ଆଜି ରାମରହିମଙ୍କୁ ଦଣ୍ଡାଦେଶ ! ଜେଲରେ ବସିବ କୋର୍ଟ, କଡ଼ା ସୁରକ୍ଷା ଭିତରେ ଯିବେ ବିଚାରପତି

20

କନକ ବ୍ୟୁରୋ: ସାଧ୍ୱୀ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କ ବିରୋଧରେ ଆଜି ସିବିଆଇ ଅଦାଲତ ଦଣ୍ଡାଦେଶ ଶୁଣାଇବ । ଏଥିଲାଗି ରୋହତକ ଜେଲରେ ଅସ୍ଥାୟୀ ଅଦାଲତ ବ୍ୟବସ୍ଥା ହୋଇଛି । ଜେଲ୍ ଓ ଆଖପାଖ ଅଞ୍ଚଳରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୭ ଥାକିଆ ସୁରକ୍ଷା ବ୍ୟବସ୍ଥା ଗତକାଲିଠାରୁ କାର୍ଯ୍ୟକାରୀ ହୋଇସାରିଥିବା ବେଳେ କାଲି ୨ ଜଣ ସିବିଆଇ ବିଚାରପତି ଜେଲରେ ପହଞ୍ଚି ଦଣ୍ଡାଦେଶ ଶୁଣାଇବେ । ସୁରକ୍ଷା ଦୃଷ୍ଟିରୁ ପଂଚକୁଳା ସିବିଆଇ ଅଦାଲତର ଏହି ୨ ଜଣ ବିଚାରପତିଙ୍କୁ ରୋହତକ ଜେଲକୁ ହେଲିକପ୍ଟରରେ ନିଆଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହରିଆଣା ଡିଜିପି ବିଏସ୍ ସାନ୍ଧୁ ସମଗ୍ର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ।

ଡେରା ସମର୍ଥକମାନେ ଯେଭଳି ଜେଲ୍ ବାହାରେ ଓ ଆଖପାଖ ଅଂଚଳରେ ସମବେତ ହୋଇନପାରିବେ ସେ ଦିଗରେ ଅଭୂତପୂର୍ବ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କେତେକ ଅଞ୍ଚଳରେ ‘ଦେଖିବା ମାତ୍ରେ ଗୁଳି’ ପାଇଁ ମଧ୍ୟ ଅର୍ଦ୍ଧସାମରିକ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ଅପରାହ୍ନରୁ ଡେରା ସମର୍ଥକଙ୍କ ପ୍ରଭାବ ଥିବା ରୋହତକର ୨୦ରୁ ଅଧିକ ଅଂଚଳରେ ଚଢ଼ଉ କରାଯାଇ ଶତାଧିକ ଲୋକଙ୍କୁ ଗିରଫ କରାଯାଇଛି । ସେପଟେ ସିର୍ସାସ୍ଥିତ ରାମରହିମଙ୍କ ଆଶ୍ରମରେ ଥିବା ହଜାର ହଜାର ଅନ୍ତେବାସୀଙ୍କୁ ଗତକାଲି ସେଠାରୁ ସ୍ଥାନାନ୍ତର କରାଯାଇଛି । ସେନା ଓ ରାପିଡ୍ ଆକ୍ସନ ଫୋର୍ସ ଯବାନମାନେ ସେମାନଙ୍କୁ ବୁଝାଇ ସୁଝାଇ ବାହାର କରିଛନ୍ତି । ତେବେ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ହରିଆନାରେ ଯେଭଳି ବ୍ୟାପକ ହିଂସା ହେଲା, ସେଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୁଲିସ ସଜାଗ ହୋଇ ରହିଛି ।

ସେଥିଲାଗି ସିଆରପିଏଫ୍ ଏବଂ ଆରଏଏଫ୍ ଜେଲ୍ ପରିସର ଓ ବାହାର ଅଂଚଳରେ ମୁତୟନ ହୋଇସାରିଛନ୍ତି । ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାମ ରହିମଙ୍କୁ ପୁଣି ପଂଚକୁଳା ସିବିଆଇ ଅଦାଲତରେ ହାଜର କରି ଦଣ୍ଡାଦେଶ ଶୁଣାଇବା ସୁରକ୍ଷା ଦୃଷ୍ଟିରୁ ବିପଜ୍ଜନକ ହେବା ଆଶଙ୍କା କରି ଜେଲରେ ହିଁ ଏହା ଶୁଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆଇପିସିର ଧାରା ୩୭୬ (ଦୁଷ୍କର୍ମ) ଏବଂ ୫୦୬ (ଅପରାଧିକ ବଳପ୍ରୟୋଗ)ରେ ରାମରହିମ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଜେଲ୍ ଦଣ୍ଡ ହୋଇପାରେ ।

ସିବିଆଇ କୋର୍ଟରେ ୨୦୦୨ ମସିହାରେ ଏହି ମାମଲା ରୁଜୁ ହୋଇଥିଲା । ଡେରା ସଚ୍ଚା ସୌଦା ସଂପ୍ରଦାୟ ମୁଖ୍ୟ ରାମ ରହିମ ତାଙ୍କର ଦୁଇଜଣ ମହିଳା ସାଧ୍ୱୀଙ୍କୁ ତାଙ୍କର ଗୁପ୍ତ ବିଳାସ କକ୍ଷରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେତେବେଳେ ଜଣେ ସାଧ୍ୱୀ ନିଜର ନାମ ପ୍ରକାଶ ନକରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଚିଠି ଲେଖି ରାମ ରହିମ ତାଙ୍କୁ ନିଜ ରୁମକୁ ଡକାଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଏଥିରେ ତାଙ୍କୁ ୩ ବର୍ଷକାଳ ରାମ ରହିମ ଯୌନ ଶୋଷଣ କରିଥିବା ଓ ଆଶ୍ରମରେ ରହିଥିବା ୩୫/୪୦ ମହିଳାଙ୍କର ସମାନ ଦୁର୍ଦ୍ଦଶା ହୋଇଥିବା ନେଇ ସେ ଦର୍ଶାଇଥିଲେ ।