ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ ତିଆରି କରନ୍ତୁ, ଲକ୍ଷେ ଟଙ୍କା ପୁରସ୍କାର ପାଆନ୍ତୁ । ଜାଣନ୍ତୁ କିଭଳି କରିବେ ଆବେଦନ ।

51

କନକ ବ୍ୟୁରୋ : ବଦଳିବ ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଏହି ସୂଚନା ଦେଇଛନ୍ତି । ତେବେ ବଡ କଥା ହେଉଛି, ଲୋଗୋର ଡିଜାଇନ କୈାଣସି ଅନୁଷ୍ଠାନ ବା କୌଣସି ବ୍ୟକ୍ତିବିଶେଷକୁ ଦେବା ପରିବର୍ତ୍ତେ ଏହାକୁ ପାଥେୟ କରି ଲୋକଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଅନ୍ୱେଷଣ କରିବାର ଏକ ଅଭିନବ ଉଦ୍ୟମ ଆରମ୍ଭ କରାଯାଇଛି ।

ଓଡିଶା ପର୍ଯ୍ୟଟନ ବିଭାଗର ନୂଅ ଲୋଗୋ ପାଇଁ ପାଇଁ ଲୋକଙ୍କ ଠାରୁ ଡିଜାଇନ ଆହ୍ୱାନ କରିଛି ବିଭାଗ । ପ୍ରତିଯୋଗୀତା ଜରିଆରେ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବ ବିଭାଗ । ରାଜ୍ୟ ପର୍ଯ୍ୟଟନ ସଂକ୍ରାନ୍ତୀୟ ବିଷୟକୁ ଆଧାର କରି ଡିଜାଇନ ତିଆରି କରିବାକୁ କୁହାଯାଇଛି । ଯେଉଁ ଡିଜାଇନକୁ ରାଜ୍ୟ ସରକାର ପସନ୍ଦ କରିବେ ବା ଯେଉଁ ଡିଜାଇନକୁ ଚୁଡାନ୍ତ ବୋଲି ଚିନ୍ତା କରାଯିବ, ସେହି ଡିଜାଇନ ପ୍ରସ୍ତୁତ କରିଥିବା ବ୍ୟକ୍ତି ବା ଅନୁଷ୍ଠାନକୁ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରାଯିବ । ଏନେଇ ଘୋଷଣା ମଧ୍ୟ କରାଯାଇଛି । ଏଥିପାଇଁ ଶେଷ ତାରିଖ ରହିଛି ୧୫ ସେପଟେମ୍ବର । ଦିନ ୧୧ଟା ୫୯ ଭିତରେ ନିଜ ନିଜ ଏଣ୍ଟ୍ରୀକୁ odishatourismlogo@gmail.comକୁ ପଠାଇ ପାରିବେ । ସମସ୍ତ ଲୋଗୋ ଭିତରୁ ରାଜ୍ୟ ସରକାର ନୂଆ ଏକ ଲୋଗୋକୁ ବାଛିବେ । ସମ୍ଭବତଃ ଖୁବଶୀଘ୍ର ଓଡିଶା ପର୍ଯ୍ୟଟନ ବିଭାଗର ଲୋଗୋ ପରିବର୍ତ୍ତନ ହୋଇ ନୂଆ ରୂପରେ ଆସିବ ।

ଲୋଗୋ ଡିଜାଇନର ଏହି ଧାରା କିଛି ନୂଆ ନୁହେଁ । ଅତୀତରେ ସ୍ୱଛ ଭାରତ, ଦୁରଦର୍ଶନ, ଆଇଆରସିଟିସି, ଭଳି ଏକାଧିକ ଲୋଗୋ ପରିବର୍ତ୍ତନ ବେଳେ କେନ୍ଦ୍ର ସରକାର ଲୋକଙ୍କ ଠାରୁ ଡିଜାଇନ ଆହ୍ୱାନ କରିଥିଲେ । ଯେଉଁଥିରେ ପୁରସ୍କାର ରାଶି ମଧ୍ୟ ଆହ୍ୱାନ କରାଯାଇଥିଲା । ସେହିଭଳି ଭୁବନେଶ୍ୱର ସ୍ମାର୍ଟସିଟି ପ୍ରୋଜେକ୍ଟରେ ମଧ୍ୟ ଲୋଗୋ ଡିଜାଇନର ଧାରା ଦେଖିବାକୁ ମିଳିଥିଲା । ଆଉ ସମାନ ରାସ୍ତାରେ ଆଗକୁ ବଢିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । ଏହାରି ଭିତରେ ନଜର, ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ ନବକଳେବର କିଭଳି ରହୁଛି ।