ସାରା ରାଜ୍ୟରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା ! ସବୁଠାରୁ ଅଧିକ ରୋଗୀ ରାଜଧାନୀ ଭୁବନେଶ୍ୱରରେ ଥିବା ମାନିଲା ସ୍ୱାସ୍ଥ୍ୟ ବିଭାଗ

31

କନକ ବ୍ୟୁରୋ : ସାରା ରାଜ୍ୟରେ ମହାମାରୀର ରୂପ ନେଉଛି ଡେଙ୍ଗୁ । ଯେତେ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଲେ ମଧ୍ୟ କୈାଣସି ଲାଭ ହେଉନାହିଁ । ଅନେକ ସମୟରେ ସାରା ରାଜ୍ୟରେ ଜ୍ୱରରେ ହିଁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ । ତେବେ ଗତ କିଛି ବର୍ଷ ହେଲା ରାଜ୍ୟର ଡେଙ୍ଗୁ ପୀଡିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚଳିତବର୍ଷ ରାଜ୍ୟରେ ଯେତିକି ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି, ତାହାର ୪୦ପ୍ରତିଶତ ରହିଛନ୍ତି ରାଜଧାନୀ ଭୁବନେଶ୍ୱରରେ। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ଆରମ୍ଭରୁ ଜୁଲାଇ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୫୪୨୭ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ହେଇଥିଲା, ତହିଁରୁ ୭୧୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ୨୯୨ ଜଣ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୨୭୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହା ମଧ୍ୟରୁ ବିଏମସି ବାହାରେ ମାତ୍ର ୧୭ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସର୍ବାଧିକ ୧୯୧ଜଣ, ନୂଆପଲ୍ଲୀ ଓ ଆଇଆର୍ସିରେ ୬୦, ମଞ୍ଚେଶ୍ୱରରେ ୫ଜଣ ଓ ଅନ୍ୟାନ୍ୟ ଅଞ୍ଚଳରେ କମ୍ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି। ଗତବର୍ଷ ପଶ୍ଚିମବଙ୍ଗରୁ ଡେଙ୍ଗୁ ଭୂତାଣୁ ଆସିଥିବା ବେଳେ ଚଳିତବର୍ଷ ଡେଙ୍ଗୁ ଭୂତାଣୁ ବିଶାଖପାଟଣାରୁ ଆସିଛି। ରାଜ୍ୟର ଅନେକ ଲୋକ ବିଶାଖପାଟଣାରେ କାମ କରୁଛନ୍ତି। ସେଠାରେ ଚିକିତ୍ସା ଖର୍ଚ ମଧ୍ୟ ଯଥେଷ୍ଟ ଅଧିକ। ତେଣୁ ଜ୍ୱରରେ ଆକ୍ରାନ୍ତ ହେବା ପରେ ସେମାନେ ଓଡ଼ିଶା ଚାଲି ଆସୁଛନ୍ତି। ଫଳରେ ରାଜ୍ୟରେ ଡେଙ୍ଗୁ ବ୍ୟାପୁଛି। ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯଥେଷ୍ଟ ପଦକ୍ଷେପ ନିଆଯାଇଛି । ଡେଙ୍ଗୁ ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ଜ୍ୱର କିମ୍ବା ପ୍ଲେଟଲେଟ୍ କମିଥିବା ଲୋକକୁ ସେହି ଅନୁଯାୟୀ ଚିକିତ୍ସା କରାଯାଇଥାଏ ବୋଲି ସେ କହିଛନ୍ତି ।