ଡେଙ୍ଗୁ ନେଲା ବର୍ଷର ଦ୍ୱିତୀୟ ମୁଣ୍ଡ : କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ

27

କନକ ବ୍ୟୁରୋ : ଡେଙ୍ଗୁରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି  । କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏସସିବି ମେଡିକାଲ କର୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ମୃତକ ଭଦ୍ରକ ବାସୁଦେବପୁର ଅଂଚଳର ହରିହର ମଲ୍ଲିକ ବୋଲି ଜଣାପଡିଛି ।

ଗତ ୮ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡମେଡିକାଲରେ ଭର୍ତି କରାଯାଇଥିଲା । ହରିହରଙ୍କ ମୃତ୍ୟୁ ପରେ ଡେଙ୍ଗୁରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଗତ ବୁଧବାର ଦିନ ବିହାରର ସମ୍ ପ୍ରକାଶ ମିଶ୍ରା ବଡମେଡିକାଲରେ ଡେଙ୍ଗୁ ପାଇଁ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲେ । ଗତମଙ୍ଗଳବାର ଦିନ ସଙ୍କଟାପନ୍ନ ଅବସ୍ଥାରେ ସମ୍ ପ୍ରକାଶଙ୍କୁ ଏସସିବିରେ ଭର୍ତି କରାଯାଇଥିଲା ।

ରାଜ୍ୟରେ ଡେଙ୍ଗୁ ମୃତ୍ୟୁ ପରେ ରାଜ୍ୟ ସରକାର ଅଧିକ ତତ୍ପର ହୋଇଉଠିଛନ୍ତି । ସୂଚନା ଅନୁସାରେ, ଏସସିବିର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୧୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ମେଡିକାଲରେ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇ ୨୪ ଘଂଟିଆ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମାର୍ଚ୍ଚ ମାସରୁ ଏ ଯାଏଁ ୨୪୪ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ମୁକାବିଲା ପାଇଁ ଏସସିବିରେ ସ୍ୱତନ୍ତ୍ର ବୈଠକ ବସିଥିଲା ପରିସ୍ଥିତିକୁ ଦେଖି ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଅଧିକ ବେଡ ଖୋଲାଯିବା ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ୩ଶହ ୬୭ଜଣଙ୍କଠାରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି ୭୦ ପ୍ରତିଶତ ରୋଗୀ ରାଜ୍ୟ ବାହାରୁ ଡେଙ୍ଗୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଭଦ୍ରକ, ବାଲେଶ୍ୱର ଓ କଟକ ଜିଲ୍ଲାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ୫୯, କଟକରେ ୫୭ ଓ ବାଲେଶ୍ୱର ଜିଲ୍ଲାରେ ୫୩ ଜଣ ରୋଗୀଙ୍କ ନମୁନାରୁ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛି ।