ଡେରା ସର୍ଚ୍ଚ ଅପରେସନ ଶେଷ ! ଠାବ ହେଲା ଦ୍ୱିତୀୟ ଗୁମ୍ପା, ଜାରି ରହିବ ଖନନ କାର୍ଯ୍ୟ

52

କନକ ବ୍ୟୁରୋ : ଡେରା ମୁଖ୍ୟ ଆଶ୍ରମର ବହୁ ରହସ୍ୟ ଉନ୍ମୋଚିତ ହୋଇଛି । ସିରସା ମୁଖ୍ୟ ଆଶ୍ରମରେ ତିନି ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ଆଜି ଶେଷ ହୋଇଛି । ତେବେ ଆଶ୍ରମର ବିଭିନ୍ନ ସ୍ଥାନରେ ଚାଲିଥିବା ଖନନ କାର୍ଯ୍ୟ ଜାରି ରହିବ ବୋଲି ହରିଆଣା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସୀତଶ ମେହରା ସୂଚନା ଦେଇଛନ୍ତି । ସାଧ୍ୱୀ ଦୁଷ୍କର୍ମ ମାମଲାରେ ଡେରା ମୁଖ୍ୟ ଗୁରମିତ ରାମରହିମଙ୍କୁ ଜେଲ ଦଣ୍ଡ ହେବା ପରେ ହରିଆଣା-ପଞ୍ଜାବ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଆଶ୍ରମ ପରିସରରେ ୮ ତାରିଖ ସକାଳୁ ବଡ଼ ଧରଣର ତଲାସି ଅଭିଯାନ ଆରମ୍ଭ ହୋଇଥିଲା ।

ଏଥିରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏକେଏସ୍‌ ପାଓ୍ଵାରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ପ୍ରଶାସନ ଓ ପୁଲିସର ଦୁଇଟି ଟିମ୍‌, ଫରେନସିକ୍‌ ଟିମ୍‌, ୪୧ କଂପାନି ଅର୍ଦ୍ଧସାମରିକ ବାହିନୀ, ୪ କଂପାନି ସେନା ଯବାନ , ୪ଟି ଜିଲ୍ଲାର ପୁଲିସ, ସ୍ୱାଟ୍‌ ଟିମ୍‌ ଓ ଡଗ୍‌ ସ୍କ୍ଵାର୍ଡ ସାମିଲ ହୋଇଥିଲେ । ତଲାସି ଅଭିଯାନର ଭିଡିଓ ରେକର୍ଡିଂ କରାଇବା ପାଇଁ ୫୦ଜଣ ଭିଡିଓଗ୍ରାଫର, ତାଲା ଭାଙ୍ଗିବା ପାଇଁ ଦୁଇ ଡର୍ଜନ ତାଲା ଭଙ୍ଗାଳୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଅଣ୍ଡରଗ୍ରାଉଣ୍ଡ ଟନେଲ୍‌ର ସନ୍ଧାନ ଓ ମାଟି ଖୋଳିବା ପାଇଁ ୧୨ରୁ ଅଧିକ ଜେସିବି ମେସିନର ମଧ୍ୟ ସହାୟତା ନିଆଯାଇଥିଲା। ଆଶ୍ରମ ପରିସରରେ ବହୁ ଲୋକଙ୍କୁ ହତ୍ୟା କରି ଶବ ପୋତାଯାଇଥିବା ସନ୍ଦେହ ବଳବତ୍ତର ହୋଇଥିବାରୁ ଏ ବାବଦ ଖନନ କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି ।

୭୦ଜଣ ସାକ୍ଷୀଙ୍କ ଉପସ୍ଥିତିରେ ଚାଲିଥିବା ତଲାସି ଅଭିଯାନ ୯୯ ପ୍ରତିଶତ ଶେଷ ହୋଇଛି ବୋଲି ଆଜି ସରକାରୀ ଭାବେ ଘୋଷଣା କରାଯାଇଛି । ଶହ ଏକର ପରିମିତ ଆଶ୍ରମର ୧୪ଟି ସ୍ଥାନରେ ଖନନ କାର୍ଯ୍ୟ ଜାରି ରହିଛି । ତଲାସି ବେଳେ ଆଜି ରାମରହିମଙ୍କ ଦ୍ୱିତୀୟ ଗୁମ୍ଫା ଠାବ ହୋଇଛି । ତେବେ ମୁଖ୍ୟ ଗୁମ୍ଫା ଭଳି ଏହା ରହସ୍ୟରେ ଭରପୂର ନଥିଲେ ମଧ୍ୟ ବେଆଇନ କାର୍ଯ୍ୟ ପାଇଁ ଏହା ବ୍ୟବହାର ହେଉଥିବା ସନ୍ଦେହ କରାଯାଉଛି । ପ୍ରଥମ ଦିନ ତଲାସି ଅଭିଯାନରେ ଜବତ ହୋଇଥିବା କଂପ୍ୟୁଟର, ଲାପଟପ୍‌, ହାର୍ଡ ଡିସ୍କ ଏବଂ ଅନ୍ୟ ଉପକରଣର ଯାଞ୍ଚ ଚାଲିଛି । ଡେରାର ସମସ୍ତ କାରବାର ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଥିବା ଜଣାପଡ଼ିଛି। ଏହାର ଦୁଇଟି ରୁମ୍‌କୁ ସିଲ୍‌ କରିଦିଆଯାଇଛି ।

