ଆଜି ଉପବାଚସ୍ପତି ନିର୍ବାଚନ : ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ରଜନୀକାନ୍ତ ସିଂ

135

କନକ ବ୍ୟୁରୋ : ଆଜି ଉପବାଚସ୍ପତି ନିର୍ବାଚନ । ଉପବାଚସ୍ପତି ନିର୍ବାଚନରେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତି ସିଂ । ବିଜେଡି ପକ୍ଷରୁ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ଭାବେ ନିର୍ବାଚିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଷୋଡ଼ଶ ବିଧାନସଭାର ଉପବାଚସ୍ପତି ନିର୍ବାଚନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି ଗୃହରେ ବିଧିବଦ୍ଧ ଘୋଷଣା କରିଥିଲେ । ଉପବାଚସ୍ପତି ନିର୍ବାଚନ ସକାଶେ ବିଧାନସଭା ପକ୍ଷରୁ ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ବାଚସ୍ପତିଙ୍କ ଘୋଷଣା ଅନୁଯାୟୀ ୨୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥିପତ୍ର ଦାଖଲହେବ ଏବଂ ୭ଟାରେ ଯାଞ୍ଚ୍ ହେବ । ଆଗ୍ରହୀ ପ୍ରାର୍ଥୀ ୨୮ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ଆବଶ୍ୟକ ହେଲେ ସେହିଦିନ ଅପରାହ୍ନ ୧ଟା ୪ଟା ଯାଏ ୫୪ ନମ୍ବର ପ୍ରକୋଷ୍ଠରେ ଭୋଟ୍ ଗ୍ରହଣ ହେବ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପବାଚସ୍ପତି ପଦ ପାଇଁ ରଜନୀକାନ୍ତଙ୍କ ନାଁରେ ମୋହର ମାରିଛନ୍ତି । ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଦୁଇ ବିରୋଧୀ ଦଳ ମଧ୍ୟରୁ କେହି ବି ଉପବାଚସ୍ପତି ପାଇଁ ପ୍ରାର୍ଥୀ ଦେଇନାହାନ୍ତି । ତେଣୁ ରଜନୀକାନ୍ତ ସିଂହ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ଆଜି କେବଳ ଏନେଇ ଔପଚାରିକ ଭାବେ ଘୋଷଣା କରାଯିବ ।

ଜଣେ ଅଭିଜ୍ଞ ରାଜନେତାଙ୍କୁ ଉପବାଚସ୍ପତି ପଦ ପାଇଁ ଚୟନ କରିଛନ୍ତି ନବୀନ । ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ ରହିସାରିଛନ୍ତି । ଉପବାଚସ୍ପତି ପଦର ମର୍ଯ୍ୟାଦା ରଖିବା ସହ ଦାୟିତ୍ୱ ସୂଚାରୁରୂପେ ତୁଳାଇବେ ବୋଲି ବିଜେଡ଼ି ସଭାପତି ରଜନୀକାନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।