ଶ୍ରୀମନ୍ଦିରରେ ବାହାରିଲା ବରାଦି ଅବଢା ! ପ୍ରଶାସନ ଓ ସେବାୟତଙ୍କ ଭିତରେ ବିବାଦ ଯୋଗୁ ୪ ଦିନ ହେଲା ବନ୍ଦ ଥିଲା ମହାପ୍ରସାଦ

77

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବାହାରିଲା ବରାଦି ଅବଢା । ୪ ଦିନ ପରେ ଆଜି ଭକ୍ତଙ୍କୁ ମିଳିଛି ମହାପ୍ରସାଦ । ଗତ ଚାରି ଦିନଧରି ଶ୍ରୀମନ୍ଦିରରେ ମହାପ୍ରସାଦକୁ ନେଇ ବାଦବିବାଦ ଲାଗିରହିଥିଲା । ମହାପ୍ରଭୁଙ୍କଠାରେ କେବଳ କୋଠଭୋଗ ଲାଗି ହେଉଥିବାବେଳେ ସାଧାରଣ ଭକ୍ତଙ୍କ ପାଇଁ ବରାଦି ଅବଢା ବାହାରୁନଥିଲା । ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କୁ ନିରାଶ ହେବାକୁ ପଡୁଥିଲା । ହାଇକୋର୍ଟଙ୍କ ରାୟ ପରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଅମହୁଣିଆ ପ୍ରସାଦ ନଷ୍ଟ ହୋଇଯିବା ପରେ କ୍ଷତିପୂରଣ ଦାବିରେ ଅଡିବସିଥିବା ସୁଆର-ମହାସୁଆର ନିଯୋଗ ଅପାଣାଛାଏଁ ଦାବିରୁ ଓହରି ଯାଇଛି ।

ଆସନ୍ତୁ ଜାଣିବା କିଭଳି ଆରମ୍ଭ ହୋଥିଲା ବିବାଦ ଏବଂ କ’ଣଥିଲା ପୁରା ଘଟଣାକ୍ରମ ?

– ପ୍ରଥମେ ୧୬ ତାରିଖ ସକାଳ ଧୂପ ପରେ ନୀତି ବିଳମ୍ବରୁ ନେଇ ସୁଆର ସେବାୟତ ମହାପ୍ରସାଦ ବାହାର କରିନଥିଲେ

– ଜଗମୋହନ ଦେଇ ସାଧାରଣ ଭକ୍ତଙ୍କ ଦର୍ଶନ ଫଳରେ ଠାକୁରଙ୍କୁ ବରାଦି ଅବଢା ଲାଗି କରିବାରେ ହୋଇଥିଲା ଅହେତୁକ ବିଳମ୍ବ

– ଲକ୍ଷ ଲକ୍ଷ ଟଙ୍କାର ଅବଢା ନଷ୍ଟ ହୋଇଥିବାରୁ କ୍ଷତିପୂରଣ ଦାବିରେ ରୋଷଘରେ ତାଲା ପକାଇ ଦେଇଥିଲେ

– ପରଦିନ ଅର୍ଥାତ ୧୭ ତାରିଖରେ ଅହ୍ମୁଣିଆ ପ୍ରସାଦକୁ ଶ୍ରୀମନ୍ଦିର ଉପବନରେ ପାତାଳି କରାଗଲା

– ଟନ୍ ଟନ୍ ଅହ୍ମୁଣିଆ ପ୍ରସାଦକୁ ପୋତିବା ଲାଗି ରୋଷଘର ଖାଲି କରିବାକୁ ଲାଗିଥିଲା ୪ରୁ ୫ଘଂଟା

– ଏଥିପାଇଁ ସେଦିନ ମଧ୍ୟ ନୀତିକାନ୍ତିରେ ବିଳମ୍ବ ହୋଇଥିଲା ଓ କ୍ଷତିପୂରଣ ଦାବିରେ ବାହାରିନଥିଲା ମହାପ୍ରସାଦ

– ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ ପରେ ଗୃହରେ ସଫେଇ ରଖିଥିଲେ ସରକାର
– କୁହାଗଲା ଠାକୁର ଉପବାସରେ ରହିବା ଖବର ମିଛ କାରଣ ମହାପ୍ରଭୁଙ୍କଠାରେ ଲାଗି ହେଉଛି କୋଠଭୋଗ

– ତେବେ ସେବାୟତଙ୍କ ଅସହଯୋଗ କାରଣରୁ ଭକ୍ତଙ୍କ ପାଇଁ ବାହାରି ପାରୁନି ବରାଦି ଅବଢା

– ୧୮ ତାରିଖରେ ସେବାୟତମାନେ କୋଠଭୋଗ ଆଣି ଶୀମନ୍ଦିର ସମ୍ମୁଖରେ ଭକ୍ତଙ୍କୁ ବାଂଟିଥିଲେ

– ୧୯ ତାରିଖରେ ହାଇକୋର୍ଟରେ ଶୁଣାଣିବେଳେ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରିବା ସହ ନୀତି ବିଭ୍ରାଟ ପ୍ରସଙ୍ଗରେ ଅବଗତ କରିଥିଲେ

– ଆଉ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ଅଧିକାର ନେଇ ସୁଆର ସେବାୟତ ମଧ୍ୟ କୋର୍ଟରେ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲେ