ପାର୍ବଣ ଋତୁରେ ସାବାଡ ହେବେ ଅପରାଧୀ । ୱାରେଣ୍ଟ ଥିଲେ ଗିରଫ ହେବେ, ଆଡଭାଇଜରୀ ଜାରି କଲା ରାଜ୍ୟ ପୋଲିସ

45

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ସାବାଡ ହେବେ ଅପରାଧୀ । ଏନେଇ ଅଣ୍ଟା ଭିଡିଛି ପୋଲିସ ବିଭାଗ । ଏନେଇ ରାଜ୍ୟର ସମସ୍ତ ଏସପି ଓ ଡିସିପିଙ୍କ ଉଦ୍ଦେଶ୍ୟରେ ଆଡଭାଇଜରୀ ଜାରି କରିଛନ୍ତି ପୋଲିସ ମୁଖିଆ ଆର.ପି ଶର୍ମା । ଯେପରି ପାର୍ବଣ ଋତୁରେ କୌଣସି ପ୍ରକାର ବିଶୃଙ୍ଗଳା କିମ୍ବା ଅପରାଧ ନ ଘଟେ ସେଥିପାଇଁ ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଖାସକରି ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ କୌଣସି ସ୍ଥାନରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ବିଭାଗ । ଖାସକରି ବିଭିନ୍ନ ଶକ୍ତିପୀଠରେ ଦିଆଯାଉଥିବା ପଶୁ ବଳି ରୋକିବା ଓ ଭସାଣି ସମୟରେ ହେଉଥିବା ଶବ୍ଦ ପ୍ରଦୂଷଣ ଉପରେ ନଜର ରଖିବାକୁ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡା ଆଗାମୀ ୨୧ ତାରିଖରେ ମହରମ ପାଳନ ହେବାକୁ ଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା ଭଷାଣୀ ହୋଇପାରେ । ତେଣୁ ଏହି ସମୟ ମଧ୍ୟରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ବିଭିନ୍ନ ଜିଲ୍ଲାର ପୋଲିସ ମାନଙ୍କୁ ସର୍ତକ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଶୃଙ୍ଖଳିତ ପୂଜା ପାଇଁ କିଛି ସର୍ତକତାମୂଳକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।

Devotees rush at Rasulgarh Puja mandap in Bhubaneswar on Thursday.

– ୱାରେଣ୍ଟ ଥିବା ଅପରାଧୀ ବା ଅଭିଯୁକ୍ତଙ୍କୁ ପାର୍ବଣ ସମୟରେ ଗିରଫ କରିବାକୁ ନିର୍ଦ୍ଦେଶ । ଏଥିପାଇଁ ସ୍ପେଶାଲ ଡ୍ରାଇଭ କରିବାକୁ କୁହାଯାଇଛି ।
– ଆଗୁଆ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅସାମାଜିକ ବ୍ୟକ୍ତି, ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ
– ହାର୍ଡକୋର ଅପରାଧୀ ମାନଙ୍କୁ ଏନଏସଏରେ ବୁକ୍ କରିବାକୁ ଜିଲ୍ଲା ଏସପିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
– ମାଦକ ଦ୍ରବ୍ୟ ବିକ୍ରି କିମ୍ବା କାରବାର ବନ୍ଦ କରିବାକୁ ନିୟମିତ ଚଢାଉ କରିବାକୁ ନିର୍ଦ୍ଦେଶ
– ଭସାଣୀ ଉତ୍ସବ ପାଇଁ ଅନୁମତି ଦେବା ପୂର୍ବରୁ ଓଡିଶା ପୋଲିସ ଆକ୍ଟ ଓ ଓଡିଶା ଫାୟାର ଆଣ୍ଡ ଲାଉଡସ୍ପିକର ଆକ୍ଟ ଅନୁଯାୟୀ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଆଉ ଏହାଛଡା ଗୋଟିଏ ଦିନରେ ଯେପରି ସମସ୍ତ ଭସାଣି ଶେଷ ହେବ ତାହା ଉପରେ ଜୋର ଦିଆଯାଇଛି । ଆଉ ଏହି ସମୟରେ ପୋଲିସ ପକ୍ଷରୁ ଯେପରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ତାହା ଉପରେ ଜୋର ଦିଆଯାଇଛି ।
– ବିଭିନ୍ନ ପୂଜା କମିଟିର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଶାନ୍ତି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ଏହାର ସମାଧାନ କରିପାରିବେ
– ସବୋର୍ଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲାଉଡସ୍ପିକର ବାଜିବା ଉପରେ କଡା କଟକଣା ଜାରି କରାଯାଇଛି
– ଭସାଣି ସମୟରେ ବିଭିନ୍ନ ପାରମ୍ପରିକ କଳାକୌଶଳ ନାଁରେ ପେଯରି ଆଇନର ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ କୁହାଯାଇଛି ।
– ସୋସିଆଲ ମିଡିଆରେ ଦଙ୍ଗା ସୃଷ୍ଟିକାରୀ ମେସେଜେ ଯେପରି ଭାଇରାଲ ନ ହୁଏ ସେଥିପ୍ରତି ସର୍ତକ ରହିବାକୁ କୁହାଯାଇଛି

ଏସବୁ ବାଦ୍ ଯଦି କୌଣସି କାରଣବସତଃ ବିଶୃଙ୍ଖଳା ସୃଷ୍ଟି ହୁଏ ତେବେ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇବାକୁ କୁହାଯାଇଛି । ଯାହାଫଳରେ ଜିଲ୍ଲା ଏସପି ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବେ । ରାଜ୍ୟ ପୋଲିସର ଏଭଳି ପ୍ରୟାସକୁ ଏବେ ସବୁ ସ୍ତରରେ ପ୍ରଂଶସା କରାଯାଉଛି ।