୟ ସରକାର । ବର୍ତମାନ ଡିଜି ପାହ୍ୟାରେ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ଅଗ୍ନିଶମ ଡିଜି ବି. କେ. ଶର୍ମା ଓ ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ ତୁଲାଉଛନ୍ତି ସୁନୀଲ ରଏ । ସେହିଭଳି କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଧିକାରୀଙ୍କ ନାଁ ବି ରାଜ୍ୟ ପଠାଇବ ୟୁପିଏସସିକୁ ।

ରାଜ୍ୟ ପାଖରୁ ଯାଇଥିବା ତାଲିକାର ବିଶଦ ବିଶ୍ଳେଷଣ କରିବା ସହ ସେମାନଙ୍କ କାର୍ଯ୍ୟଧାରା, ଭିଜିଲାନସ କେସ୍ କିଛି ଚାଲିଛି କି ନାହିଁ ଏଭଳି ତମାମ ଦିଗକୁ ଆଧାର କରି ନାଁ ରାଜ୍ୟ ନିକଟକୁ ୟୁପିଏସସି ପଠାଇବ । ହେଲେ ବଡ କଥା ହେଉଛି, ଯେଉଁ ସବୁ ଅଧିକାରୀ ମାନଙ୍କ ନାଁ ରାଜ୍ୟ ପଠାଇବ, ସେମାନଙ୍କ କାର୍ଯ୍ୟକାଳ ଯେଉଁଭଳି ୨ ବର୍ଷ ପାଖାପାଖି ଥିବ ସେନେଇ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ କମିଶନର ଥିବା ସତ୍ୟଜିତ୍ ମହାନ୍ତିଙ୍କୁ ଡିଜି ପାହ୍ୟା ଦେବାକୁ ଡିପିସି ଅନୁମତି ଦେଇସାରିଛି । ତେଣୁ ଚର୍ଚ୍ଚା ଚାଲିଛି, ବି. କେ. ଶର୍ମା, ସୁନୀଲ ରୟ କିମ୍ବା ସତ୍ୟଜିତ ମହାନ୍ତିଙ୍କ ମଧ୍ୟରୁ କେହି ପରବର୍ତୀ ପୁଲିସ ଡିଜି ହୋଇପାରନ୍ତି ।