ସାଂଘାତିକ ରୂପ ନେଉଛି ସୋସିଆଲ ମିଡ଼ିଆର ପିଲା ଚୋରି ଗୁଜବ ! ପିଲା ଚୋରି ପାଇଁ ଆଡ଼ଭାଇଜରୀ ଜାରି କଲା ପୋଲିସ

38

କନକ ବ୍ୟୁରୋ : ପିଲାଚୋର ସନ୍ଦେହରେ ପ୍ରତିଦିନ ସାମ୍ନାକୁ ଆସୁଥିବା ମରଣାନ୍ତକ ଆକ୍ରମଣ ଖବର ପୋଲିସର ନିଦ ହଜାଇ ଦେଇଛି । ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ମାତ୍ରେ ତାତି ଉଠୁଛି ଭିଡ । ଆଉ ସଫ୍ଟ ଟାର୍ଗେଟ ପାଲଟୁଛନ୍ତି ଓଡିଆ କହିପାରୁନଥିବା କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତି । ସୋସିଆଲ ମିଡିଆରେ ବ୍ୟାପି ଚାଲିଥିବା ଗୁଜବକୁ ରୋକିବା ପୋଲିସ ପକ୍ଷରେ ସମ୍ଭବ ହେଉନଥିବା ବେଳେ ଜାରି ହୋଇଛି ଆଡଭାଇଜରୀ । ପୋଲିସ ଡିଜି କହିଛନ୍ତି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦିଅନ୍ତୁ । ଆଇନକୁ ହାତକୁ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।

ଦିନକୁ ଦିନ ଉଗ୍ର ହେଉଛି ପିଲାଚୋରି ଗୁଜବ । ପୋଲିସର ବାରମ୍ବାର ଅନୁରୋଧ ସତ୍ୱେ କେବଳ ସନ୍ଦେହରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରି ଲୋକେ ଯେଭଳି ଶାସ୍ତି ଦେବା ଆରମ୍ଭ କରିଦେଉଛନ୍ତି ତାହା ଉକ୍ରଟ ରୂପ ଧାରଣ କଲାଣି । କେନ୍ଦ୍ରାପଡା ରାଜନଗରରେ ଲୋକେ ଅଜଣା ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ ମାରିଛନ୍ତି । ପ୍ରାୟ ୪ଟି ଗାଁରେ ବାହାର ରାଜ୍ୟର ଲୋକଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରାଯାଇଛି । ସେପଟେ ବାଲେଶ୍ୱର ସୋର ବ୍ଲକ ଷୋଳ ଗାଁ ଓ ବିଶାଳଦେବ ଗାଁରେ ପିଲା ଚୋର ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ । କଳାହାଣ୍ଡି କେସିଗାଂ ଥାନା ସିରୋଲ ଗାଁରେ ଜଣେ ମାନସିକ ରୋଗୀକୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରିଛନ୍ତି । ଭଦ୍ରକ ଦହ୍ୟା ଗାଁରେ ମଧ୍ୟ ଜଣେ ଅଜଣା ଯୁବକଙ୍କୁ ନିସ୍ତୁକ ପିଟିବା ପରେ ପୋଲିସ ଜିମା ଦେଇଛନ୍ତି ଲୋକେ ।

advisoryସୋସିଆଲ ମିଡିଆରେ ଘୁରି ବୁଲୁଥିବା ପିଲା ଚୋରି ଖବର ଗୁଜବ ବୋଲି କହିଛନ୍ତି ପୁଲିସ ଡିଜି । ଏନେଇ ପୁଲିସ ଏକ ଆଡଭାଇଜରି ଜାରି କରିଛି । ଯେଉଁଥିରେ କୁହାଯାଇଛି…
– ରାଜ୍ୟରେ କୌଣସି ପିଲା ଚୋରି ରାକେଟ ସକ୍ରିୟ ନାହିଁ । ଏହା ମିଥ୍ୟା ଗୁଜବ
– ଏପରି ଖବର ହ୍ୱାଟ୍ସଆପ କିମ୍ବା ଫେସବୁକରେ ପଠାଇବା ଦଣ୍ଡନୀୟ ଅପରାଧ
– ଓଡିଆ ଜାଣିନଥିବା ବାହାର ରାଜ୍ୟର ଲୋକଙ୍କୁ ପିଲାଚୋର ଭାବିବା ଠିକ ନୁହେଁ
– ଡାକ୍ତରଙ୍କ ବିନା ପରାମର୍ଶରେ ଆଖି, ଯକୃତ, ହୃତପିଣ୍ଡ କାଟିଲେ ତାହା ବ୍ୟବହାର ଉପ ଯୋଗୀ ହେଇନଥାଏ
– ଓଡିଆ ଜାଣିନଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୋଲିସକୁ ଖବର ଦେବାକୁ ପରାମର୍ଶ

ରାଜ୍ୟର ଅନେକ ଅଂଚଳରୁ ଏଭଳି ଖବର ସାମ୍ନାକୁ ଆସିବାରେ ଲାଗିଛି । ନିଜ ଗାଁରେ ଅଜଣା ବ୍ୟକ୍ତି ଦେଖିଲେ ଉତ୍ୟକ୍ତ ହୋଇପଡୁଛି ଭିଡ । ପିଲାଚୋର ସନ୍ଦେହରେ ଆକ୍ରମଣ ଘଟଣାରେ ରାୟଗଡାରେ ୧୬ ଜଣଙ୍କୁ ପୁଲିସ ଗିରଫ କରିଛି ।