ପାଠ ପଢିବାକୁ ପ୍ରବଳ ଇଚ୍ଛା ହେଲେ ପାଖରେ ନାହିଁ ପଇସା…ତଥାପି ହାର ମାନିନି ନମିତା…ପଢିବା ପାଇଁ କରୁଛି ଦାରିଦ୍ର୍ୟ ସହ ସଂଘର୍ଷ

823

କନକ ବ୍ୟୁରୋ: ଅଥ ର୍ଅଭାବରୁ ଅଧାରୁ ପାଠ ଛାଡିଥିଲେ । କିନ୍ତୁ ପଢିବା ପ୍ରତି ରହିଥିବା ପ୍ରବଳ ଆଗ୍ରହ ଯୋଗୁଁ ବହି, ଖାତା କଲମଠାରୁ ଦୂରେଇ ରହିପାରିଲେ ନାହିଁ । ପଢିବାର ମୋହ ତାଙ୍କୁ ଏବେ ଶିକ୍ଷୟିତ୍ରୀରେ ପରିଣତ କରିଛି । ଏଥିପାଇଁ ଯାହା ପାରଶ୍ରମିକ ମିଳୁଛି ତାହାକୁ ସଂଚୟ କରୁଛନ୍ତି ଆହୁରୀ ପଢିବା ପାଇଁ । ଆଗକୁ ପାଠ ପଢିବେ ଏବଂ ନିଜ ଗୋଡରେ ଠିଆ ହେବାକୁ ଦୃଢ ସଂକଳ୍ପ ମଧ୍ୟ ନେଇଛନ୍ତି ଆଦିବାସୀ ଝିଅ ନମିତା । ତେବେ ମାଲକାନଗିରି ଜିଲ୍ଲାର ଏହି ଆଦିବାସୀ ଝିଅର ପଢିବା ପାଇଁ ଏମିତି ନିଷ୍ଠା ଅଧାରୁ ପାଠ ଛାଡିଥିବା ଅନ୍ୟ ଝିଅଙ୍କୁ ପ୍ରେରଣା ଯୋଗାଇବା ସହ ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଉତ୍ସାହ ସୃଷ୍ଟି କରିଛି ।

ମାଲକାନଗିରି ଉଡୁପା ପଂଚାୟତର ସୀମାନ୍ତ ଗାଁରେ ତୋଙ୍ଗପାଲ୍ଲୀ ଏକ ଛୋଟିଆ ଗାଁଟିଏ । ଅଧିକାଂଶ ଆଦିବାସୀ ପରିବାର ଏଠାରେ ବସବାସ କରନ୍ତି । ଗାଁର ଝିଅ ନମିତା ମାଡକାମୀ ବହୁ କଷ୍ଟରେ ମାଟ୍ରିକ୍ ପର୍ଯ୍ୟନ୍ତ ପଢିଲା । ଏହାପରେ ପଢିବା ପାଇଁ ଆଗ୍ରହ ଦେଖାଇବାରୁ ପରିବାର ଲୋକେ ନମିତାଙ୍କୁ ଏମଭି-୭୯ କଲେଜରେ ନାମ ଲେଖାଇଥିଲେ । ଗାଁଠାରୁ ଦୂରରେ କଲେଜ ରହିଥିବାରୁ ନମିତାଙ୍କୁ ହଷ୍ଟେଲରେ ରହିବାକୁ ପଡିଥିଲା । ଆଉ ହଷ୍ଟେଲରେ ରହିବା ପରଠୁ ହିଁ ଆରମ୍ଭ ହୋଇଯାଇଥିଲା ନମିତାଙ୍କ ସମସ୍ୟା । କାହିଁକି ନା ନମିତାଙ୍କ ବାପା ଜଣେ ନାମମାତ୍ର ଚାଷୀ । ଅଳ୍ପ କିଛି ଜମିରେ ଚାଷ କଲେ ତାଙ୍କ ପୂରା ପରିବାର ମୁହଁରେ ଦାନା ଯାଏ । ଏମିତିରେ ଝିଅର ହଷ୍ଟେଲ ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା ତେଣୁ ବାଧ୍ୟ ହୋଇ ନମିତାଙ୍କୁ ଅଧାରୁ ପାଠ ଛାଡି ଘରକୁ ଫେରିବାକୁ ପଡିଥିଲା । ତଥାପି ବିଚଳିତ ତଥା ଧୈର୍ଯ୍ୟହରା ହୋଇନଥିଲେ ଏହି ଆଦିବାସୀ ଝିଅଟି । ନିଜେ ରୋଜଗାର କରିବେ ଏବଂ ଆଗକୁ ପଢିବେ ବୋଲି ମନରେ ନେଇଥିଲେ ଦୃଢ ନିଷ୍ପତି । ଆଉ ନମିତାଙ୍କର ଏଭଳି ପ୍ରତିଭା ଏବଂ ଆଗ୍ରହ ଦେଖି ସେହି ଗାଁରେ ରହିଥିବା ସ୍କୁଲରେ ପିଲାଙ୍କୁ ପଢାଇବା ପାଇଁ କୁହାଯାଇଛି । ଏଥିପାଇଁ ନମିତାଙ୍କୁ ପାରଶ୍ରମିକ ବାବଦକୁ ମାସିକ ହଜାରେ ଟଙ୍କା ଲେଖାଏଁ ମଧ୍ୟ ମିଳିଲା । ଏହା ପରେ ଏବେ ବଦଳି ଯାଇଛି ନମିତାଙ୍କ ଦୁନିଆ ।

ପ୍ରତିଦିନ ସ୍କୁଲ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପହଂଚି ଯାଆନ୍ତି ନମିତା । ଏପରିକି ଯଦି କୌଣସି ପିଲା ସ୍କୁଲକୁ ନଆସୁଛି ତେବେ ପିଲାଙ୍କୁ ଘରୁ ଡାକି ଆଣି ସ୍କୁଲରେ ବସାଉଛନ୍ତି ଏବଂ ଜଣେ ଅଭିଜ୍ଞ ଶିକ୍ଷକଙ୍କ ଭଳି ପିଲାଙ୍କୁ ପାଠ ମଧ୍ୟ ପଢାଉଛନ୍ତି ନମିତା । ଖାଲି ଏତିକି ନୁହେଁ ପିଲାଙ୍କୁ କିପରି ଶ୍ରେଣୀ କକ୍ଷରେ ବସିବା, ପାଠ ପଢିବା , ଏଥିସହ ଘରେ ମଧ୍ୟ ପାଠ ପଢିବା ସଂପର୍କରେ ବୁଝାଉଛନ୍ତି । ଉଚ୍ଚ ଆକାଂକ୍ଷା ନେଇ ପିଲାଙ୍କୁ ପଢାଉଛନ୍ତି ନମିତା । ତେବେ ବଡ କଥା ହେଲା, ନମିତାଙ୍କ ଭଳି ବହୁ ଆଦିବାସୀ ଛାତ୍ରଛାତ୍ରୀ ମାଲକାନଗିରିରେ ଅର୍ଥ ଅଭାବରୁ ଅଧାରୁ ପାଠ ଛାଡୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ ନମିତା ଓ ତାଙ୍କ ପରିବାରର ଚିନ୍ତାଧାରା ପୂରାପୂରି ଭିନ୍ନ । ଯଦି ପ୍ରଶାସନ ତରଫରୁ ଏଭଳି ପିଲାଙ୍କୁ ଠାବକରାଯାଇ ସେମାନଙ୍କ ପାଠପଢା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇପାରନ୍ତା ତେବେ ବହୁ ପିଲା ନିଜର ଭବିଷ୍ୟତ ଗଢିପାରନ୍ତେ ବୋଲି ଆଶା କରାଯାଉଛି ।