ଦେବଗଡରେ ଦଳ ନା ପ୍ରାର୍ଥୀ ପାଇବେ ପ୍ରାଥମିକତା ! ଦୁଇ ଦଶନ୍ଧି ହେଲା ନେତା ବଦଳାଉଛନ୍ତି ଜନତା

224

କନକ ବ୍ୟୁରୋ : ଦେବଗଡରେ ହେବ ଦମଦାର ଲଢେଇ । ପ୍ରତିଥର ବିଧାୟକ ବଦଳାଉଥିବା ଦେବ ଏଥର କାହାକୁ ବାଛିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଲାଗି ରହିଛି । କିଏ ଦେବଗଡବାସୀଙ୍କ ଦିଲ୍ ଜିତି ପାରିବ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । କାରଣ ପୂର୍ବ ନିବାର୍ଚନ ଗୁଡିକର ଫଳାଫଳ ଯଦି ଆମେ ଦେଖିବା ତେବେ ୨୦୦୦ ମସିହା ଠାରୁ ପ୍ରତିଥର ବିଧାୟକ ବଦଳାଇ ଆସୁଛନ୍ତି ଦେବଗଡର ସଚେତନ ଭୋଟର । ବିକାଶ ନାହିଁ ତ ଭୋଟ ନାହିଁ ନ୍ୟାୟରେ ରାଜ୍ୟର ୩ ପ୍ରମୁଖ ଦଳକୁ ଏହି ଆସନରେ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେଇଛନ୍ତି ଦେବଗଡବାସୀ । ତେଣୁ ଏଥର ଫଳାଫଳ କଣ ହେବ ଓ କାହାକୁ ଦେବଗଡରୁ ଭୁବନେଶ୍ୱର ପଠାଇବେ ଜନତା ତାହାକୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

ଏକବିଂଶ ଶତାଦ୍ଦୀର ଆରମ୍ଭରୁ ବିଜେପି-ବିଜେଡି ମେଣ୍ଟରେ ବିଜେପି ଟିକେଟରୁ ସୁବାସ ପାଣିଗ୍ରାହୀ ପ୍ରାର୍ଥୀ ହୋଇ ସ୍ୱାଧୀନ ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କୁ ପରାସ୍ତ କରିଥିଲେ । ତେବେ ୨୦୦୪ରେ ବଦଳିଯାଇଥିଲା ଦେବଗଡ ରାଜନୀତିର ଚିତ୍ର । କଂଗ୍ରେସ ବ୍ୟାନରରେ ନିର୍ବାଚନ ଲଢିବା ସହ ସୁବାସଙ୍କ ଠାରୁ ପୂର୍ବ ନିର୍ବାଚନ ପରାଜୟର ପ୍ରତିଶୋଧ ନେଇଥିଲେ ନୀତିଶ । ତେବେ ୨୦୦୯ରେ ଏଠାରେ ବିଜେଡି ଏକାକୀ ଲଢିବା ସହ ନୂଆ ପ୍ରାର୍ଥୀଙ୍କୁ ଧରି ମୈଦାନକୁ ଓହ୍ଲାଇଥିଲା । ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ସଞ୍ଜୀବ ପ୍ରଧାନ ଡେବ୍ୟୁ ମ୍ୟାଚରେ ହିଁ ବିଜେଡିକୁ ଦେଇଥିଲେ ବଡ ବିଜୟ । ତେବେ ୨୦୧୪ରେ ଦଳ ସଞ୍ଜୀବଙ୍କୁ ପ୍ରାର୍ଥୀ ନକରି ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଥିଲା । ତେବେ ନୀତିଶ ଏହା ମଧ୍ୟରେ ହାତ ଛାଡି ପଦ୍ମ ଧରିବା ସହ ପୁଣିଥରେ ଦେବଗଡକୁ ନିଜ କବଜାକୁ ନେଇଥିଲେ ।

୨୦୧୪ ନିର୍ବାଚନରେ ଦେବଗଡକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିଥିବା ବିଜେପିର ନୀତିଶ ଗଙ୍ଗଦେବଙ୍କ ପାଇଁ ଚଳିତଥର ନିର୍ବାଚନ ଏସିଡ ଟେଷ୍ଟ ହେବାକୁ ଯାଉଛି । ବିଜେପି ବିଧାୟକ ତଥା ରାଜପରିବାରର ନୀତିଶ ଗଙ୍ଗଦେବ ଓ ତାଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କ ଭୂମିକା ଉପରେ ଭୋଟରଙ୍କ ନଜର ରହିଛି । କାରଣ ନୀତିଶଙ୍କ ପତ୍ନୀ ବିଜେଡି ଟିକେଟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ତେବେ ନୀତିଶ ଏହାକୁ ସିଧାସଳଖ ଅସ୍ୱୀକାର କରିଥିଲେ ମଧ୍ୟ ବିଜେଡି ରାଡାରରେ ଅରୁନ୍ଧତୀ ରହିଥିବା ଦେବଗଡରେ ଚର୍ଚ୍ଚା ହେଉଛି । ନୀତିଶ ପୁଣିଥରେ ବିଜେପି ଟିକେଟରୁ ଲଢିବେ ବୋଲି କହୁଥିବା ବେଳେ ଯଦି ତାଙ୍କ ପତ୍ନୀ ବିଜେଡି ଟିକେଟରୁ ମୈଦାନକୁ ଓହ୍ଲାନ୍ତି ତେବେ ଭିନ୍ନ ସମୀକରଣ ଦେଖିବାକୁ ମିଳିବ । ଯଦି ଏଭଳି ହୁଏ ତେବେ ନୀତିଶଙ୍କ ବଦଳରେ ବିଜେପି ପୂର୍ବ ବିଧାୟକ ସୁବାସଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ସଭାପତି ଅରୁଣ ସାହୁଙ୍କ ମଧ୍ୟରୁ ଜଣକୁ ଗଡ ରକ୍ଷା କରିବାର ଦାୟିତ୍ୱ ଦେବା ସହ ନିର୍ବାଚନ ମୈଦାନକୁ ଓହ୍ଲାଇପାରେ ।

ବିଜେଡି ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା ଦଳର ସୁପ୍ରିମୋଙ୍କ ନିକଟରେ ପହଞ୍ଚିଛି । ଦଳ ଏଠାରେ ପୁଣିଥରେ ଶଙ୍ଖନାଦ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଆଶାୟୀଙ୍କ ଲମ୍ବା ତାଲିକା ଦଳର କ୍ରାଇସିସ ମ୍ୟାନେଜରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଜେଡି ଟିକେଟ୍ ପାଇଁ ଦଳର ଜିଲ୍ଲା ସଭାପତି ସୁଧୀର କପରଦାର, ପୂର୍ବ ବିଧାୟକ ସଂଜୀବ ପ୍ରଧାନଙ୍କ ବଡ଼ଭାଇ ପ୍ରଣବ ପ୍ରଧାନ, ସଂଜୀବଙ୍କ ସ୍ତ୍ରୀ ଅନିତା ପ୍ରଧାନ, ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ନିବେଦିତା ନାଏକ, ପୂର୍ବ ବାରକୋଟ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ବେହେରା, ବରିଷ୍ଠ ବିଜେଡି ନେତା ବିଭୂତି ଗଙ୍ଗଦେବ, ରାଜ୍ୟ ଯୁବ ବିଜେଡିର ସଂପାଦକ ରେମାଂଚ ରଂଜନ ବିଶ୍ବାଳ, ଅମରେନ୍ଦ୍ର ଗଙ୍ଗଦେବ, ଚିତ୍ତରଂଜନ ପ୍ରଧାନ, ତିଲେଇବଣୀ ବ୍ଲକ ଉପାଧ୍ୟକ୍ଷ ଭୁପେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ରହିଛନ୍ତି। ତେବେ ନବୀନଙ୍କ ମହିଳା କାର୍ଡକୁ ଦୃଷ୍ଟିରେ ରଖି ବିଜେଡି ଏଠାରେ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ ବଡ ରାଜନୈତିକ ରିସ୍କ ନେଇପାରେ ବୋଲି ଆଲୋଚନା ଜୋର ଧରିଛି । କାରଣ ଏଭଳି କରିବା ଦ୍ୱାରା ଗୋଷ୍ଠୀ ବିବାଦ ଓ ଅସନ୍ତୁଷ୍ଟଙ୍କୁ ମନାଇ ଯାଇପାରିବ ବୋଲି ବିଜେଡିର ଅନ୍ଦରମହଲ ଅନ୍ଦାଜ ଲଗାଇଛି ।

ସେହିଭଳି କଂଗ୍ରେସର କମାଣ ନିରଞ୍ଜନ ଧରିବା ପରେ କର୍ମୀ ମାନେ ଆକ୍ଟିଭ ମୋଡକୁ ଆସିଛନ୍ତି । ପୁଣିଥରେ ଏହି ଆସନକୁ କମବ୍ୟାକ୍ କରିବାକୁ କଂଗ୍ରେସ କମାଣ୍ଡର ଅଙ୍କ କଷୁଛନ୍ତି । ତେବେ ଦଳ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଟେନସନ ବଢାଇଛି । କଂଗ୍ରେସ ପାଇଁ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ପିସିସି ସଂପାଦକ ସେମ୍ ହେମ୍ୱ୍ରମ, ପୂର୍ବ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସତ୍ୟନାରାୟଣ ପାଣି, ନେତ୍ରାନନ୍ଦ ସାମଲ ପ୍ରମୁଖ ଆଶାୟୀ ରହିଛନ୍ତି । ତେବେ ସିଇସି କମିଟିକୁ ଉମାକାନ୍ତ ସାହୁ ଓ ସେମ୍ ହେମ୍ବ୍ରମଙ୍କ ନାଁ ପଠାଯାଇଥିବା ଚର୍ଚ୍ଚା ଜୋର ଧରିଛି । ତେଣୁ ଦଳ ଏଠାରେ ଅସନ୍ତୁଷ୍ଟଙ୍କୁ କେଉଁ ଉପାୟରେ ସନ୍ତୁଷ୍ଟ କରିପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ତେବେ ପୂର୍ବ ନିର୍ବାଚନଗୁଡିକରେ ଦେବଗଡରେ ନେତା ମାନେ ଭୋଟରଙ୍କ ମୁଡ ପରଖି ପାରିନଥିବା ବେଳେ ଚଳିତ ଥର ଭୋଟରଙ୍କ ଭରସା କିଏ ଜିତୁଛି ତାହା ସମୟ କହିବ ।