Dera ashram searchକୌଣସି କର୍ମଚାରୀ କିମ୍ବା ବାହାର ବ୍ୟକ୍ତି ରାମରହିମଙ୍କ କୁକର୍ମକୁ ଜାଣିବା ପରେ ଏହା ପ୍ରଘଟ ହେବା ଭୟରେ ତାଙ୍କୁ ଡେରା ପରିସରରେ ହତ୍ୟା କରାଯାଇ ପୋତି ଦିଆଯାଉଥିବା କିଛି ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ । ଶବ ପୋତା ଯାଉଥିବା ସ୍ଥାନରେ ଗଛ ଲଗାଇ ଦିଆଯାଉଥିବା ସେମାନେ ଅଭିଯୋଗ କରିଥିଲେ । ଏହାର ସବିଶେଷ ଖୋଳତାଡ଼ ପାଇଁ ବ୍ୟାପକ ଖନନ କାର୍ୟ୍ୟ ଚାଲିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଗତକାଲି ସର୍ଚ୍ଚ ଟିମ୍‌ ଡେରା ପରିସରରେ ଏକ ବେଆଇନ ବିସ୍ଫୋରକ କାରଖାନାକୁ ଠାବ କରିଥିଲେ । ଏଠାରୁ ବିସ୍ଫୋରକ କେଉଁଠାରୁ ଆସୁଥିଲା ଏବଂ ବାଣ ତିଆରି ହୋଇ କେଉଁ ଅଂଚଳକୁ ଚାଲାଣ ହେଉଥିଲା ତାହାର ଖୋଳତାଡ଼ ଚାଲିଛି । ଆଶ୍ରମ ପରିସରରେ ବନ୍ଧୁକ ଓ ହତିଆର ତିଆରି ହେଉଥିବା ନେଇ ମଧ୍ୟ ଅନେକ ପ୍ରମାଣ ମିଳିଛି । ଡେରା ପରିସରର ଏକ ଆବାସିକ କଲୋନୀରୁ ଉଦ୍ଧାର ହୋଇଥିବା ପାଞ୍ଚଜଣ ବାଳକଙ୍କ ପରିଚୟ ମିଳିଛି ।

ସେମାନେ ଅଗଷ୍ଟ ୧୫ଠାରୁ ନିଖୋଜ ରହିଥିଲେ ବୋଲି ଜଣାପଡ଼ିଛି। ରାମରହିମଙ୍କ ମୁଖ୍ୟ ଗୁମ୍ଫାରୁ ଗାର୍ଲସ କଲେଜ ଏବଂ ସାଧ୍ୱୀ ହଷ୍ଟେଲକୁ ସୁଡ଼ଙ୍ଗ ଠାବ ହୋଇଥିବାରୁ ଏ ବାବଦରେ ବ୍ୟାପକ ଜେରା ଆରମ୍ଭ ହୋଇଛି । ଗତକାଲି ଗୁମ୍ଫାର ଦ୍ୱିତୀୟ ମହଲାରେ ତଲାସି ଚାଲିଥିବା ବେଳେ ଏଠାରୁ ଏକ ଭୂତଳ ସୁଡ଼ଙ୍ଗ ସାଧ୍ୱୀ ହଷ୍ଟେଲ ପର୍ୟ୍ୟନ୍ତ ଲମ୍ବିଥିବା ଠାବ କରାଯାଇଥିଲା । ରାମରହିମର ଅତ୍ୟନ୍ତ ବିଶ୍ୱସ୍ତମାନେ ଏହି ରାସ୍ତାରେ ସାଧ୍ୱୀମାନଙ୍କୁ ଗୁମ୍ଫାକୁ ଆଣୁଥିବା କୁହାଯାଉଛି । ଏହି ସୁଡ଼ଙ୍ଗ ସ୍ୱତନ୍ତ୍ର ଫାଇବରରେ ନିର୍ମିତ ହୋଇଥିବା ବେଳେ ଏହାକୁ ମାଟି ଭିତରେ ପୋତି ରଖାଯାଇଥିଲା ।