ଦେବଗଡରେ ଧସିଲା ୪୯ ନମ୍ବର ଜାତୀୟ ରାଜପଥ : ଦେବଗଡ-ସମ୍ବଲପୁର ଯୋଗାଯୋଗ ବିଚ୍ଛିନ୍ନ

44

କନକ ବ୍ୟୁରୋ : ଧସିଲା ୪୯ନଂ ଜାତୀୟ ରାଜପଥ । ସମ୍ବଲପୁର ଦେବଗଡ ଗାଡି ଚଳାଚଳ ବାଧାପ୍ରାପ୍ତ । ୪୯ନଂ ଜାତୀୟ ରାଜପଥ କୁରେଇଁବାହାଲ ଗାଁ ନିକଟରେ ଥିବା ପଥରଗଡ ପୋଲର ରିଟର୍ଣ୍ଣିୱାଲ ଧସି ଯାଇଛି । ଏହାସହିତ ରାଜପଥର ୮୦ ପ୍ରତିଶତ ରାସ୍ତା ଧସି ପଡିଛି । ଫଳରେ ପୋଲର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ବସ୍ ଟ୍ରକ୍ ଅଟକି ରହିଛି । ସେହି ବାଟ ଦେଇ ଯାଉଥିବା ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପହଁଚି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛି ।

ସେପଟେ ଆଜିଠୁ ପ୍ରବଳ ବର୍ଷା । ୩ ଦିନ ଧରି ସାରା ଓଡିଶାରେ ପ୍ରବଳ ବର୍ଷିବ । ପଶ୍ଟିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୩ ଓ ୧୪ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବିଶେଷ କରି ୧୪ ତାରିଖରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଉଏମଡି ୱେବସାଇଟ୍ ଜରିଆରେ ସରକାରଙ୍କୁ ସତର୍କ କରାଇଦେଇଛି । ସେପଟେ ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇସାରିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୋନପୁର, ଗଞ୍ଜାମ, ଗଜପତି, ପୁରୀ, ବରଗଡ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୧୫ ତାରିଖ ଯାଏଁ ସାରା ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।