ଏସସିବି କ୍ୟାମ୍ପସରେ ଡେଙ୍ଗୁ ! ଆଇସିୟୁରେ ଭର୍ତ୍ତି ହେଲେ ଡାକ୍ତରୀ ଛାତ୍ରୀ

64

ଏସସିବି ମେଡିକାଲ୍‌ ପରିସରରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଆଜି ଆଉ ଜଣେ ମେଡିକାଲ୍‌ ଛାତ୍ରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମେଡିସିନ୍‌ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏମବିବିଏସ୍‌ ତୃତୀୟ ବର୍ଷ ଛାତ୍ରୀ ଜଣକ ମେଡିକାଲ୍‌ କ୍ୟାମ୍ପସର ବାଳିକା ହଷ୍ଟେଲରେ ରହୁଛନ୍ତି । ଫଳରେ କ୍ୟାମ୍ପସରେ ଡେଙ୍ଗୁ ବ୍ୟାପିବା ଆଶଙ୍କା ଏବେ ମଧ୍ୟ ଲାଗିରହିଥିବା କୁହାଯାଉଛି । ପୂର୍ବରୁ ଜଣେ ବିଡିଏସ୍‌ ଛାତ୍ର ଏବଂ କିଛି ଦିନ ତଳେ ୟୁଜି ଛାତ୍ର ସଂସଦ ସଭାପତି ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ ।

ରବିବାର ସୁଦ୍ଧା ଏସସିବି ମେଡିକାଲରେ ୧୪ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି । ଟ୍ରମା ବିଲ୍ଡିଂରେ ଥିବା ଡେଙ୍ଗୁ ଓ୍ଵାର୍ଡରୁ ୭ଜଣ ଡିସଚାର୍ଜ ହୋଇଥିବା ବେଳେ ବର୍ତ୍ତମାନ ୮ଜଣ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଚକ୍ଷୁ ଓ୍ଵାର୍ଡ ଉପରେ ଖେଲାଯାଇଥିବା ଡେଙ୍ଗୁ ଓ୍ଵାର୍ଡରେ ୪ଜଣଙ୍କ ଚିକିତ୍ସା ଚାଲିଛି । ସେଣ୍ଟ୍ରାଲ୍‌ ଆଇସିୟୁ ଓ ମେଡିସିନ୍‌ ଆଇସିୟୁରେ ଜଣେ ଲେଖାଏଁ ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଥିବା ନୋଡାଲ ଅଫିସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି । ମାଇକ୍ରୋବାୟୋଲୋଜି ବିଭାଗରେ ଆଜି ୨୯ଟି ନମୁନା ପରୀକ୍ଷା ହୋଇଥିଲା। ସେଥିମଧ୍ୟରୁ ୩ଟି ନମୁନା ଡେଙ୍ଗୁ ପଜିଟିଭ୍‌ ବାହାରିଥିବା ସୂଚନା ଦିଆଯାଇଛି ।

ୟୁଜି ଛାତ୍ରସଂସଦ ସଭାପତିଙ୍କୁ ଡେଙ୍ଗୁ ହେବା ଘଟଣା ଜଣାପଡିବା ପରେ କ୍ୟାମ୍ପସ୍‌ରୁ ପରିମଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏବେବି ଅନେକ ସ୍ଥାନରେ ମଶାବଂଶ ବଢାଇବା ଭଳି ପରିବେଶ ରହିଛି । ବିଶେଷତଃ ବର୍ଷା ପାଣି ଜମି ରହିଥିବା ସ୍ଥାନରେ ଏଡିସ୍‌ ମଶାଙ୍କ ବଂଶବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ଆଗକୁ ମଧ୍ୟ ଆହୁରି ଅଧିକ ଛାତ୍ରଛାତ୍ରୀ କିମ୍ବା କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ଭୟ ରହୁଛି । ତିନିଜଣ ମେଡିକାଲ୍‌ ଛାତ୍ରଛାତ୍ରୀ ଡେଙ୍ଗୁରେ ଆକ୍ରାନ୍ତ ହେବା ଘଟଣା ପରେ ଏହି ଆଶଙ୍କା କରାଯାଉଛି । ତେଣୁ କ୍ୟାମ୍ପସ୍‌ ଭିତରେ ମଶାତେଲ ଓ ମଶାଧୂଆଁ ଛଡାଯିବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି ହେଉଛି ।