ସାରା ରାଜ୍ୟରେ ଡେଙ୍ଗୁ ଆଲର୍ଟ ! ସହରାଂଚଳରେ ହେବ ସଫେଇ ଅଭିଯାନ

45

କନକ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏପରିକି ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଡେଙ୍ଗୁ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୫ଟି ଯାକ ମହାନଗର ନିଗମ, ସମସ୍ତ ମୁାନିସପାଲଟି ଓ ଏନଏସି କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି । ଡେଙ୍ଗୁ ଯେପରି ନ ବ୍ୟାପିବ ସେଥିପାଇଁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସହରାଂଚଳରେ ମଶା ମାତ୍ରାଧିକ ବ୍ୟାପି ବଢୁଥିବାରୁ ଡେଙ୍ଗୁ ବ୍ୟାପୁଛି । ତେଣୁ ମଶା ଯେପରି ନ ବଢିବେ ସେଥିପାଇଁ ସ୍ୱତନ୍ତ୍ର ସଫେଇ ଯୋଜନା କରିବାକୁ କୁହାଯାଇଛି । ଏଥିସହିତ ଡେଙ୍ଗୁ ପ୍ରତିରୋଧ କାର୍ଯ୍ୟକ୍ରମରେ ମହାନଗର ନିଗମ କମିସନର, ନିର୍ବାହୀ ଅଧିକାରୀ ଏବଂ ପୌର ପ୍ରଶାସକମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସହାୟତା ନେବାକୁ କୁହାଯାଇଛି ।

ଏବେ କେନ୍ଦୁଝର ଜିଲ୍ଲାର ବଡବିଲ, ଯୋଡା, କଟକର ଜଗତପୁର, ଯାଜପୁରର କଳିଙ୍ଗ ନଗର, ଭୁବନେଶ୍ୱରର ଚନ୍ଦକା ଓ ମଂଚେଶ୍ୱର ଶିଳ୍ପାଂଚଳ, ପାରାଦ୍ୱୀପ ଏବଂ ରାଉରକେଲାର ଶିଳ୍ପାଂଚଳରେ ସଫେଇ ନେଇ ସ୍ୱତନ୍ତ୍ର ଅଭିଯାନତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି ।