ଆଳିପିଙ୍ଗଳ ସେତୁକୁ ଭଗବାନ ସାହା ! ପୋଲ ମଝିରୁ ଫାଟିକି ଆଁ କଲାଣି, କିନ୍ତୁ ଶୁଣୁନି ପ୍ରଶାସନ

38

କନକ ବ୍ୟୁରୋ : ମରଣଯନ୍ତା ପାଲଟିଛି ଆଳିପିଙ୍ଗଳ ସେତୁ । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଦେବୀ ନଦୀ ଉପରୋ ଥିବା ଏହି ସେତୁ ଦୀର୍ଘ ୨୦ ବର୍ଷ ତଳେ ନିର୍ମାଣ ହୋଇଥିଲା । ହେଲେ ମରାମତି ହୋଇ ନଥିବାରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି ଆଳିପିଙ୍ଗଳ ସେତୁ । ବାରମ୍ବାର ଅଂଚଳବାସୀଙ୍କ ଅଭିଯୋଗ ପରେ ବି ସେତୁ ମରାମତି ପାଇଁ ବିଭାଗ ପକ୍ଷରୁ ନିଆଯାଇନି କୌଣସି ପଦକ୍ଷେପ ।

vlcsnap-2018-01-11-17h52m05s672ଜରାଜୀର୍ଣ୍ଣ ହୋଇ ପଡିଛି ଆଳିପିଙ୍ଗଳ ସେତୁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ ଠାରେ ଦେବୀ ନଦୀ ଉପରେ ଥିବା ଏହି ସେତୁ ମରାମତି ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ । ପ୍ରତିଦିନ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ନିର୍ଭର କରୁଥିବା ଏହି ସେତୁ ଉପରେ ଯାତାୟତ କରିଥାଏ ଶହ ଶହ ବାଲି ଟ୍ରକ, ହାଇୱା, ଟ୍ରାକ୍ଟର ପରି ଭାରୀଯାନ । ଫଳରେ ସେତୁର ଉଭୟ ପାଶ୍ୱର୍ ବାଡା ଭାଙ୍ଗି ଯିବା ସହ ଉପର ଅଂଶ ମଧ୍ୟ ଫାଟି ଅାଁ କଲାଣି । ହେଲେ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି ।

୨୦୦୮ ମସିହାରେ ଦେବୀ ନଦୀ ଉପରେ ନିର୍ମାଣ ହୋଇଥିଲା ଆଳିପିଙ୍ଗଳ ସେତୁ । କଟକ ଓ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏହି ସେତୁର ଅବସ୍ଥା ଏବେ ଶୋଚନୀୟ । ଅନେକ ଲୋକ ଗାଡିରୁ ପଡି ଖଣ୍ଡିଆ ଖାବରା ହେଉଥିବାର ଘଟଣା ମଧ୍ୟ ସାମନାକୁ ଆସୁଛି । ଫଳରେ ଆସନ୍ତା ବର୍ଷା ଦିନ ପୂର୍ବରୁ ମରାମତି କରାନଗଲେ ବଡ ଧରଣର ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ଏ ନେଇ ରାସ୍ତା ଓ ଗୃହ ବିଭାଗ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ସେତୁ ମରାମତି ପାଇଁ ଟେଣ୍ଡର ସରିଛି, କିନ୍ତୁ ଠିକାଦାର କାମ ଆରମ୍ଭ କରିବାରେ ବିଳମ୍ବ କରୁଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ଏହା ସହ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ ଦେବା ସହ ବର୍ଷା ଦିନ ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଏସ୍.ଡି.ଓ କହିଛନ୍ତି । ଆଳିପିଙ୍ଗଳ ସେତୁ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି ।