ନକ୍ସଲ ଦମନ ଯୋଜନା କାର୍ଯ୍ୟାନ୍ଵୟନରେ ଓଡ଼ିଶା ବିଫଳ ! ହଜାରେ କୋଟି ବରବାଦ

57

କନକ ବ୍ୟୁରୋ: ‘ସମନ୍ଵିତ କାର୍ଯ୍ୟାନ୍ଵୟନ ଯୋଜନା’ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲା ବାର୍ଷିକ ୩୦ କୋଟି ଟଙ୍କା ପାଇବା ପାଇଁ ହକଦାର । ଉଗ୍ରବାଦ/ନକ୍ସଲ ଦମନ ପାଇଁ କେନ୍ଦ୍ର ସରକାର ଏଭଳି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ । ସର୍ତ୍ତ ରଖାଯାଇଥିଲା, ଅତିକମରେ ୬୦ ପ୍ରତିଶତ ପାଣ୍ଠି ବିନିଯୋଗ ପ୍ରମାଣ ପତ୍ର ଦେଲେ ସଂପୃକ୍ତ ଜିଲ୍ଲାକୁ ପରବର୍ତ୍ତୀ ଅନୁଦାନ ପ୍ରଦାନ କରାଯିବ । ମାତ୍ର ଦୁର୍ଭାଗ୍ୟଜନକ ଘଟଣା ହେଉଛି, ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏ ସର୍ତ୍ତ ପୂରଣ କରିପାରିଲେ ନାହିଁ । ପରିଣାମ ହେଲା, ଶହେ କି ଦୁଇଶହ ନୁହେଁ, ଓଡ଼ିଶା ୪୯୭ କୋଟି ୪୩ ଲକ୍ଷ ହରାଇଲା । ଏହାଠାରୁ ଆହୁରି ସାଂଘାତିକ କଥା ହେଲା, କେନ୍ଦ୍ର ଅର୍ଥ ନ ଦେବା କାରଣରୁ ଯେଉଁ ସବୁ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିଥିଲା, ତାହାକୁ ସମ୍ପୂର୍ଣ୍ଣ କରିବା ଲାଗି ରାଜ୍ୟ ସରକାର ନିଜ ତହବିଲରୁ ଆହୁରି ୩୯୩ କୋଟି ୭ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଲେ ।

ଉଗ୍ରବାଦ ଦମନ ଲାଗି ରାଜ୍ୟ ସରକାରଙ୍କ ସଂକଳ୍ପ ପଛର ବାସ୍ତବତା ଏବେ ଏମିତି ଢଙ୍ଗରେ ପଦାକୁ ଆସିଛି। ବିଧାନସଭାରେ ସିଏଜି ଉପସ୍ଥାପନ କରିଥିବା ରିପୋର୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଥିବା ଗୃହ ବିଭାଗର ଦକ୍ଷତାର ପର୍ଦାଫାସ୍ କରିଛନ୍ତି। କେବଳ ସେତିକି ନୁହେଁ, ଏହି ଅଡିଟ୍ ରିପୋର୍ଟ ଆହୁରି ସୂଚାଉଛି ଯେ ଗୋଟିଏ ପଟେ ନିରାପତ୍ତା ସଂପର୍କିତ ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଥିବା ବେଳେ ପରିତ୍ୟକ୍ତ ପ୍ରକଳ୍ପରେ କୋଟି କୋଟି ଟଙ୍କା ଅପବ୍ୟୟ କରିବାକୁ ପଛାଇ ନାହାନ୍ତି। ଏମିତି ଅନେକ କିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଥିବା ପୂର୍ତ୍ତ ଓ ଜଳସେଚନ ବିଭାଗର ପାରିବା ପଣିଆ ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ବେଳେ ସିଏଜିଙ୍କ ଏଭଳି ରିପୋର୍ଟ ଗୃହ ବିଭାଗ ଦକ୍ଷତାକୁ ମଧ୍ୟ ଚର୍ଚ୍ଚାକୁ ଆଣିଛି।

ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଆଇଏପିରେ ୨୦୧୩-୧୪ ଓ ୨୦୧୪-୧୫ ବର୍ଷରେ ରାଜ୍ୟର ନକ୍ସଲ ଉପଦ୍ରୁତ ୧୮ଟି ଜିଲ୍ଲାକୁ ୧୦୮୦ କୋଟି ଟଙ୍କାର ଅନୁଦାନ ମିଳିବା କଥା । ମାତ୍ର ଏହାର ପାଖାପାଖି ଅଧା ଅର୍ଥାତ୍ ୫୮୨ କୋଟି ୫୭ଲକ୍ଷ ଟଙ୍କା ପାଇଥିଲା ରାଜ୍ୟ । କେନ୍ଦ୍ରୀୟ ସହାୟତା ପାଇଁ ରାଜ୍ୟ ସରକାର ଚିତ୍କାର କରୁଥିବା ବେଳେ ଏତେ ପରିମାଣର ଅନୁଦାନ ହରାଇବା ଘଟଣା କିନ୍ତୁ ଗୃହ ବିଭାଗକୁ ବିଚଳିତ କରିନି । କାରଣ ଗୃହ ବିଭାଗ ଅଡିଟ୍ ଟିମକୁ ଦର୍ଶାଇଥିଲେ ଯେ, ରାଜ୍ୟ ସରକାର ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିଲେ ହେଁ ଭାରତ ସରକାର ପାଣ୍ଠି ପ୍ରଦାନ କରିନଥିଲେ । ମାତ୍ର ଅଡିଟ୍ ଯାଞ୍ଚ ବେଳେ ଅଧିକାରୀମାନେ ଜାଣିପାରିଥିଲେ ଯେ ଗୃହ ବିଭାଗ ଅସତ୍ୟ କହିଛି । ବାସ୍ତବରେ ନମୁନା ଯାଞ୍ଚ କରିଥିବା କୌଣସି ଜିଲ୍ଲା କେନ୍ଦ୍ର ସରକାରଙ୍କ ସର୍ତ୍ତ ପୂରଣ କରିପାରିନଥିଲେ ।

ସେହିଭଳି ୩୪ଟି ବାମପନ୍ଥୀ ଉପଦ୍ରୁତ ଜିଲ୍ଲାରେ ଯୁବକମାନଙ୍କର ଦକ୍ଷତା ବିକାଶ ତାଲିମ ପାଇଁ ୮ କୋଟି ୩୫ ଟଙ୍କା ମିଳିବା କଥା । ମାତ୍ର ପ୍ରଥମ କିସ୍ତିର ୧ କୋଟି ୪୮ଲକ୍ଷ ଟଙ୍କା ଖର୍ଚ୍ଚ ନ କରିପାରିବା କାରଣରୁ ରାଜ୍ୟ ସରକାର ଅବଶିଷ୍ଟ ୬ କୋଟି ୮୭ ଟଙ୍କା ଲକ୍ଷ ଟଙ୍କା ଦେଇନଥିଲେ । ଅର୍ଥାତ୍ ଏହି ଦୁଇଟି କାର୍ଯ୍ୟକ୍ରମରେ ହିଁ ରାଜ୍ୟ ସରକାର ୫୦୪ କୋଟି ୩୦ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ହରାଇଛନ୍ତି । ଏଭଳି ବିଫଳତା ପାଇଁ କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କିମ୍ବା ଗୃହ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ କାହାକୁ ଉତ୍ତରଦାୟୀ କରିନାହାନ୍ତି ।

ଗୃହ ବିଭାଗର ପାରଦର୍ଶିତା ନମୁନା ଏତିକିରେ ଶେଷ ହୋଇନାହିଁ । ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୧ରୁ ୨୦୧୬ ମଧ୍ୟରେ ରାଜ୍ୟ ସରକାର ୩୩୩ କୋଟି ୪ ଲକ୍ଷ ଟଙ୍କା ନିରାପତ୍ତା ସମ୍ବନ୍ଧରେ ଖର୍ଚ୍ଚ (ଏସଆରଇ)କରିଥିଲେ । ହେଲେ ୨୦୧୫-୧୬ରେ ଏହି ଅର୍ଥ ପ୍ରତିପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିନଥିଲା ଗୃହ ବିଭାଗ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳକୁ ପରିବହନ ସହାୟତା ଯୋଗାଇବା ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିବା, ଅତିରିକ୍ତ ନିରାପତ୍ତା ଘାଟିର ସୁରକ୍ଷାକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା କାରଣରୁ ଦସ୍ତାବିଜ ଉପସ୍ଥାପନ ହୋଇପାରିନଥିଲା । ବିନା ଅନୁମୋଦନରେ ଗୋଳାବାରୁଦ କିଣାଯିବା, ହେଲିକପ୍ଟର ଭଡ଼ା ନେବା କାରଣରୁ ଓଡ଼ିଶାକୁ କେନ୍ଦ୍ର ୮୧କୋଟି ୯୦ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲା ।

