ବଡ଼ଠାକୁର ଶ୍ରୀ ବଳଦେବଙ୍କ ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ: ଧାଡି ପହଣ୍ଡିରେ ଆସୁଛନ୍ତି ହଦଳୀମୁହିଁ ଦେବୀ ସୁଭଦ୍ରା

62

କନକ ବ୍ୟୁରୋ: ଆଜି ପବିତ୍ର ବାହୁଡା ଯାତ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଆରମ୍ଭ । ଧାଡି ପହଁଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା । ଦେବଦଳନ ରଥରେ ବିଜେ କରିବେ ଦେବୀ ସୁଭଦ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି ।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଭକ୍ତଙ୍କ ଗହଳରେ ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ଭକ୍ତମାନଙ୍କୁ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଛନ୍ତି ମା ସୁଭଦ୍ରା ।

ସେପଟେ ବଡ଼ଦାଣ୍ଡରୁ ପାଣି ଛାଡ଼ିଯାଇଛି । ଶରଧାବାଲିରେ କିଛି ଜାଗାରେ ପାଣି ଜମିଥିବା ଜାଗାକୁ ବାଲି ପକାଇ ସମାନ କରାଯାଉଛି । ତେବେ ଝିପି ଝିପି ବର୍ଷା ଲାଗି ରହିଛି । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ଓ ପୁଣି ପାଣି ଜମିବା ପରି ଅବସ୍ଥା ହୁଏ, ତେବେ ପାଣି ନିସ୍କାସନ ପାଇଁ ୨୨ଟି ପମ୍ପକୁ ରଖାଯାଇଛି ।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ୟ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।