ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ! ବିଦେଶିନୀଙ୍କ ଆଖିରୁ ଝରିଲା ଲୁହ, ଜୟ ଜଗନ୍ନାଥ ଡାକରେ ପୁରି ଉଠିଲା ବଡଦାଣ୍ଡ ।

124

କନକ ବ୍ୟୁରୋ : ମହାପ୍ରଭୁଙ୍କ ବାହୁଡା ଯାତ୍ରା ଭିତରେ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଦେଖିବାକୁ ମିଳିଥିଲା କିଛି ଅଭୁଲା ଦୃଶ୍ୟ । କିଏ ଦୁଇ ହାତ ଉଠାଇ ବ୍ରହ୍ମାଣ୍ଡକର୍ତାଙ୍କ ଆଗରେ ନିଜକୁ ସମର୍ପି ଦେଉଥିଲା ତ ଆଉ କାହାର ଆଖିରୁ ଝରିଆସୁଥିଲା ଲୁହ । ନୃତ୍ୟ, ଗୀତ ଓ ବିଭିନ୍ନ ବେଶରେ ମହାପ୍ରଭୁଙ୍କୁ ରଥ ଉପରକୁ ନିମନ୍ତ୍ରଣ କରିଥିଲେ ଶ୍ରଦ୍ଧାଳୁ । ବଡଦାଣ୍ଡରେ ଏକ ହୋଇଯାଇଥିଲେ ଭକ୍ତ ଓ ଭଗବାନ ।

ଶରଧାବାଲିରେ ମହାବାହୁଙ୍କ ଆଗରେ ହାତ ଯୋଡି କୃପା ଭିକ୍ଷା କରୁଥିଲେ ଭକ୍ତ । ବ୍ରହ୍ମାଣ୍ଡକର୍ତାଙ୍କ ଦର୍ଶନ ପାଇଁ ଆତୁର ହୋଇଉଠିଥିଲା ନୟନ । ଆଖିରୁ ଝରିଯାଉଥିଲା ଲୁହ । ନଜର, ଲାଖିଯାଇଥିଲା ନନ୍ଦିଘୋଷ ଉପରେ । ଚାତକ ପରି ଚାହିଁ ରହିଥିଲା, କେତେବେଳେ ରଥ ଉପରେ ବିରାଜିବେ କାଳିଆ ସାଆନ୍ତ ।

ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା । ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଭଗବାନ । ମହାପ୍ରଭୁଙ୍କ ପାଇଁ ନିଜକୁ ସମର୍ପି ଦେଇଛି ଭକ୍ତ । କିଏ କୃଷ୍ଣ ବେଶ ନେଇଛି ତ ଆଉ କିଏ ମହାବୀର ହନୁମାନ । ରଥ ଆଗରେ ନୃତ୍ୟ କରି ଗୀତ ଗାଇ କରିଛନ୍ତି ଆରାଧନା । ପାଗ ମେଘୁଆ ଥିଲା । ବର୍ଷା ନଥିଲା । ଶ୍ରୀକ୍ଷେତ୍ରକୁ ଛୁଟିଆସିଥିଲେ ଲକ୍ଷ ଲକ୍ଷ ଭକ୍ତ । ହାତ ଉଠାଇ ଜୟ ଜଗନ୍ନାଥ ଡାକରେ ପୁରି ଉଠୁଥିଲା ବଡଦାଣ୍ଡ । ଜନସମୁଦ୍ର ଭିତରେ ଯେତେବେଳେ ତିନି ରଥ ଗଡିଥିଲା ଭଗବାନକୁ ପାଖରେ ପାଇ ଭକ୍ତ ବିଭୋର ହୋଇଉଠିଥିଲା ।