ସାଲିଆସାହିରେ ଡେଙ୍ଗୁ ଆତଙ୍କ ! ୨୫ଦିନରେ ୫ଜଣ ମୃତ

83

କନକ ବ୍ୟୁରୋ : ସାଲିଆସାହିରେ ମୁଣ୍ଡ ପରେ ମୁଣ୍ଡ ନେଉଛି ଡେଙ୍ଗୁ । ଦୁଇ ଦିନରେ ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଲାଣି । ଗତକାଲି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଦୀନବନ୍ଧୁ ଖିଲାର (୨୭) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗତ ୨୫ଦିନ ମଧ୍ୟରେ ସାଲିଆସାହିରେ ଅତି କମରେ ୫ଜଣ ଡେଙ୍ଗୁରେ ପ୍ରାଣ ହରାଇଲେଣି । ମାତ୍ର ସ୍ୱାସ୍ଥ୍ୟ ବିଭାଗ ଏସବୁକୁ ଡେଙ୍ଗୁଜନିତ ମୃତ୍ୟୁ ବୋଲି ମାନିବାକୁ ନାରାଜ । ଅନ୍ୟ ଜ୍ୱର ଯୋଗୁଁ ଏହି ମୃତ୍ୟୁ ହେଉଥିବା କହି ଖସିଯିବାକୁ ବସିଛନ୍ତି । ଏପରିକି ଆକ୍ରାନ୍ତ ଯେଉଁ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ସେଠାରୁ ରିପୋର୍ଟ ମଧ୍ୟ ଆଣୁ ନାହାନ୍ତି । ଡେଙ୍ଗୁ ଏମିତି ଘାତକ ରୂପ ନେଇ ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏକପ୍ରକାର ଖାମଖିଆଲି ଆଚରଣ କରୁଛନ୍ତି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ମୂଳନିବାସୀ ଦୀନବନ୍ଧୁ ସାଲିଆସାହିର ମେଫେୟାର ବସ୍ତିରେ ରହୁଥିଲେ । ଗତ ଅକ୍ଟୋବର ୩୦ତାରିଖରୁ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଅବସ୍ଥା ଗୁରୁତର ହେବାରୁ ତିିନି ଦିନ ପରେ ତାଙ୍କୁ କଟକ ବଡ଼ ମେଡିକାଲର ଡେଙ୍ଗୁ ଓ୍ଵାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଆଜି ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । କେବଳ ଦୀନବନ୍ଧୁ ନୁହନ୍ତି, ଗତକାଲି କଳାବତୀ ବେହେରା ନାମକ ଜଣେ ମହିଳା ମଧ୍ୟ ଡେଙ୍ଗୁରେ ପ୍ରାଣ ହରାଇଥିଲେ । ଏହାକୁ ମିଶାଇ ଦୁଇ ଦିନରେ ସାଲିଆସାହିରେ ଦୁଇଟି ମୁଣ୍ଡ ଗଡ଼ିଛି ।

ବିଡ଼ମ୍ବନା ହେଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହାକୁ ଡେଙ୍ଗୁ ଜନିତ ମୃତ୍ୟୁ ବୋଲି ମାନୁନାହାନ୍ତି । ତଦନ୍ତ ପରେ ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହୁଛନ୍ତି । ତେବେ ମୃତବ୍ୟକ୍ତିଙ୍କ ସଂପର୍କରେ ତଦନ୍ତ ହୋଇଛି କି ନାହିଁ ତାହା ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିପାରୁ ନାହାନ୍ତି । ଏପରିକି ଗତକାଲି ଏସ୍‌ସିବିରେ ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ନିର୍ଦେଶାଳୟରେ ମଧ୍ୟ ପହଞ୍ଚି ନାହିଁ । ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ସାଲିଆସାହିରେ ବିଏମ୍‌ସି ନିଜ ଦାୟିତ୍ୱ ଠିକ୍‌ ଭାବରେ ନିର୍ବାହ କରୁଥିବା କହୁଛନ୍ତି ।

ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ଅପରିଷ୍କାର ପରିବେଶ ପାଇଁ ଡେଙ୍ଗୁ ବ୍ୟାପୁଥିବା କହି ବିଏମ୍‌ସି ଉପରେ ଦୋଷ ଲଦିଛି । ତେବେ ସ୍ଥାନୀୟ ଜନପ୍ରତିନିଧିମାନେ ଏହି ଘଟଣା ପାଇଁ ତତ୍ପରତା ପ୍ରକାଶ ନ କରିବାକୁ ନେଇ ମଧ୍ୟ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ଜେ.କେ ତ୍ରିପାଠୀ କହିଛନ୍ତି, ଡେଙ୍ଗୁରେ ଏସ୍‌ସିବିରେ ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଏସ୍‌ସିବିରୁ କୌଣସି ରିପୋର୍ଟ ନିର୍ଦେଶାଳୟ ନିକଟରେ ପହଞ୍ଚିନାହିଁ । ରିପୋର୍ଟ ପହଞ୍ଚିବା ପରେ ହିଁ ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ନୁହେଁ ତାହା ସ୍ପଷ୍ଟ ହେବ ।