ସମ୍ବଲପୁରୀ ଶାଢ଼ୀ ପିନ୍ଧି କାର୍ଯ୍ୟଭାର ନେଲେ ନିର୍ମଳା ସୀତାରମଣ ! ପଢ଼ନ୍ତୁ କେଉଁଠି ପହଞ୍ଚିଛି ଆମ ସଂସ୍କୃତି

173

କନକ ବ୍ୟୁରୋ : ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କାର୍ଯ୍ୟଭାର ଗ୍ରହଣ କରିବା ବେଳେ ପିନ୍ଧିଥିଲେ ସମ୍ବଳପୁରୀ ଶାଢ଼ୀ । ଓଡିଶାର ସମ୍ବଳପୁରୀ ପାଟ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ପିନ୍ଧିବା ଦେଖି ଅନେକ ଖୁସି ଜାହିର କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ନିର୍ମଳା ସୀତାରମଣ । ଏକଥାଟି ଯେତିକି ରୋଚକ, ତା ଠୁ ବେଶୀ ରୋଚକ ହେଉଛି ସେ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ପିନ୍ଧିଥିଲେ ସମ୍ବଲପୁରୀ ଶାଢ଼ୀ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ଭାବେ ନିର୍ମଳା ଦାୟିତ୍ୱ ନେଇଛନ୍ତି । ଯେଉଁ ସମୟରେ ତାଙ୍କ ଦେହରେ ଥିଲା କଳା ଏବଂ ହାଲୁକା ଗେରୁଆ ରଙ୍ଗର ସମ୍ବଲପୁରୀ ଶାଢ଼ୀ ।

ଶାଢ଼ୀ ଟି ବେଶ ଚିତ୍ତାକର୍ଷକ ଥିଲା । ଯେଉଁଥିରେ ସୂତାରେ ବେଶ କାମଦାମ ଦେଖିବାକୁ ମିଳିଥିଲା । ଛୋଟ ଛୋଟ କୋଠରୀରେ ସୂନ୍ଦର କାରୁକାର୍ଯ୍ୟର ଚିତ୍ର ଶାଢ଼ୀଟିକୁ ଆକର୍ଷଣୀୟ କରୁଥିଲା । କଳା ରଙ୍ଗର ମୋଟା ଶାଢ଼ୀ ଧଡିରେ ମଧ୍ୟ ଲତା ଚିତ୍ର ବେଶ ସୁନ୍ଦର ଭାବେ ସ୍ଥାନ ପାଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଶାଢ଼ୀରେ ବିଜେପିର ଗେରୁଆ ରଙ୍ଗକୁ ମଧ୍ୟ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଥିଲା ଯାହାକୁ ଅତି ସୂକ୍ଷ୍ମ ଭାବେ ଦେଖିଲେ ଜଣାପଡେ । ସ୍ୱତନ୍ତ୍ର ଭାବେ ଏହା ନିର୍ମଳାଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା । କୁହାଯାଉଛି, ନିର୍ମଳା ନିଜେ ଏହାର ବରାଦ ଦେଇଥିଲେ ।

ତେବେ ନିର୍ମଳା ପିନ୍ଧିଥିବା ସମ୍ବଲପୁରୀ ଶାଢ଼ୀଟି ଓଡିଶାର କେଉଁଠାରୁ କିଣାଯାଇଥିଲା ଯଦିଓ ଜଣାପଡିନି କିନ୍ତୁ ଏହାକୁ ଓଡିଶାର ସମ୍ବଲପୁରୀ ଶାଢ଼ୀ ବୋଲି ଦାବୀ କରାଯାଉଛି । ସୂଚନାଯୋଗ୍ୟ, ଓଡିଶାର ବରଗଡ, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଓ ବୌଦ ଭଳି ଜିଲ୍ଲାରେ ହାତ ତିଆରି ସମ୍ବଲପୁରୀ ପାଟ ମିଳିଥାଏ । ଘରେ ତନ୍ତ ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରାଯାଏ ।

ଯଦିଓ ଏହାକୁ ଅନ୍ୟ ଅଞ୍ଚଳର ବୁଣାକାରମାନେ ପ୍ରସ୍ତୁତ କରନ୍ତି ତଥାପି, ସମ୍ବଲପୁରର ପାଟର ଦେଶବିଦେଶରେ ବେଶ ଚାହିଦା ରହିଛି । ଏହାର କାରୁକାର୍ଯ୍ୟ ଦେଖିବା ପାଇଁ ଶାଢ଼ୀ କିଣୁଥିବା ଲୋକ ଘଣ୍ଟାଏ ଚାହିଁ ରହେ । ଏହାକୁ ବାନ୍ଧକଳା ମଧ୍ୟ କୁହାଯାଏ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମାଧ୍ୟମରେ ଏହି ଶାଢ଼ୀର ପ୍ରଚାର ପ୍ରସାର କରୁଛନ୍ତି ।

ତେବେ କେବଳ ନିର୍ମଳା ସୀତାରମଣ ନୁହଁନ୍ତି ଏହା ପୂର୍ବରୁ ଭାରତୀୟ ରାଷ୍ଟ୍ରଦୂତ ମୀରାଶଙ୍କରଙ୍କୁ ମଧ୍ୟ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ ଦେଖିବାକୁ ମିଳିଥିଲା । ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ଅନେକ ଥର ଦେଖିବାକୁ ମିଳିଛି ସମ୍ବଲପୁରୀ ବାନ୍ଧ ଶାଢ଼ୀରେ । ଆଉ ବଲିଉଡ ନାୟିକା ଐଶ୍ୱର୍ଯ୍ୟା ରାୟ ମଧ୍ୟ ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ସମୟରେ ସମ୍ବଲପୁରୀ ଶାଢ଼ୀକୁ ପିନ୍ଧିଥିଲେ ।

ଏବେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବଲପୁରୀ ଶାଢ଼ୀରେ ନଜର ଆସିବା ପରେ ପଶ୍ଚିମଓଡିଶା ବାସୀ ଏଥିରେ ଖୁସି ଜାହିର କରିଛନ୍ତିି । ଏହାଦ୍ୱାରା ସମ୍ବଲପୁରୀ ଶାଢ଼ୀର ଅଧିକ ଚାହିଦା ବଢ଼ିବ ବୋଲି କୁହାଯାଉଛି ।