ପିକନିକ୍ ଋତୁରେ ଦେଓମାଳିରେ ଜମୁଛି ଭିଡ଼ : ଥର ଥର କୋହଲା ପବନ ସାଙ୍ଗକୁ ପ୍ରକୃତି କୋଳରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ

405

କନକ ବ୍ୟୁରୋ : ଚାଲିଛି ପର୍ଯ୍ୟଟନ ଋତୁ । ବୁଲାବୁଲି କରିବା ସହ ବଣଭୋଜି ପାଇଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି  । ଏପରିସ୍ଥଳରେ ନୂଆବର୍ଷ ଅବସରରେ ରାଜ୍ୟର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଦେଓମାଳି ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍ ଉପଭୋଗ୍ୟ । ପୂର୍ବଘାଟ ପର୍ବତମାଳାର ଏହା ଏକ ବୃହତ୍ତମ ଅଂଶ । ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚରେ  ଅବସ୍ଥିତ । ଦେଓମାଳି ଖଣିଜ ସମ୍ପଦରେ ଭରା । ଗୋଟିଏ ପଟେ ଆନ୍ଧ୍ର୍ର ରହିଥିବା ବେଳେ ଅନ୍ୟପଟେ ରହିଛି ଓଡ଼ିଶା  । ଅନେକ ପ୍ରକୃତିପ୍ରେମୀ ଏବଂ ପର୍ବତାରୋହୀଙ୍କୁ ଦେଓମାଳି ବର୍ଷ ବର୍ଷ ଧରି ବାନ୍ଧି ରଖିଛି   ।

ସୌନ୍ଦର୍ଯ୍ୟର ଗନ୍ତାଘର ଦେଓମାଳି   । ‘ଆକାଶ ଦ୍ବୀପ’ ଭାବରେ ପରିଚିତ କୋଟାପୁଟ ଜିଲ୍ଲାର ଦେଓମାଳି ପର୍ବତମାଳା  । କୋରାପୁଟ ଜିଲ୍ଳାର ପଟାଙ୍ଗି ବ୍ଳକ ଅଧିନରେ ଆସୁଥିବା ଏହି ପର୍ବତ଼ ଦୂରରୁ ଯେତିକି ସୁନ୍ଦର, ପାଖକୁ ଗଲେ ତା’ଠାରୁ ଅଧିକ ମନୋରମ ଦେଖାଯାଏ  । ବର୍ତ୍ତମାନ ପିକନିକ୍ ଋତୁରେ ଦେଓମାଳିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଦେଓମାଳିର ପାଦଦେଶରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ଗୀତର ତାଳେ ତାଳେ ନାଚଗୀତରେ ମସଗୁଲ ହେବା ସହ ଜଙ୍ଗଲୀ ଫୁଲର ବାସ୍ନା ପର୍ଯ୍ୟଟକଙ୍କୁ ଆମୋଦିତ କରୁଛି  । ଜଙ୍ଗଲୀ ପରିବେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ ।

ପ୍ରତିଦିନ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ ହେଁ ଦେଓମାଳି, ଏପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇନାହିଁ  । ଏଠାରେ ପାଣିର ସୁବିଧା ନାହିଁ କି ବଣଭୋଜି ପାଇଁ ମଧ୍ୟ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ । ଏଦିଗରେ ସଚେତନ ହେଲେ ସରକାର ରାଜସ୍ୱ ପାଇବା ସହ ସ୍ଥାନୀୟ ଲୋକେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଦାବି କରାଯାଇଛି  ।