ଗଡିଲା ଦେବୀ ସୁଭଦ୍ରାଙ୍କ ରଥ : ଆଗେ ଆଗେ ବଡ ଭାଇ ବଳଭଦ୍ର, ପଛେ ପଛେ ଭଉଣୀ ସୁଭଦ୍ରା

83

କନକ ବ୍ୟୁରୋ : ଆଗେ ଆଗେ ବଡ ଭାଇ ବଳଭଦ୍ର । ପଛେ ପଛେ ଯାଉଛନ୍ତି ସୁଭଦ୍ରା ମା’ । ପରମ୍ପରା ଅନୁଯାୟୀ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ରଥ ଗଡିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡିଛି । ଶ୍ରୀ ବଳଭଦ୍ରଙ୍କ ରଥ ରାଜ ନଅର ଛୁଇଁବା ପରେ ବଡଦାଣ୍ଡରୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଲକ୍ଷାଧିକ ଭକ୍ତ ମା’ ସୁଭଦ୍ରାଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି । ଖରା, ବର୍ଷାକୁ ଖାତିର ନକରି ଭାବରେ ହଜି ଯାଇଛନ୍ତି ଭକ୍ତ ।

ଦେବୀ ସୁଭଦ୍ରାଙ୍କ ରଥ ଗଡିବା ଆରମ୍ଭ ହେବା କ୍ଷଣି ହରିବୋଲ, ହୁଳହୁଳି , ନାମ ସଂକୀର୍ତ୍ତନରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଛି । ପୂରା ବଡଦାଣ୍ଡ ଜଗନ୍ନାଥମୟ ହୋଇ ଉଠିଛି । ତିନି ଠାକୁରଙ୍କ ରଥଟଣା ସମୟରେ ବିଭିନ୍ନ ମଠ ଓ ଅନୁଷ୍ଠାନ ପକ୍ଷରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡଦାଣ୍ଡର ଉଭୟ ପାଶ୍ୱର୍ର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ କରାଯାଇଥାଏ । ତେବେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେପରି ରଥଟଣା ସମୟରେ କୌଣସି ପ୍ରକାର ଅଘଟଣ ନ ଘଟେ ତାହା ଉପରେ ଜୋର ଦେଇଛି ପୋଲିସ । ରଥ ଠାରୁ କିଛି ମିଟର ପର୍ଯ୍ୟନ୍ତ କୌଣସି ଭକ୍ତଙ୍କୁ ଛଡା ଯାଇନାହିଁ । ତେବେ ରଥଟଣା ସମୟରେ ଯେଉଁଠି ସନ୍ଧ୍ୟା ହେବ ସେହିଠାରେ ହିଁ ତିନି ରଥ ଅଟକି ରହିବ । ଆଉ ଏହାପରେ ବିଭିନ୍ନ ନୀତିକାନ୍ତି କରାଯିବ ।