ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହୋଇପାରେ ବର୍ଷା : ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ
କନକ ବ୍ୟୁରୋ : ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରୁ ଆରମ୍ଭ ହେବ ବର୍ଷା। ସୋମବାରଠାରୁ ଦୁଇଦିନ ଧରି ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗି ରହିବ। ତେବେ ବର୍ଷାର ପରିମାଣ ଅଳ୍ପରୁ ମଧ୍ୟମ ଧରଣର ରହିବ। କିନ୍ତୁ ଅକ୍ଟୋବର ମାସ ଶେଷ ସପ୍ତାହରେ ବାତ୍ୟା ଆସିବାର ଯେଉଁ ଆଶଙ୍କା ଲୋକଙ୍କ ମନରେ ବସା ବାନ୍ଧିଛି, ସେପରି ଝଡ଼ତୋଫାନର ପୂର୍ବାନୁମାନ ନେଇ ପାଣିପାଗ କେନ୍ଦ୍ର କୌଣସି ସୂଚନା ଦେଇନାହିଁ। ପାଣି-ପାଗବିତ୍ ମଧ୍ୟ ଏଭଳି ଆଶଙ୍କା ଆପାତତଃ ନାହିଁ ବୋଲି କହିଛନ୍ତିି।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ଷା ନେଇ ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁଯାୟୀ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୮ ତାରିଖ ରାତିରୁ ୩୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ୨୮ ତାରିଖରେ ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ଅଧିକ ପରିମାଣର ବର୍ଷା ହେବ। ୨୯ରେ ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ପାଣିପାଗ କେନ୍ଦ୍ର ତରଫରୁ ବାରଣ କରାଯାଇଛି।
ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତିି ଯେ ଚେନ୍ନାଇ ଆଖପାଖ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରୁ ଉତ୍ତର ବଙ୍ଗୋପ ସାଗରର ବାଂଲା ଦେଶ ଉପକୂଳ ପର୍ଯ୍ୟନ୍ତ ସମୁଦ୍ର ଉପରେ ଟ୍ରଫ୍ ଲାଇନ ସୃଷ୍ଟି ହୋଇଛି। ଏ ପଟେ ବିହାରରୁ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସ୍ଥଳଭାଗରେ ଅନ୍ୟ ଏକ ଟ୍ରଫ୍ ଲାଇନ ରହିଛି। ସମୁଦ୍ର ଉପର ଟ୍ରଫ୍ ଜରିଆରେ ଆସୁଥିବା ଉଷ୍ମ ଜଳୀୟବାଷ୍ପ ଏବଂ ସ୍ଥଳଭାଗ ଉପରିସ୍ଥ ଟ୍ରଫ୍ ଯୋଗେ ଶୁଷ୍କ ଓ ଶୀତଳ ବାଦଲର ସମ୍ମିଶ୍ରଣରେ ବଙ୍ଗୋପ ସାଗରରେ ମେଘ ଘୋଟି ଆସୁଥିବା ଦେଖିବାକୁ ମିଳିଲାଣି। ଏହି ମେଘ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ ଜିଲ୍ଲାରେ ବର୍ଷା କରାଇବାରେ ସହାୟକ ହେବ। ଆଭ୍ୟନ୍ତରୀଣ ଅନୁଗୁଳ, କନ୍ଧମାଳ, ଗଜପତି, ରାୟଗଡ଼ା, ଢେଙ୍କାନାଳ ଆଦି ଜିଲ୍ଲାରେ ବି ଘଡ଼ଘଡ଼ି ସହିତ ସାମାନ୍ୟ ବର୍ଷା ହୋଇପାରେ। ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଡ. ସାହୁ କହିଲେ ଯେ ଏହାର ପ୍ରଭାବରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧରି ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ବୃଷ୍ଟିପାତ ୪୦ ମିଲିଲିଟରରୁ ୭୦ ମି.ଲି. ପର୍ଯ୍ୟନ୍ତ ହୋଇପାରେ।