ରୂପା ମୁକୁଟ ସାଙ୍ଗକୁ ସୁନାର ଚିତା । ଭକ୍ତ ବେଶରେ ଆସି ଭଗବାନଙ୍କୁ ଲୁଟି ଚାଲିଥିଲେ, ଶେଷରେ ଧରାଇଦେଲା ସିସିଟିଭି ।

981

କନକ ବ୍ୟୁରୋ : ଭକ୍ତ ବେଶରେ ଆସି ଭଗବାନଙ୍କୁ ଲୁଟିଲେ । ଚୋର ଆସୁଥିଲା ଭକ୍ତ ବେଶରେ ଆଉ ଭଗବାନଙ୍କୁ ଲୁଟୁଥିଲା । ହେଲେ ଧରାପଡୁନଥିଲା ଚୋର । ଶେଷରେ ସିସିଟିଭି ଧରାଇଦେଲା ଚୋରକୁ ।

ଏପରି ଅଭିନବ ଉପାୟରେ ଚୋରି ହେଉଥିଲା ରାଜଧାନୀ ଖଣ୍ଡଗିରି ,ନିକଟରେ ଥିବା ଅଭିରାମ ଆଶ୍ରମରୁ । ଦୀର୍ଘଦିନ ଧରି ଚୋରି ହେଉଥିଲା ଏହି ଆଶ୍ରମରୁ । କିଏ ଚୋରି କରୁଛି, କେମିତି ଚୋରି ହେଉଛି ତାହାର ସୁରାକ କେହି ପାଇ ପାରୁନଥିଲେ । ଗତ ୨୦ ତାରିଖ ଦିନ ପୁଣି ଥରେ ଆଶ୍ରମରୁ ଏକ ଘଣ୍ଟା ଚୋରି ହୋଇଥିଲା । ସିସିଟିଭି ଯାଞ୍ଚ ପରେ ଉକ୍ତ ବ୍ୟକ୍ତି ଜଣକ ମନ୍ଦିରକୁ ନିୟମିତ ଭାବେ ଆସୁଥିବା ଜଣାପଡିଥିଲା । ଏପରିକି ୨୧ ତାରିଖରେ ପୁଣିଥରେ କିଛି ନ ଜାଣିବା ଭଳି ଆଶ୍ରମକୁ ଆସିଥିଲେ ଉକ୍ତ ଭକ୍ତ । କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ।

ଏହି ଭକ୍ତଙ୍କୁ ଆଶ୍ରମରେ ଦେଖିବା କ୍ଷଣି ଚିହ୍ନଟ କରି ନେଇଥିଲେ ତାଙ୍କୁ ପୂର୍ବରୁ ପ୍ରସାଦ ଦେଇଥିବା ଜଣେ କର୍ମଚାରୀ । ଆଉ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ଡାକି ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନାଇ ଦେଇଥିଲେ କର୍ମଚାରୀ ଜଣକ । ଧରାପଡିବା ପରେ ଚୋରକୁ ପୋଲିସ ଜିମା ଦେଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଆଉ ଏହାପରେ ଭଣ୍ଡ ଭକ୍ତଙ୍କର ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା ।

ଧରାପଡିଥିବା ଚୋର ଜଣଙ୍କ ହେଉଛନ୍ତି, ତରୁଣ ବେହୁରିଆ । ରାଉରକେଲାର ମୂଳବାସିନ୍ଦା ହୋଇଥିବା ତରୁଣ ରାଜଧାନୀର ଖଣ୍ଡଗିରି ଅଂଚଳରେ ରହୁଥିଲେ । ପୋଲିସ ଚୋରକୁ ଗିରଫ କରି ଆଶ୍ରମ ପକ୍ଷରୁ ଦିଆଯାଇଥିବା ଏଫଆଇଆର ଆଧାରରେ ତଦନ୍ତ କରୁଛି । ପୂର୍ବରୁ ରୁପା ମୁକୁଟ, ସୁନା ଚିତା ସହ ଅନେକ ଆସବାବପତ୍ର ଚୋରି ହୋଇଛି । ଏହି ଚୋରିରେ ମଧ୍ୟ ତରୁଣ ସମ୍ପୃକ୍ତ ରହିଥିବା ଜଣାପଡିଛି । ସବୁଦିନ ଏହି ବ୍ୟକ୍ତି ଜଣଙ୍କ ଆଶ୍ରମକୁ ବୁଲିବା ବାହାନାରେ ଆସନ୍ତି । ଏଠାରେ ଦିଆଯାଉଥିବା ପ୍ରସାଦ ସେବନ କରନ୍ତି ଏବଂ ଆଶ୍ରମ କର୍ମଚାରୀଙ୍କ ସହିତ ଭଲ ଭାବରେ କଥା ମଧ୍ୟ ହୁଅନ୍ତି । ଆଉ ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମାଇ ଭଗବାନଙ୍କୁ ଏହିପରି ଲୁଟୁଥିଲା ଚୋର ।