ବିଶ୍ୱନିଅନ୍ତାଙ୍କ ଦର୍ଶନ କଲେ ପାକିସ୍ତାନୀ । ଚକା ଆଖି ଦେଖି ଭାବବିହ୍ୱଳ ହେଲେ ପାକିସ୍ତାନରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ । ସେପଟେ ପରିଚୟ ଦେଇନପାରିବାରୁ ଜଗା ଦର୍ଶନରୁ ବଂଚିତ ହେଲେ ସିକିମର ଝିଅ

48

କନକ ବ୍ୟୁରୋ: ବିଶ୍ୱନିଅନ୍ତାଙ୍କ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ । ପାକିସ୍ତାନରୁ ଆସିଥିବା ୧୨୬ ଜଣ ହିନ୍ଦୁ ଭକ୍ତଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଅନ୍ୟପକ୍ଷରେ ଧାଡି ଦର୍ଶନର ପ୍ରଥମ ଦିନରେ ହିନ୍ଦୁ ବୋଲି ପରିଚୟ ଦେଇନପାରିବାରୁ ଜଣେ ମହିଳା ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ ମିଳିପାରିନି । ପଢନ୍ତୁ ଏହି ରିପୋର୍ଟ ।

ଶ୍ରୀମନ୍ଦିର ଆଗରେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଭକ୍ତଙ୍କ ଜୟ ଜଗନ୍ନାଥ-ଜୟ ବଳଭଦ୍ର-ଜୟ ସୁଭଦ୍ରା ଭାବବିହ୍ୱଳ ନାରା ବୟାନ କରୁଥିଲା ଜଗନ୍ନାଥଙ୍କ ପ୍ରତି ସେମାନଙ୍କ ଭାବପ୍ରବଣତା । ପାକିସ୍ତାନର କରାଚି, ସିନ୍ଧ ଏବଂ ଅନ୍ୟ ପ୍ରଦେଶରୁ ଆସିଛନ୍ତି ଏହି ୧୨୬ ଜଣ ହିନ୍ଦୁ । ଉଦ୍ଦେଶ୍ୟ ସେମାନଙ୍କ ଭଗବାନଙ୍କୁ ଦର୍ଶନ କରିବେ । ଜଗନ୍ନାଥ ଧାମରେ ପାଦ ପଡିବା କ୍ଷଣି ଖୁସି କହିଲେ ନସରେ । ଏଥର ଦର୍ଶନ ହୋଇଗଲା, କିନ୍ତୁ ମନରେ ଆଶା ଯଦି ଭାରତ ସରକାର ସେମାନଙ୍କୁ ଭିସା ପ୍ରଦାନରେ ସହଯୋଗ କଲେ ପ୍ରତିବର୍ଷ ଏହିପରି ପୁରୀ ଆସି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଦର୍ଶନ କରିବେ ।

ସେପଟେ, ସିକିମରୁ ଆସିଥିବା ଜଣେ ଯୁବତୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ କାକୁତିମିନତି ହୋଇଥିଲେ । ହାତଯୋଡି ଗୁହାରି ବି କରିଥିଲେ । ମାତ୍ର ନର୍ଥଇଷ୍ଟର ଏହି ଯୂୁବତୀ ଜଣଙ୍କ ଦେଖିବାକୁ ଭିନ୍ନ ଲାଗୁଥିଲେ । ଯୁବତୀଙ୍କୁ ବିଦେଶୀ ଦର୍ଶାଇ ତାଙ୍କ ଠାରୁ ପରିଚୟପତ୍ର ଲୋଡିଥିଲେ ସୁରକ୍ଷା କର୍ମୀ । ଗାଡିରେ ପରିଚୟ ପତ୍ର ଛାଡିଆସିଛନ୍ତି ଏବଂ ସେ ହିନ୍ଦୁ ବୋଲି ବାରମ୍ବାର କହିଥିଲେ ମଧ୍ୟ ତାଙ୍କୁ ମନ୍ଦିର ଭିତରକୁ ଛଡାଯାଇନଥିଲା ।

ତେବେ ପରିଚୟପତ୍ର ବିନା ଭିତରକୁ ଛଡାଯିବନାହିଁ ଜାଣିବା ପରେ କାନ୍ଦି କାନ୍ଦି ପଳାଇଥିଲେ ଯୁବତୀ । ପତିତପାବନରେ ମୁଣ୍ଡିଆ ମାରି ଫେରିଯାଇଥିଲେ । ଆଉ କହିଥିଲେ ଆମ ରାଜ୍ୟକୁ ଆସ, ଅତିଥିଙ୍କୁ ଆମେ କେମିତି ଆତିଥ୍ୟ ଦେଉ ଦେଖିପାରିବ ।