ପୁଲିସ ଥାନା ଦୁର୍ଗୀକରଣରେ ମଧ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଛି । ସିଏଜି ଦର୍ଶାଇଛନ୍ତି ଯେ, ୨୦୧୦-୧୧ରେ କେନ୍ଦ୍ର ସରକାର ୭୦ଟି ଥାନାର ଦୁର୍ଗୀକରଣ ବାବଦରେ ୧୪୦ କୋଟି ଟଙ୍କା ମଞ୍ଜୁର କରିଥିଲେ । ଏଥିରେ କେନ୍ଦ୍ର ସରକାର ୧୧୨ କୋଟି ଓ ରାଜ୍ୟ ସରକାର ୨୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଗୃହ ବିଭାଗ ଏମିତି ତତ୍ପରତା ଦେଖାଇଥିଲା ଯେ ୨୦୧୬ ମାର୍ଚ୍ଚ ଯାଏ ମାତ୍ର ୫୬ଟି ଥାନାର ଦୁର୍ଗୀକରଣ ସମ୍ଭବ ହୋଇଥିଲା । କାର୍ଯ୍ୟ ବିଳମ୍ବ ପାଇଁ ପ୍ରକଳ୍ପରେ ଅଧିକ ଖର୍ଚ୍ଚ ତ ହୋଇଥିଲା, ଅଡିଟ୍ ଟିମ୍ ଯାଞ୍ଚ ବେଳେ ଦେଖିଥିଲେ ଯେ କେଉଁଠି ଆସବାବ ଯୋଗାଇ ଦିଆଯାଇନାହିଁ ତ ଆଉ କେଉଁଠି ଥାନାଧିକାରୀମାନେ ଦଖଲକୁ ନେଇନାହାନ୍ତି ।

କୌତୂହଳର କଥା ହେଲା, ୨୦୧୦ରେ ମଞ୍ଜୁରି ହୋଇଥିଲା ଯେ, ପ୍ରତ୍ୟେକ ଥାନାରେ ୧୮ଲକ୍ଷ ୩୫ ହଜାର (୨କୋଟି ମଧ୍ୟରେ) ଟଙ୍କା ବିନିମୟରେ ମେଟାଲ ଡିଟେକ୍ଟର, ରାତ୍ରି ଦୂରବୀକ୍ଷଣ ଯନ୍ତ୍ର, କ୍ଲୋଜ୍ ସର୍କିଟ୍ ଟିଭି, ପାୱାର କଟର୍ ଆଦି ଯୋଗାଣ ହେବ । କିନ୍ତୁ ୩୮ଟି ନମୁନା ଯାଞ୍ଚ ବେଳେ ଅଡିଟ୍ ଟିମ୍ ଦେଖିଥିଲେ ଯେ ଏସବୁ ଯୋଗାଣ ବ୍ୟବସ୍ଥା ହୋଇନଥିଲା । ଆଉ ୧୫ଟି ଥାନାରେ ସୁରକ୍ଷା ଉପକରଣ ବି ଉପଲବ୍ଧ ନଥିଲା । ମାଲକାନଗିରି ପୁଲିସ ଥାନାରେ ଖଟ ଅଭାବରୁ ସୁରକ୍ଷା ବଳ ଚଟାଣରେ ଶୋଇଥିଲେ । ପ୍ରତ୍ୟେକ ଥାନାରେ ୪୦ ଜଣ ପୁଲିସ ନିଯୁକ୍ତି ପାଇଁ ସରକାର ୨୦୧୦ ଜୁଲାଇରେ ପ୍ରତିଶ୍ରୁତି ଦେଇଥିଲେ ହେଁ ଯାଞ୍ଚ ହୋଇଥିବା ୧୫ଟି ଥାନାରୁ ୧୪ଟି ଥାନାରେ ୧୩ରୁ ୨୩ ଜଣ ଯାଏ ସୁରକ୍ଷା କର୍ମୀ ଥିଲେ ।