ରାଜ୍ୟରେ ବନ୍ୟା ସ୍ଥିତି ସୁଧୁରିଥିବା ନେଇ ସୂଚନା ହେଲେ ଡେପୁଟି ଏସଆରସି ! ଯାଜପୁର ଓ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଉତ୍କଟ

18

କନକ ବ୍ୟୁରୋ : ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଡେପୁଟି ଏସଆରସି । ବନ୍ୟା ସ୍ଥିତି ସୁଧୁରିଥିବା ନେଇ ଡେପୁଟି ଏସଆରସି ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଯାଜପୁର ଓ କେନ୍ଦ୍ରାପଡାରେ ବନ୍ୟା ସ୍ଥିତି ଉତ୍କଟ ଥିବା ସେ ସୂଚନା ଦେଇଛନ୍ତି । ଯାଜପୁର ବରୀରେ ଅନେକ ଘାଇ ସୃଷ୍ଟି ହୋଇଛି ଏହାସହ ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି । ଯାଜପୁର ଓ ବାଲେଶ୍ୱରକୁ ୫୦ଟନ୍ ଗୋଖାଦ୍ୟ ପଠାଯାଇଛି । ବନ୍ୟାର କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ରିପୋର୍ଟ ଆସୁଛି ଏହି ରିପୋର୍ଟକୁ ଖୁବଶୀଘ୍ର କେନ୍ଦ୍ରକୁ ପଠାଯିବ ବୋଲି ଡେପୁଟି ଏସଆରସି ପ୍ରଭାତ ରଂଜନ ମହାପାତ୍ର ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡାରେ ବନ୍ୟା ଆଣିଛି ବ୍ରାହ୍ମଣୀ । ଧିରେ ଧିରେ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଗାଁ ଦାଣ୍ଡାରେ ପାଣିର ସୁଅ ପଡିଛି । ବ୍ରାହ୍ମଣୀ ପାଣିରେ ଉବୁଟୁବୁ ହେଉଛି ଜିଲ୍ଲାର ୮୫ଟି ଗାଁ । ବିଶେଷ କରି ଆଳି ବ୍ଲକ ଧୋୟା ଅଂଚଳର ୧୧ଟି ପଂଚାୟତ ଏବେ ପାଣି ଘେରରେ ରହିଛି । ସେହିଭଳି ପଟାମୁଣ୍ଡାଇର ୬ଟି ପଂଚାୟତ ମଧ୍ୟ ଜଳବନ୍ଦୀ ହୋଇଛି । ଏନଏସି ୬ଟି ୱାର୍ଡରେ ବି ବନ୍ୟା ଜଳ ପଶି ଯାଇଛି । ମାନପୁର-ସିଂହପୁର ରାସ୍ତାର ମାନପୁର ନକଟରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।

ଫଳରେ ଆଳିର ଧୋୟା ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେବଳ ଏତିକି ନୁହେଁ କଟକ-ଚାନ୍ଦବାଲି ରାସ୍ତା ଉପରେ ବି ବ୍ରାହ୍ମଣୀ ପାଣି ବହୁଛି । କଟକ-ଚାନ୍ଦବାଲି ରାସ୍ତାର ପାତ୍ରପୁର ପୋଲ ନିକଟରେ ୪ ଫୁଟ ଉଚର ବନ୍ୟାପାଣି ପ୍ରବାହିତ ହେଉଛି । ଫଳରେ ଆଳି-ପଟାମୁଣ୍ଡାଇକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ବିପନ୍ନ ଯା’ଆସ ପାଇଁ କେତେକ ସ୍ଥାନରେ ବୋଟର ବ୍ୟବସ୍ଥା କରାଯାଇଛି । ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ଆଳିରେ ଦୁଇଟି ଓଡ୍ରାଫ ଟିମ୍ ପହଂଚିଛନ୍ତି । ତେବେ ପ୍ରଶାସନ ପକ୍ଷରୁ କେବଳ ବୋଟର ବ୍ୟବସ୍ଥା କରାଯାଇଥିବା ବେଳେ ଲୋକଙ୍କ ପାଖରେ ରିଲିଫ ପହଂଚିନାହିଁ ।