ରାଜ୍ୟରେ ବନ୍ୟା ପରସ୍ଥିତି ନାହିଁ, ତଳିଆ ଅଞ୍ଚଳରେ ପାଣି କମିଛି : ସୂଚନା ଦେଲେ ଡେପୁଟି ଏସଆରସି

278

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ପରସ୍ଥିତି ନାହିଁ । କେନ୍ଦ୍ରାପଡା ଓ ପୁରୀର କିଛି ସ୍ଥାନରେ ତଳିଆ ଅଂଚଳରେ ପାଣି କମିଛି । ପୁରୀରେ ୪୦, ଖୋର୍ଦ୍ଧାରେ ୪୮, କଟକରେ ୫୫୦ ଲୋକଙ୍କୁ ରିଲିଫ୍ କ୍ୟାମ୍ପରେ ରଖାଯାଇଛି । ଅଧିକ ପ୍ରଭାବିତ ବଲାଙ୍ଗୀର ଜିଲ୍ଲାରେ ୫୬ଟି କ୍ୟାମ୍ପରେ ୧୯ହଜାର ଲୋକଙ୍କୁ, ସୁବର୍ଣ୍ଣପୁର ଜିଲ୍ଲାରେ ୨୪ଟି କ୍ୟାମ୍ପରେ ୩ହଜାର ୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟା ଭୟ ନାହିଁ। ପ୍ରାୟ ସମସ୍ତ ନଦୀରେ ଜଳସ୍ତର ବିପଦ ସଂକେତଠାରୁ ବହୁ ତଳେ ରହିଛି । ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ସୂଚନା ଦେଇଛନ୍ତି ଡେପୁଟି ଏସଆରସି ପ୍ରଭାତ ରଞ୍ଜନ ମହାପାତ୍ର ।

ସୂଚନାଯୋଗ୍ୟ ଲଗାଣ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା । ମହାନଦୀର ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ଏହାରୁ ଜଳସ୍ତର ଅଧିକ ରହିଥିଲା । ଏହାକୁ ଆଖି ଆଗରେ ରଖି ପର୍ଯ୍ୟାୟ କ୍ରମେ ୨୦ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରା ଯାଇଥିଲା । ଏବେ ୫ଟି ବନ୍ଦ ଅଛିଏବଂ ୫ଟି ଗେଟ ଖୋଲା ଅଛି । ସେସବୁକୁ ବି ବନ୍ଦ କରାଯିବ ବୋଲି ସୂଚନା ମିଳିଛି ।

ପଶ୍ଚିମ ଓଡ଼ିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ସମେତ ରାଜ୍ୟର ସମସ୍ତ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ନଦୀର ଜଳସ୍ତର କମିଛି । ପାଣିପାଗ ବିଭାଗ ବି ପୂର୍ବାନୁମାନ କରିଛି ଯେ, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ସେଭଳି ବଡ଼ଧରଣର ବର୍ଷା ନାହିଁ । ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ୍ ଲାଇନ୍ ଦୁର୍ବଳ ହୋଇ ଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଯେଉଁ ବଡ଼ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି ।